spot_img

Latest Posts

ଆଜିର ଦିନରେ ବର୍ଷକ ତଳେ ରାଜ୍ୟରୁ ବାହାରିଥିଲା ପ୍ରଥମ କରୋନା ପଜିଟିଭ୍ ମାମଲା

ଭୁବନେଶ୍ୱର: ଠିକ ଆଜିର ଦିନରେ ଓଡ଼ିଶାରୁ ଚିହ୍ନଟ ହୋଇଥିଲେ ପ୍ରଥମ କରୋନା ସଂକ୍ରମିତ। ଅଦୃଶ୍ୟ ରାକ୍ଷସର ଶିକାର ହୋଇଥିଲେ ପ୍ରଥମ ଓଡ଼ିଆ। ଘରଠୁ ଗଳି ବସ୍ତିରୁ ବଜାର ସବୁଠି ସୃଷ୍ଟି ହୋଇଥିଲା କରୋନାକୁ ନେଇ ଆତଙ୍କ। ଭୂତାଣୁର ଭୟରୁ ସୃଷ୍ଟି ହୋଇଥିଲା କୋକୁଆ ଭୟ । । ଯାହାକୁ ଦେଖି ହେଉନି ତା ସହ କେମିତି ଲଢ଼ିବାକୁ ହେବ ? ଏହାର ନିରାକଣ କଣ ? ଜଣଙ୍କ ଠାରୁ ଆଉ ଜଣଙ୍କୁ ଡ଼େଉଁଥିବା ରୋଗକୁ କେମିତି ଅଟକାଯାଇପାରିବ। ଟିକା ନାହିଁ, ଔଷଧ ନାହିଁ। କୋଭିଡ ଚିକିତ୍ସା କରିବା ରାଜ୍ୟ ସରକାରଙ୍କ ପାଇଁ ଏକ ଚାଲେଞ୍ଜ ହୋଇ ଛିଡ଼ା ହୋଇଥିଲା।  ବହୁତ ସଂଘର୍ଷ ଭିତରେ ପୁରିଛି ଏକ ବର୍ଷ।

ଭୁବନେଶ୍ୱର ବଡ଼ଗଡ଼ ଅଞ୍ଚଳର ଦେବାଶିଷ ହରିଚନ୍ଦନ ଇଟାଲିରୁ ଭୁବନେଶ୍ୱର ଫେରିବା ପରେ ପଜିଟିଭ୍ ଚିହ୍ନଟ ହୋଇଥିଲେ। କ୍ୟାପିଟାଲ ହସ୍ପିଟାଲରେ ଚିହ୍ନଟ ହୋଇଥିଲା ପ୍ରଥମ କେସ୍। ଏହାପରେ ତାଙ୍କୁ କ୍ୟାପିଟାଲ ହସପିଟାଲରେ ଆଇସୋଲେସନରେ ରଖାଯାଇଥିଲା। ଚିକିତ୍ସା ପରେ ସୁସ୍ଥ ହୋଇ ଫେରିଥିଲେ ଦେବାଶିଷ।  ହେଲେ ଏହା ପରେ ଓଡ଼ିଶାରେ କାୟା ବିସ୍ତାର କରିବା ଆରମ୍ଭ କରିଥିଲା କରୋନା। ପ୍ରତି ଦିନ ହଜାର ହଜାର ସଂଖ୍ୟାରେ ବାହାରିବାକୁ ଲାଗିଥିଲେ କରୋନା ସଂକ୍ରମିତ। ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ୩,୩୮,୧୯୨ରେ ପହଞ୍ଚିଛି। ଏଥି‌ରୁ ୩,୩୫,୫୬୯ଜଣ ସୁସ୍ଥ ହୋଇଛନ୍ତି । ଏବେ ସକ୍ରୀୟ ସଂକ୍ରମଣର ସଂଖ୍ୟା ହେଉଛି ୬୫୨ । ରାଜ୍ୟରେ ୧୯୧୮ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି।

ରାଜ୍ୟରେ କରୋନା ଉପର ମୁହାଁରୁ ତଳ ମୁହାଁ ହୋଇଛି। ହେଲେ ରାଜ୍ୟବାସୀଙ୍କ ମନରେ ଏବେ ମଧ୍ୟ କରୋନା ଭୟ ବସା ବାନ୍ଧିଛି। ଲୋକ ଏବେବି ଏହାର ନାଁ ଶୁଣିଲେ ଭୟରେ ଥରୁଛନ୍ତି। ରାଜ୍ୟବାସୀ ତାଙ୍କ ଜୀବନରେ ଏମିତି ଏକ କଳା ବର୍ଷକୁ ଦେଖିବେ ତାହା କେବେ ସ୍ୱପ୍ନରେ ଭାବିନଥିଲେ। ଜୀବନକୁ ଜୀଇଁବା କେତେଯେ କଷ୍ଟ ତାହା ଏହି ଏକ ବର୍ଷ ମଧ୍ୟରେ ଦେଖାଇଦେଲା କରୋନା।

