ଆରାଧ୍ୟ ଦେବତାଙ୍କ ପାଇଁ ଉତ୍ସବମୁଖର ଗାଁଠୁ ସହର; ଆଜିଠୁ ବୁଲିବ ଜଗନ୍ନାଥ ରଥ

ପୁରୀ : ଆରାଧ୍ୟ ଦେବତାଙ୍କ ପାଇଁ ପୂରା ଓଡ଼ିଶା ହେବ ଉତ୍ସବ ମୁଖର । ଆସନ୍ତା ୧୭ରେ ଐତିହାସିକ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ । ଏଥିପାଇଁ ଆଜିଠୁ ୧୭ ତାରିଖ ଯାଏ ଗାଁରୁ ସହର ବୁଲିବ ଜଗନ୍ନାଥ ରଥ । ପ୍ରତି ଘରୁ ସଂଗ୍ରହ କରାଯିବ ଗୁଆ, ଅରୁଆ ଚାଉଳ । ସାହିରୁ ଗଳିକନ୍ଦି, ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିବେ ସଂକୀର୍ତ୍ତନ ମଣ୍ଡଳୀ । ଲୋକ ପ୍ରତିନିଧି ଓ ଅଧିକାରୀମାନେ ଗୁଆ ଚାଉଳ ସଂଗ୍ରହ କରିବେ । ଏହାକୁ ଗାଁର ଜଗନ୍ନାଥ ମନ୍ଦିରରେ ରଖାଯିବ ।

ଶ୍ରୀଜଗନ୍ନାଥଙ୍କ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବରେ ସବୁ ପଞ୍ଚାୟତରୁ ଲୋକଙ୍କୁ ସାମିଲ କରିବାକୁ କ୍ୟାବିନେଟରେ ଐତିହାସିକ ନିଷ୍ପତ୍ତି ପରେ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛି । ଜଗନ୍ନାଥ ରଥକୁ ପ୍ରତ୍ୟେକଙ୍କ ପାଖରେ ପହଞ୍ଚାଇବାକୁ ନିର୍ବାଚିତ ପ୍ରତିନିଧିଙ୍କ ଭିତରେ ଉତ୍ସାହ ଦେଖାଦେଇଛି। ସମସ୍ତେ ପ୍ରକଳ୍ପ ଉଦଘାଟନ ଅବସରରେ ପୁରୀ ଆସିବା ସମ୍ଭବ ନଥିବାରୁ ଗାଁରୁ ସହର ଜଗନ୍ନାଥ ରଥ ବୁଲି ଗୁଆ ଓ ଚାଉଳ ସଂଗ୍ରହ କରାଯାଇ ମହାପ୍ରଭୁଙ୍କୁ ସମର୍ପଣ କରାଯିବ ।

ଗ୍ରାମୀଣ ଓଡ଼ିଶାର ରୂପାନ୍ତରଣ ଯାତ୍ରାକୁ ଆଗକୁ ନେବା ସହ ଜଗନ୍ନାଥ ସଂସ୍କୃତିକୁ ବିଶ୍ବରେ ପ୍ରସାର କରିବାକୁ ଶ୍ରୀମନ୍ଦିର ପରିକ୍ରମା ରାଜ୍ୟ ସରକାରଙ୍କର ଏକ ଅଭିନବ ପ୍ରୟାସ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ହେବା ପରେ ଉପକୃତ ହେବେ ଶ୍ରଦ୍ଧାଳୁ। ଶ୍ରୀକ୍ଷେତ୍ର ରୂପାନ୍ତରଣରେ ପ୍ରତ୍ୟେକ ଓଡ଼ିଆ ସାମିଲ ହୋଇ ଜଗନ୍ନାଥ ସଂସ୍କୃତି ଓ ପରମ୍ପରାକୁ ଆହୁରି ଅଧିକ ଉଜ୍ଜୀବିତ କରିବାରେ ସହାୟକ ହେବେ । ୧୪୭ନିର୍ବାଚନୀ ମଣ୍ଡଳୀରୁ ୬ଲକ୍ଷରୁ ଅଧିକ ଲୋକ ପରିକ୍ରମା ପ୍ରକଳ୍ପ ବୁଲି ଦେଖିବେ । ପ୍ରତିଦିନ ୨୦ହଜାର ଲୋକ ପରିକ୍ରମା ପ୍ରକଳ୍ପ ବୁଲି ଦେଖିବା କାର୍ଯ୍ୟକ୍ରମ ରହିଛି । ଆସନ୍ତା ୧୨ତାରିଖରୁ ପରିକ୍ରମା ପ୍ରକଳ୍ପ ପାଇଁ ଯଜ୍ଞ ଆରମ୍ଭ ହେଉଥିବାରୁ ପୂରା ଓଡ଼ିଶାରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି ।