ଘରକୁ ଫେରିଲେ ଗଜପତିର ଜଗପତି, ଫେରାଇ ଆଣିଲା ଓଡ଼ିଶା ମୋ ପରିବାର

ଭୁବନେଶ୍ୱର: ବିଜେଡିର ସମାଜସେବା ୱିଙ୍ଗ୍ ‘ଓଡ଼ିଶା ମୋ ପରିବାର’ର ଉଦ୍ୟମ ଓ ସହଯୋଗ ସଫଳ ହେଲା । ଦୀର୍ଘ ୩୫ ବର୍ଷ ଧରି ପରିବାରଠାରୁ ବିଚ୍ଛିନ୍ନ ହୋଇ ରହିଥିବା ବ୍ୟକ୍ତି ଘରକୁ ଫେରିଲେ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏବଂ ‘ଓଡ଼ିଶା ମୋ ପରିବାର’ର ମିଳିତ ଉଦ୍ୟମ ତଥା ଗଜପତି ଜିଲ୍ଲାପାଳ ଓ ଶ୍ରମ କମିଶନ୍‌ ସହଯୋଗ ବଳରେ ଘରକୁ ଫେରିଛନ୍ତି ଜଗପତି କାର୍ଜି । ଗଜପତି ଜିଲ୍ଲା ଗୁମ୍ମା ବ୍ଲକର ଜଗପତି ୩୫ ବର୍ଷ ତଳେ ଜୀବିକା ନିର୍ବାହ ପାଇଁ ଅରୁଣାଚଳ ପ୍ରଦେଶ ଯାଇଥିଲେ । ସେଠାରେ ଦୀର୍ଘ ଦିନ ଧରି କାମ ମଧ୍ୟ କରିଥିଲେ । କିନ୍ତୁ ପରିଣତ ବୟସରେ ଆଉ କାମ ନମିଳିବାରୁ ସେ ଏକ ଜଙ୍ଗଲରେ ରହିବା ସହ ଜଙ୍ଗଲଜାତ ଦ୍ରବ୍ୟ ଓ ଫଳମୂଳ ଖାଇ ବଞ୍ଚିଥିଲେ ।

ସେଠାରେ ତାଙ୍କର ରହିବା ନେଇ କିଛି ପ୍ରବାସୀ ଓଡ଼ିଆ ଜାଣିବା ପରେ ‘ଓଡ଼ିଶା ମୋ ପରିବାର’ ସହ ଯୋଗାଯୋଗ କରିଥିଲେ । ଏନେଇ ନନ୍ଦିଘୋଷ ଟିଭିରେ ମଧ୍ୟ ଖବର ପ୍ରସାରଣ ହୋଇଥିଲା । ପରେ ଜଗପତିଙ୍କୁ ସେଠାରୁ ଫେରାଇ ଆଣି ପରିବାର ସହିତ ପୁନର୍ମିଳନ କରାଇବାକୁ ସମସ୍ତ ଉଦ୍ୟମ ଆରମ୍ଭ ହୋଇଥିଲା । ବିଜେଡିର ସମାଜସେବା ୱିଙ୍ଗ୍‌ ‘ଓଡ଼ିଶା ମୋ ପରିବାର’ ଓ ଗଜପତି ଜିଲ୍ଲା ପ୍ରଶାସନର ଉଦ୍ୟମରେ ଜଗପତିଙ୍କୁ ତାଙ୍କ ଗାଁକୁ ଫେରାଇ ଅଣାଯାଇଛି ।

ଏଥିପାଇଁ ‘ଓଡ଼ିଶା ମୋ ପରିବାର’ ପକ୍ଷରୁ ବିମାନ ଟିକେଟ ଏବଂ ଅନ୍ୟାନ୍ୟ ସମସ୍ତ ବନ୍ଦୋବସ୍ତ କରାଯାଇଥିଲା । ଆଗକୁ କିଭଳି ଜଗପତି ଓ ତାଙ୍କ ପରିବାର ସ୍ୱଚ୍ଛନ୍ଦରେ ଜୀବିକା ନିର୍ବାହ କରିପାରିବେ, ସେ ନେଇ ବ୍ୟବସ୍ଥା କରିବାକୁ ‘ଓଡ଼ିଶା ମୋ ପରିବାର’ ପକ୍ଷରୁ ଗଜପତି ଜିଲ୍ଲାପାଳଙ୍କୁ ଅନୁରୋଧ କରାଯାଇଛି ।

Leave a Reply