ଯୀଶୁଙ୍କ ଜନ୍ମସ୍ଥାନରେ ନାହିଁ ଖ୍ରୀଷ୍ଟମାସ ସେଲିବ୍ରେସନ ; ଶୁଭୁଛି ଯୁଦ୍ଧ ଏବଂ କାନ୍ଦବୋବାଳି ଶବ୍ଦ

ନନ୍ଦିଘୋଷ ବ୍ୟୁରୋ :  ପୁରା ବିଶ୍ବ ଖ୍ରୀଷ୍ଟମାସ ପାଳନ କରୁଥିବା ବେଳେ ଯୀଶୁଙ୍କ ଜନ୍ମସ୍ଥାନ ବେଥଲହମରେ ପ୍ରାର୍ଥନା ବଦଳରେ ଶୁଭୁଛି ଲୋକଙ୍କ ଆର୍ତ୍ତ ଚିତ୍କାର । ଖ୍ରୀଷ୍ଟମାସ ପାଇଁ ସବୁଠି ଖୁସିର ମାହୋଲ୍ ଥିବା ବେଳେ ବେଥଲହମ୍ ଏକ ନିର୍ଜନ ସହର ପରି ମନେ ହେଉଥିଲା । ଇସ୍ରାଏଲ୍ ଓ ହମାସ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁଁ ବେଥଲହମରେ ଖ୍ରୀଷ୍ଟମାସ ପାଳନ କରାଯାଉନାହିଁ । ବେଥଲହମ ରାସ୍ତାରେ ନା ଥିଲା ବିଦେଶୀ ପର୍ଯ୍ୟଟକ ଭିଡ ନା ଥିଲା ଉତ୍ସାହୀ ଜନସାଧାରଣଙ୍କ କୋଳାହଳ । କେବଳ ୧୦ ହଜାର ପାଲେଷ୍ଟାଇନ୍ ସୁରକ୍ଷା ବାହିନୀ ଖାଲି ପଡିଆରେ ପାଟ୍ରୋଲିଂ କରୁଥିବାର ଦେଖାଯାଇଥିଲା ।

୬ ବର୍ଷ ଧରି ଜେରୁଜେଲମରେ ରହୁଥିବା ଭିଏତନାମର ଜଣେ ଫ୍ରାନ୍ସସିସ୍କନ୍ କହିଛନ୍ତି ଯେ, ଚଳିତ ବର୍ଷ ପ୍ରଥମ ଥର ପାଇଁ ଖ୍ରୀଷ୍ଟମାସରେ ଖ୍ରୀଷ୍ଟମାସ୍ ଟ୍ରି ଏବଂ ଆଲୋକ ବଦଳରେ ଏଠି କେବଳ ଅନ୍ଧକାର ଭରି  ଅଛି । ଇସ୍ରାଏଲ୍ ଓ ହମାସ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ପାଇଁ ଖ୍ରୀଷ୍ଟମାସ ପାଳନ କରାଯିବ ନାହିଁ ବୋଲି ଯେଉଁ ଘୋଷଣା କରାଗଲା ସେଥିରେ ଦେଶର ଆର୍ଥିକ ବ୍ୟବସ୍ଥାକୁ ଏକ ବଡ଼ ବଡ ଝଟକା ଲାଗିଛି । ବେଥଲହମରେ ଆନୁମାନିକ ଆୟର ୭୦ ପ୍ରତିଶତ ପର୍ଯ୍ୟଟନରୁ ଆସିଥାଏ । ପର୍ଯ୍ୟଟନର ସବୁଠୁ ଅଧିକ ଆୟ ଖ୍ରୀଷ୍ଟମାସ ମାସରେ ହୋଇଥାଏ । ଖ୍ରୀଷ୍ଟମାସରେ ପାଳନ କରିବାକୁ ଏଠାକୁ ସବୁଠୁ ଅଧିକ ପର୍ଯ୍ୟଟକ ଆସିଥାନ୍ତି । ଅନେକ ପ୍ରମୁଖ ବିଦେଶୀ କମ୍ପାନୀ ଇସ୍ରାଏଲକୁ ବିମାନ ଚଳାଚଳ ବାତିଲ୍ କରିଥିବାରୁ ଏଠାକୁ ବହୁତ୍ କମ୍ ବିଦେଶୀ ପର୍ଯ୍ୟଟକ ଆସୁଛନ୍ତି ।

ବେଥଲହମର ସ୍ଥାନୀୟ ଅଧିକାରୀ କହିଛନ୍ତି ଯେ , ବେଥଲହମରେ ୭୦ ରୁ ଅଧିକ ହୋଟେଲ୍ ବନ୍ଦ ହେବା ଦ୍ବାରା ସେଥିରେ କାମ କରୁଥିବା ହଜାର ହଜାର ଲୋକ ନିଜର ରୋଜଗାର ହରେଇଛନ୍ତି । ସାଧାରଣତଃ, ଖ୍ରୀଷ୍ଟମାସର ପୂର୍ବ ରାତିରେ ବେଥଲହମ୍ ଏତେ ବ୍ୟସ୍ତ ବହୁଳ ସହର ହୋଇଯାଇଥାଏ ଯେ ସକାଳରୁ ରାତି ଯାଏଁ କାହରିକୁ ଟିକେ ଫୁରସତ୍ ନଥାଏ । ଆପଣଙ୍କୁ ଟିକିଏ ବସିବାକୁ ବି ଚେୟାର୍ ମିଳିବ ନାହିଁ । କିନ୍ତୁ ଚଳିତ ବର୍ଷ ଏପରି ଅବସ୍ଥା ଯେ ରାସ୍ତାରେ କେହି ଗୋଟେ ଲୋକ ବି ନାହାଁନ୍ତି ।

ଗାଜାରେ ଥିବା ସ୍ବାସ୍ଥ୍ୟ ମନ୍ତ୍ରାଳୟ ଏକ ବିବୃତିରେ କହିଛି ଯେ ୭ ଅକ୍ଟୋବରରୁ ଗାଜାରେ ଇସ୍ରାଏଲ୍ ଆକ୍ରମଣ ଦ୍ବାରା ପ୍ରାଣ ହରାଇଥିବା ପାଲେଷ୍ଟାଇନଙ୍କ ସଂଖ୍ୟା ୨୦,୨୫୮ କୁ ବୃଦ୍ଧି ପାଇଥିବା ବେଳେ ୫୩, ୬୮୮ ଜଣ ଆହତ ହୋଇଛନ୍ତି ।