spot_img

Latest Posts

ଶ୍ରୀମନ୍ଦିରରେ ଆଜି ଶ୍ରଦ୍ଧାଳୁଙ୍କୁ ରାଜରାଜେଶ୍ବରୀ ବେଶରେ ଦର୍ଶନ ଦେବେ ମହାପ୍ରଭୁ ଜଗନ୍ନାଥ

ଶ୍ରୀମନ୍ଦିରରେ ଆଜି ଶ୍ରଦ୍ଧାଳୁଙ୍କୁ ରାଜରାଜେଶ୍ବରୀ ବେଶରେ ଦର୍ଶନ ଦେବେ ମହାପ୍ରଭୁ ଜଗନ୍ନାଥ

ନନ୍ଦିଘୋଷ ବ୍ୟୁରୋ: ଆଜି ପବିତ୍ର ପୌଷପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ଦେବାଭିଷେକ ନୀତି ଅନୁଷ୍ଠିତ ହେଉଛି । ଏହି ଅବସରରେ ମହାପ୍ରଭୁ ରାଜରାଜେଶ୍ଵର ବା ସୁନାବେଶରେ ବିଭୂଷିତ ହୋଇ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ । ଅଧିବାସ ହୋଇ ରହିଥିବା ଘିଅ ମିଶ୍ରିତ ୧୦୮ ଗରା ଜଳରେ ଚନ୍ଦନ ଲାଗି ପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଅଭିଷେକ କରାଯିବ ।

ସକାଳଧୂପ ନୀତି ପରେ ସ୍ୱର୍ଣ୍ଣ ଓ ରତ୍ନ ଖଚିତ ଅଳଙ୍କାରରେ ମହାପ୍ରଭୁ ଭୂଷିତ ହେବା ପରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବାର ପରମ୍ପରା ରହିଛି । ଶ୍ରୀମସ୍ତକରେ କିରିଟ, ପାଦରେ ଶ୍ରୀପୟର, ହାତରେ ଶ୍ରୀଭୂଜ, ହରିଡାମାଳ, ବାହାଡା ମାଳ, ସେବତୀମାଳ, ଆଡକାନି, ଚନ୍ଦ୍ର ସୂର୍ଯ୍ୟ ଆଦି ବିବିଧ ପ୍ରକାରର ସ୍ୱର୍ଣ୍ଣ ଅଳଙ୍କାରରେ ଭୂଷିତ ହୋଇ ରାଜରାଜେଶ୍ୱର ବେଶରେ ଭକ୍ତଗଣଙ୍କୁ ଦର୍ଶନ ଦେବେ ।

ଶ୍ରୀଜୀଉଙ୍କ ଦ୍ୱାଦଶ ଯାତ୍ରା ମଧ୍ୟରୁ ପୁଷ୍ୟାଭିଷେକ ନୀତି ଅନ୍ୟତମ ଉତ୍ସବ । ପ୍ରଭୁ ଶ୍ରୀରାମଚନ୍ଦ୍ର ୧୪ ବର୍ଷ ବନବାସ ପରେ ଆଜିର ଦିନରେ ଅଯୋଧ୍ୟାକୁ ପ୍ରତ୍ୟାବର୍ତ୍ତନ କରି ସିଂହାସନରେ ଅଧିଷ୍ଠିତ ହୋଇଥିଲେ । ସେଥିପାଇଁ ଶ୍ରୀମନ୍ଦିରରେ ପୌଷପୂର୍ଣ୍ଣିମା ଅର୍ଥାତ ଆଜିର ଦିନରେ ରତ୍ନସିଂହାସନରେ ମହାପ୍ରଭୁଙ୍କର ଅଭିଷେକ ନୀତି ସଂପନ୍ନ ହୋଇଥାଏ । ବର୍ଷକ ମଧ୍ୟରେ ୫ ଥର ମହାପ୍ରଭୁ ସୁନେବେଶରେ ଦର୍ଶନ ଦେଉଥିବା ବେଳେ ଆଜିର ଦିନରେ ସୁନାବେଶରେ ମହାପ୍ରଭୁଙ୍କୁ ଦର୍ଶନ କଲେ ଅଶେଷ ପୁଣ୍ୟ ମିଳିଥାଏ ବୋଲି ବିଶ୍ବାସ ରହିଛି ।

Latest Posts

Don't Miss