ଇରାନ ବିରୋଧରେ ଇସ୍ରାଏଲର ଅପରେସନ ରାଇଜିଂ ଲାୟନ
1 min read
ନନ୍ଦିଘୋଷ ବ୍ୟୁରୋ : ଇରାନ ବିରୋଧରେ ଇସ୍ରାଏଲର ଅପରେସନ ରାଇଜିଂ ଲାୟନ। ଇରାନର ଅନେକ ଆଣବିକା ଓ ସାମରିକ ସ୍ଥଳ ଉପରେ ଜୋରଦାର ହମଲା କରିଛି ଇସ୍ରାଏଲ । ବିଶେଷ କରି ନତାଞ୍ଜସ୍ଥିତ ଇରାନର ପ୍ରମୁଖ ୟୁରାନିୟମ ଏନରିଚମେଣ୍ଟ ସ୍ଥଳ ଉପରେ ବି ହମଲା ହୋଇଛି। ଏହି ହମଲାରେ ଇରାନର ଇସଲାମିକ ରିଭଲୁସନାରୀ ଗାର୍ଡ କର୍ପସ ମୁଖ୍ୟ ମେଜର ଜେନେରାଲ ହୋସେନ ସଲାମିଙ୍କ ପ୍ରାଣହାନି ଘଟିଛି । ହୋସେନଙ୍କ ମୃତ୍ୟୁ ଘଟିଥିବା ସ୍ବୀକାର କରିଛି ଇରାନ। ଇରାନର ମିଲିଟାରୀ ଷ୍ଟ୍ରାଟେଜି କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିଲେ ହୋସେନ। ଏହା ସହ ଲେବାନନ, ସିରିଆ ଓ ଇରାକରେ ଚାଲିଥିବା ଛାୟାଯୁଦ୍ଧରେ ବି ସେ ପ୍ରମୁଖ ଭୂମିକା ନିର୍ବାହ କରୁଥିଲେ। ଦୁଇ ଜଣ ଆଣବିକ ବିଜ୍ଞାନୀ ବି ପ୍ରାଣ ହରାଇଥିବା ସୂଚନା ମିଳିଛି । ଇରାନ ସରକାର ଜାତୀୟ ଶୋକଦିବସ ଘୋଷଣା କରିଛନ୍ତି ।
ନତାଞ୍ଜ ଆଣବିକ କମ୍ପ୍ଲେକ୍ସ ଇସଫାନ ପ୍ରଜାତନ୍ତ୍ରରେ ପ୍ରାୟ ଏକ ଲକ୍ଷ ବର୍ଗ ମିଟର ସ୍ଥାନରେ ପ୍ରତିଷ୍ଠିତ । ଏହା ସହ ସେଠାରେ ରହିଛି ସହସ୍ରାଧିକ ସେଣ୍ଟ୍ରିଫ୍ୟୁଜ । ଇରାନର ଆଣବିକ କାର୍ଯ୍ଯକ୍ରମ ନେଇ ସର୍ବଦା ଉଦବେଗ ପ୍ରକାଶ କରିଆସିଥିଲା ଇସ୍ରାଏଲ । ଏହି ହମଲାରେ ଆଣବିକ ପ୍ରତିଷ୍ଠାନଗୁଡିକର କ୍ଷୟକ୍ଷତି ନେଇ ସୂଚନା ମିଳିନାହିଁ । କିଛି ଦଶନ୍ଧି ତଳେ ଇରାନର ବହୁଚର୍ଚ୍ଚିତ ଷ୍ଟୁକ୍ସନେଟ ସାଇବର ଆଟାକ ପରେ ଇସ୍ରାଏଲ ଏହି ହମଲା ହେଉଛି ଇରାନ ଉପରେ ସିଧାସଳଖ ଆକ୍ରମଣ । ବିଗତ ପାଞ୍ଚ ବର୍ଷ ଧରି ଇରାନ ନିଜର ଆଣବିକ କାର୍ଯ୍ୟକ୍ରମ ଚଳାଇଆସିଥିଲା। ଆଣବିକ ଅସ୍ତ୍ର ସକାଶେ ବି ୟୁରାନିୟମ ଏନରିଚମେଣ୍ଟ ଜରିଆରେ ଯୋଜନା କରିଆସୁଥିଲା। ଅନ୍ତର୍ଜାତୀୟ ଆଣବିକ ଶକ୍ତି