ଆର୍ଥିକ ସ୍ଥିତିରୁ ଆରମ୍ଭ କରି ଜୀବନଶୈଳୀ ସବୁ ଏପଟ ସେପଟ ହୋଇଗଲା। ରାଜ୍ୟ ଅର୍ଥବ୍ୟବସ୍ଥାର ମେରୁଦଣ୍ଡ ଭାଙ୍ଗିଗଲା। ଲୋକ ରୋଜଗାର ହରାଇଲେ, ସହର ଛାଡ଼ି ଗାଁ ମୁହାଁ ହେଲେ । କଳା ମଚ ମଚ ପିଚୁ ରାସ୍ତା ଦେଖିଲା ଅସହାୟର ଶକ୍ତ ପାଦ କେମିତି ଥକି ପଡ଼େ। ସ୍କୁଲ କଲେଜ ସବୁ ବନ୍ଦ ହେଲା । କେଉଁଠି ପରିବାର ଭୁଶୁଡ଼ି ପଡ଼ିଲାତ, ପୁଣି କେଉଁଠି ବାପା ପୁଅଙ୍କର ଚିତା ଏକାଠି ଜଳିଲା। ଶେଷ ସମୟରେ ମାଆକୁ ପୁଅ ଦେଖିପାରିଲାନି କି ଚିତାରେ ନିଆଁ ଦୋଇପାରିଲାନି। ଏ କରୋନା ଦେଖାଇଲା ଦୁଃଖର ପ୍ରକୃତ ଚିତ୍ର ।  କରୋନାର ଭୟାବହତା ସତ୍ୟନଗର ଭଳି ରାଜ୍ୟର ସବୁ ଶ୍ମଶାନ ଆଜିବି ବୟାନ କରେ ।

ମାର୍ଚ୍ଚ ୫ ତାରିଖରେ ରାଜ୍ୟ ସରକାର ଆରମ୍ଭ କରିଥିଲେ କରୋନା ମୁକାବିଲା ପ୍ରସ୍ତୁତି। କରୋନା ଯେତେ ଭୟଙ୍କର ହେଉଥିଲା ରାଜ୍ୟ ସରକାରଙ୍କ ମୁକାବିଲା ବି ସେତେ ଶାଣିତ ହୋଇଥିଲା। ସରପଞ୍ଚଙ୍କୁ ଜିଲ୍ଲାପାଳର କ୍ଷମତା ଦେଇ ରାଜ୍ୟ ସରକାର ନୂଆ ଅଧ୍ୟାୟ ସୃଷ୍ଟି କରିଥିଲେ। କୋଭିଡ୍‌-୧୯ ଓଡ଼ିଶା ରେଗୁଲେସନ୍, ୨୦୨୦ ଆଣି ଏଥିରେ କ୍ୟାବିନେଟ୍ ମୋହର ମାରିଥିଲେ। ଏହିଠାରୁ ହିଁ କରୋନା ସହ ମୁହାଁମୁହିଁ ଲଢେଇ ଆରମ୍ଭ ହୋଇଥିଲା। ମାର୍ଚ୍ଚ ୧୩ରେ କୋଭିଡକୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା କରାଯାଇଥିଲା।

କରୋନା ସହ ଲଢ଼େଇ ପାଇଁ ମାର୍ଚ୍ଚ ୨୧ରୁ ରାଜ୍ୟରେ ଘୋଷଣା ହୋଇଥିଲା ସଟଡାଉନ୍। ସଂକ୍ରମଣ ମଧ୍ୟରେ ମହାମାରୀକୁ ସଫଳତାର ସହ ମୁକାବିଲା କରିଛି ଓଡ଼ିଶା। ଏହି ବର୍ଷେ ଭିତରେ ଅନେକ କିଛି ବଦଳିଛି ଅନେକ ବାଧା ବିଘ୍ନ ସହିଛି ଓଡ଼ିଶା। ଏବେ ଶହେ ତଳେ ରହୁଛି ଦୈନିକ ସଂକ୍ରମିତଙ୍କ ସଂଖ୍ୟା। ଦୋକାନ ବଜାର ସହ ସିନେମା ହଲ ଖୋଲିଛି । ରାଜ୍ୟ ହରାଇଛି ଅନେକ କରୋନା ଯୋଦ୍ଧାଙ୍କୁ । କରୋନା ଯୋଦ୍ଧାଙ୍କ ଉଦ୍ୟମ ଓ ସରକାରଙ୍କ ପଦକ୍ଷେପ ପାଇଁ ଓଡ଼ିଶାରେ ସଂକ୍ରମଣ ଏବେ ନିୟନ୍ତ୍ରଣରେ ରହିଛି । ଟିକାକରଣ ଅଭିଯାନ ଜାରି ରହିଥିବା ବେଳେ, ମହାମାରୀ ଭୟ ଏବେ ବି ଟଳିନାହିଁ ।

Latest Posts

Don't Miss