କିଏ ହାତେଇବ ଜଗତସିଂହପୁର ଲୋକସଭା ଆସନ ?

1 min read

ଜଗତସିଂହପୁର: କିଏ ହାତେଇବ ଜଗତସିଂହପୁର ଲୋକସଭା ଆସନ ? ବିଜେଡି ଗଡ଼ ଭାବେ ପରିଚିତ ଜଗତସିଂହପୁର ସଂସଦୀୟ କ୍ଷେତ୍ର । ୨୦୨୪ ନିର୍ବାଚନରେ ଚାରି ଲୋକସଭା ପ୍ରଥୀଙ୍କ ମଧ୍ୟରେ ହେବ କଡ଼ା ଟକ୍କର । ଚଳିତ ନିର୍ବାଚନରେ ଏଠାରେ ବିଜେଡିରୁ ଡାକ୍ତର ରାଜଶ୍ରୀ ମଲ୍ଲିକ, ବିଜେପି ପ୍ରାର୍ଥୀ ବିଭୁପ୍ରସାଦ ତରାଇ, କଂଗ୍ରେସ ପ୍ରାର୍ଥୀ ରବୀନ୍ଦ୍ର କୁମାର ସେଠୀ ଏବଂ ସିପିଆଇ ପ୍ରାର୍ଥୀ ହୋଇଛନ୍ତି ରମେଶ କୁମାର ସେଠୀ ।

ଜଗତସିଂହପୁର ଲୋକସଭା ଆସନଟି କାକଟପୁର, ନିମାପଡା, ନିଆଳି, ଜଗତସିଂହପୁର, ପାରାଦ୍ୱୀପ, ତିର୍ତ୍ତୋଲ, ବାଲିକୁଦା -ଏରସମା ବିଧାନସଭା ସିଟକୁ ନେଇ ଗଠିତ। ୨୦୧୯ରେ ସମସ୍ତ ବିଧାନସଭା ସିଟରେ ଜିତି କ୍ଲିନ ସୁଇପ କରିଥିଲା ବିଜେଡି । ଲୋକସଭା ସିଟରେ ବିଜୟ ବ୍ୟବଧାନ ଥିଲା ୨ ଲକ୍ଷରୁ ଅଧିକ। ବିଜେଡି ପ୍ରାଥୀ ରାଜଶ୍ରୀ ମଲ୍ଲିକ ପାଇଥିଲେ ପ୍ରାୟ ୬ ଲକ୍ଷ ୨୦ହଜାର ଭୋଟ୍। ୨୦୧୪, ୨୦୧୯ନିର୍ବାଚନ ଫଳାଫଳ ଦେଖିଲେ ବିଜେଡିର ରହିଛି ଷ୍ଟ୍ରଙ୍ଗ ହୋଲଡ । ଚବିଶ ନିର୍ବାଚନ ଯୁଦ୍ଧରେ ପୁରୁଣା ପ୍ରତିଦ୍ବନ୍ଦ୍ବୀ ହେଉଛନ୍ତି ସାମ୍ନାସାମ୍ନି। ବିଜେଡିରୁ ରାଜଶ୍ରୀ ମଲ୍ଲିକ, ବିଜେପିରୁ ବିଭୁପ୍ରସାଦ ତରାଇ ପ୍ରାର୍ଥୀ ହୋଇଛନ୍ତି । ଦ୍ୱିତୀୟ ଥର ପାଇଁ ଜଗତସିଂହପୁର ସଂରକ୍ଷିତ ଲୋକସଭା ଆସନରୁ ବିଜେଡି ପ୍ରାର୍ଥୀ ହୋଇଛନ୍ତି ଡକ୍ଟର ରାଜଶ୍ରୀ ମଲ୍ଲିକ। ବିଜେପିରୁ ପୁଣି ପ୍ରାର୍ଥୀ ହୋଇଛନ୍ତି ବିଭୁପ୍ରସାଦ ତରାଇ। ଗତ ୩ଟି ନିର୍ବାଚନରେ ଅଲଗା ଅଲଗା ଦଳରୁ ପ୍ରାର୍ଥୀ ହୋଇଛନ୍ତି ବିଭୁ । ୨୦୦୯ରେ ସିପିଆଇରୁ ଲଢ଼ି ସାଂସଦ ହୋଇଥିଲେ । କିନ୍ତୁ , ୨୦୧୪ରେ ଦଳ ବଦଳାଇ କଂଗ୍ରେସ ଓ ୨୦୧୯ରେ ବିଜେପି ଟିକେଟରେ ଲଢ଼ି ହାରିଛନ୍ତି ବିଭୁ ତରାଇ।

କଂଗ୍ରେସ ପକ୍ଷରୁ ଜଗତସିଂହପୁର ଲୋକସଭା ପାଇଁ ରବୀନ୍ଦ୍ର ସେଠୀଙ୍କୁ ଦଳ ଟିକେଟ ଦେଇଛି । ରବୀନ୍ଦ୍ର ପୂର୍ବରୁ ୨୦୧୪ରେ କାକଟପୁର ନିର୍ବାଚନମଣ୍ଡଳି ବିଧାୟକ ପ୍ରାର୍ଥୀ ଭାବେ ଲଢ଼ିଥିଲେ। କଂଗ୍ରେସ ୯ଟି ଗ୍ୟାରେଣ୍ଟିକୁ ନେଇ ଲୋକଙ୍କ ନିକଟତର ହେବେ ପ୍ରାର୍ଥୀ । ଚାଷୀଙ୍କୁ ପ୍ରତାରିତ କରୁଛନ୍ତି କେନ୍ଦ୍ରସରକାର। କୃଷି ଓ କୃଷକଙ୍କ ସମସ୍ୟା ନେଇ ଲୋକଙ୍କ ପାଖକୁ ଯିବେ ବୋଲି କହିଛନ୍ତି ପ୍ରାର୍ଥୀ । ସେହିପରି ଜଗତସିଂହପୁର ଲୋକସଭା ଆସନରୁ ଚଳିତ ସାଧାରଣ ନିର୍ବାଚନରେ ସିପିଆଇ ତରଫରୁ ରମେଶ ସେଠୀ ପ୍ରାର୍ଥୀ ହେବା ପରେ ଦଳକୁ ସୁଦୃଢ କରିବାକୁ ଲୋକଙ୍କ ନିକଟତର ହେଉଛନ୍ତି। ବିଭିନ୍ନ ସ୍ଥାନରେ ସିପିଆଇ ତରଫରୁ ରମେଶ ସେଠି ପହଂଚି ବୈଠକ ସହ କର୍ମୀ ସମ୍ମିଳନୀ କରୁଛନ୍ତି। ୨୦୨୪ ନିର୍ବାଚନ ପରୀକ୍ଷାରେ କିଏ କରିବ ବାଜିମାତ ତାହା ଉପରେ ରହିଛି ନଜର । କିନ୍ତୁ ଏଠାରେ ବିଜେଡି ଓ ବିଜେପି ମଧ୍ୟରେ କଡା ଟକ୍କର ହେବ ବୋଲି ଚର୍ଚ୍ଚା ହେଉଛି ।