ସଂସ୍ଥା ବା IAEAର ସୂଚନା ଅନୁସାରେ ଇରାନ ନିକଟରେ ୬୦ ପ୍ରତିଶତ ଏନରିଚଡ ୟୁରାନିୟମ ରହିଛି । ଯଦି ଏହି ପରିମାଣ ୯୦ ପ୍ରତିଶତ ହେବ ତେବେ ଚାରିଟି ଆଣବିକ ଯୁଦ୍ଧାସ୍ତ୍ର ପ୍ରସ୍ତୁତ ହୋଇପାରିବ । ତେବେ ୟୁରାନିୟମ ଏନରିଚମେଣ୍ଟ ପ୍ରକ୍ରିୟା କେବଳ ବେସାମରିକ ଲାଗି ବ୍ୟବହୃତ ହେଉଛି ବୋଲି କହିଆସୁଥିଲା ଇରାନ । ନତାଞ୍ଜ ଛଡ଼ା ତେହେରାନର ଦକ୍ଷିଣରେ ଥିବା କୋମ୍ ସହରର ଫୋର୍ଦୋରେ ବି ରହିଛ ଆଣବିକ କେନ୍ଦ୍ର । ଫୋର୍ଦୋ ଆଣବିକ କେନ୍ଦ୍ର ଗୋପନୀୟ ଭାବେ ପାହାଡ଼ର ଗଭୀର ସ୍ଥାନରେ ପ୍ରତିଷ୍ଠା ହୋଇଥିଲା । ଏଠାରେ ଏକ ହଜାରରୁ ଅଧିକ ସେଣ୍ଟ୍ରଫ୍ୟୁଜ ରହିଛି । ଫୋର୍ଦୋରେ ଗତ ୨୦୨୪ରେ ଇରାନ ନିଜର ସେଣ୍ଟ୍ରିଫ୍ୟୁଜ ସଂଖ୍ୟା ଦୁଇଗୁଣ କରିଥିଲା । ଏହି ହମଲା ପରେ ଇରାନ ନିଜର ଏୟାରସ୍ପେସକୁ ବନ୍ଦ କରିଛି ।
ସେପଟେ ଇରାନର ଆକ୍ରମଣର ଜବାବ ଲାଗି ଏହି ହମଲା କରାଯାଇଛି ବୋଲି କହିଛନ୍ତି ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ କାଜ୍ । ଇରାନ ଉପରେ ଆକ୍ରମଣ ଆସନ୍ନ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ସୂଚନା ଦେବା ପରେ ପରେ ଏହି ହମଲା ହୋଇଛି । ଇରାନ ଉପରେ ହମଲା ନେଇ ଆମର ହାତ ନାହିଁ ବୋଲି କହିଛି ଆମେରିକା । ଇରାନର ଆଣବିକ କାର୍ଯ୍ଯକ୍ରମ ନେଇ ସର୍ବଦା ଆଶଙ୍କା ପ୍ରକାଶ କରିଆସୁଥିଲେ ଆମେରିକା ସମେତ ବହୁରାଷ୍ଟ୍ର । ଇରାନ ଉପରେ ହମଲା ପରେ ଇସ୍ରାଏଲ ନିଜର ସେନାବାହିନୀକୁ ଆଲର୍ଟ କରିଛି । ଦେଶରେ ଜାରି କରାଯାଇଛି ଜାତୀୟ ଜରୁରୀକାଳୀନ ପରିସ୍ଥିତି । ଇରାନର ଆଣବିକ କାର୍ଯ୍ୟକ୍ରମ ନେଇ ଆଶଙ୍କା ପ୍ରକାଶ କରିଆସୁଥିଲେ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ । ମଧ୍ୟପ୍ରାଚ୍ୟରେ ବଡ ଧରଣର ବିବାଦ ମୁଣ୍ଡ ଟେକିବ ବୋଲି ସେ କହିଥିଲେ ।