ଜଗା ଦର୍ଶନ ଆଳରେ ସାଂସଦଙ୍କ ‘ପଦଯାତ୍ରା’ ପଲିଟିକ୍ସ !

ପୁରୀ: ଯେବେ ସାଧାରଣ ଲୋକ ଆଇନ ଭାଙ୍ଗନ୍ତି, ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ହୁଏ । ହେଲେ ଆଇନ ପ୍ରସ୍ତୁତକାରୀ ସାଂସଦ, ସବୁ ଜାଣିଶୁଣି ଯେବେ ଆଇନକୁ ନାଲିଆଖି ଦେଖାନ୍ତି, ସେତେବେଳେ କଣ ହେବ ? ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଆଗରୁ ଥିଲେ ପ୍ରଶାସିକା, ଏବେ ଜନ ପ୍ରତିନିଧି । ଆଇନ ପ୍ରଣୟନ କରିଛନ୍ତି ଆଇନ ଅନୁସାରେ ଆକ୍ସନ୍ ବି ନେଇଛନ୍ତି । ଆଇନ ଅନୁସାରେ କ’ଣ ଠିକ୍ କ’ଣ ଭୁଲ୍ ସେକଥା ବେଶ୍ ଭଲ କରି ଜାଣିଛନ୍ତି । ଆଉ ଖୋଲା ଉଲ୍ଲଂଘନ କେମିତି କରି ହେବ ସେକଥା ପୁରୀ ବଡ଼ଦାଣ୍ଡରେ ଦେଖାଇଛନ୍ତି । ପଦଯାତ୍ରାକୁ ଅନୁମତି ନମିଳିବା ପରେ କିଛି ସମର୍ଥକଙ୍କ ସହ ପୁରୀରେ ପହଞ୍ଚି ପଦଯାତ୍ରା କରିଛନ୍ତି ସାଂସଦ । ଜଗା ଦର୍ଶନ ଆଳରେ ଅପରାଜିତାଙ୍କ ପଦଯାତ୍ରା ପଲିଟିକ୍ସକୁ ନିନ୍ଦା କରିଛନ୍ତି ପୁରୀବାସୀ । କାର୍ଯ୍ୟାନୁଷ୍ଠାନ ପାଇଁ ଏତଲା କରାଯାଇଥିବା ବେଳେ ଛାତ୍ର କଂଗ୍ରେସ ଟମାଟୋ ମାଡ଼ କରି ବିରୋଧ ପ୍ରଦର୍ଶନ କରିଛି ।

ଜଗା ଦର୍ଶନ ଆଳରେ ସାଂସଦ ‘ପଦଯାତ୍ରା’ ପଲିଟିକ୍ସ କରିଥିବା ଅଭିଯୋଗ । ପୁରୀ ପଚାରୁଛି, ଅମାନିଆ ଅପରାଜିତାଙ୍କ ବିରୋଧରେ ଆକ୍ସନ୍ କେବେ ? ଅନୁମତି ମିଳିଲାନି, ସ୍ଥଗିତ ରହିଲା ଶ୍ରୀମନ୍ଦିର ସୁରକ୍ଷା ଆନ୍ଦୋଳନର ପଦଯାତ୍ରା । ହେଲେ ବିକାଶ ବିରୋଧୀ ମନୋବୃତ୍ତିରେ ଲାଗିଲାନି ବ୍ରେକ୍ । ପଦଯାତ୍ରା ସ୍ଥଗିତ ପରେ ବି ହାତଗଣତି ସମର୍ଥକଙ୍କ ସହ ପଦଯାତ୍ରା କରି ଶ୍ରୀମନ୍ଦିରକୁ ଗଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ । ଅନୁମତି ନଥିବା ଜଣାଇଥିଲା ପ୍ରଶାସନ । ଚନ୍ଦନପୁର ନିକଟରେ ଗାଡ଼ି ଅଟକାଇ ଏକା ଯିବାକୁ ଅନୁରୋଧ ବି କରାଯାଇଥିଲା । ହେଲେ ପୋଲିସର ଅନୁରୋଧକୁ ବେଖାତିର କରିଥିଲେ ବିଜେପି ସାଂସଦ । ଜଗା ଦର୍ଶନ ନାଁରେ ଜନପ୍ରତିନିଧିଙ୍କ ହୀନ ରାଜନୀତି ଓ ଏଭଳି ଆଇନ ଉଲ୍ଲଂଘନକୁ ନିନ୍ଦା କରିଛନ୍ତି ଶ୍ରୀମନ୍ଦିର ସେବାୟତ ଓ ବୁଦ୍ଧିଜୀବୀ ।

ସାଂସଦ ହେଉଛନ୍ତି ପୂର୍ବତନ ପ୍ରଶାସିକା, ହେଲେ ଆଇନକୁ କରିଛନ୍ତି ଖୋଲା ବେଖାତିର । ଆଇନକୁ ପାଦରେ ଦଳିଚକଟି ବଡ଼ଦାଣ୍ଡରେ ପଦଯାତ୍ରା କରିଛନ୍ତି ଅପରାଜିତା । ଆଉ ଏଥିପାଇଁ ତାଙ୍କୁ ନିଜ ଦଳରୁ ବି ମିଳିନି ସମର୍ଥନ । ସେପଟେ ସାଂସଦଙ୍କ ଆଇନ୍ ଅମାନ୍ୟ ବିରୋଧରେ ଆକ୍ସନ୍ ଦାବି କରିଛନ୍ତି ଶ୍ରୀକ୍ଷେତ୍ର ବିକାଶ ମଞ୍ଚ ଓ ବୁଦ୍ଧିଜୀବୀ । ପୁରୀ ଟାଉନ ଥାନାରେ ଅପରାଜିତାଙ୍କ ବିରୋଧରେ ଏତଲା ଦାୟର ହୋଇଛି । ସାଂସଦଙ୍କ ପଲିଟିକାଲ୍ ଷ୍ଟଣ୍ଟକୁ ବିରୋଧ କରିଛି ଛାତ୍ର କଂଗ୍ରେସ ପକ୍ଷରୁ କରାଯାଇଛି ଟମାଟୋ ମାଡ଼ ।

ଶ୍ରୀମନ୍ଦିର ବିକାଶର ବାଟ ଓଗାଳି ଚାଲିଛି ରାଜନୀତି । ପୁରୀରେ ସାଂସଦଙ୍କ ପଲିଟିକାଲ୍ ଷ୍ଟଣ୍ଟକୁ ସାରା ରାଜ୍ୟ ନିନ୍ଦା କରୁଛି । ପ୍ରତି ଓଡିଆଙ୍କ ପ୍ରାଣ କାଳିଆ ସାଆନ୍ତଙ୍କ କାମରେ ବାଧା ଦେବା ପାଇଁ ଅପରାଜିତାଙ୍କ ଏଭଳି ପଦଯାତ୍ରାକୁ ସମାଲୋଚନା କରିଛନ୍ତି ପୁରୀବାସୀ । ଆଇନ ଉଲ୍ଲଂଘନ ପାଇଁ ଶୀଘ୍ର କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି ।