ଋଷରୁ ତେଲକୁ ନେଇ ଆମେରିକା ଓ ପଶ୍ଚିମ ଦେଶଙ୍କୁ ଜୟଶଙ୍କରଙ୍କ ଜବାବ: ଇଚ୍ଛା ହେଲେ କିଣ, ନହେଲେ ନାହିଁ
1 min read
ନନ୍ଦିଘୋଷ ବ୍ୟୁରୋ: ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଋଷ ତେଲକୁ ନେଇ ଆମେରିକା ଓ ପଶ୍ଚିମ ଦେଶଙ୍କୁ ଦେଇଛନ୍ତି ଜବାବ । ଋଷ ସହ ଭରତର ଉର୍ଜା ସମ୍ପର୍କକୁ ସୁରକ୍ଷା ଦେବାକୁ ଯାଇ ଜୟଶଙ୍କର କହିଛନ୍ତି, ଆମେ ତେଲ କିଣୁଛୁ ନିଜର ଓ ବିଶ୍ବର ହିତ ପାଇଁ । ଆମେରିକା ସହ ଆଲୋଚନାରେ ବ୍ୟାପାର ପ୍ରତିବନ୍ଧକ ସାଜୁଛି । ହେଲେ ଭାରତ ସ୍ବାଧୀନ ଭାବେ ନିଷ୍ପତ୍ତି ନେବା ଜାରି ରଖିବ । ବିଦେଶ ମନ୍ତ୍ରୀ ଭାରତୀୟ ଶକ୍ତି ସୁରକ୍ଷା ଉପରେ ଗୁରୁତ୍ବ ଦେବା ସହ ଋଷ ପାଖରୁ ତେଲ କିଣିବାକୁ ନେଇ ହେଉଥିବା ଆଲୋଚନା ଉପରେ ଏହି ମତ ରଖିଛନ୍ତି ।
ଏସ. ଜୟଶଙ୍କର କହିଛନ୍ତି, ଏହା ହାସ୍ୟସ୍ପଦ ଯେ, ଆମେରିକା ନିଜେ ଋଷ ସହ ବେପାର କରୁଥିବା ବେଳେ ଏହାର ପ୍ରଶାସନିକ ଅଧିକାରୀ ଅନ୍ୟ ଉପରେ ବେପାର କରିବା ଅଭିଯୋଗ ଅଣୁଛନ୍ତି । ଯଦି ଆପଣଙ୍କୁ ଭାରତ ପାଖରୁ ତେଲ ଓ ରିଫାଇଣ୍ଡ ପ୍ରଡକ୍ଟ କିଣିବାରେ ଅସୁବିଧା ହେଉଛି ତେବେ କିଣ ନାହିଁ । ଏଥିପାଇଁ କେହି ତୁମକୁ ବାଧ୍ୟ କରୁନାହାନ୍ତି ।
ଭାରତ ଓ ଆମେରିକା ମଧ୍ୟରେ ବେପାରକୁ ନେଇ ତୁ ତୁ ମେଁ ମେଁ ଚାଲିଥିବା ବେଳେ ବୈଦେଶିକ ମନ୍ତ୍ରୀ ଏସ, ଜୟଶଙ୍କରଙ୍କର ଏହି ବୟାନ ଆସିଛି । ଆମେରିକା ଭାରତ ଉପରେ ୫୦ ପ୍ରତିଶତ ଟାରିଫ ଲଗାଇଛି । ଯେଉଁଥିରେ ୨୫ ପ୍ରତିଶତ ପେନାଲ୍ଟି ଟାରିଫ ରହିଛି । ଋଷ ପାଖରୁ ତେଲ କିଣିବା କାରଣରୁ ଭାରତ ଉପରେ ଏହି ଟାରିଫ ଲାଗିଛି ।
ଆଗକୁ ଜୟଶଙ୍କର କହିଛନ୍ତି, ୨୦୨୨ରେ ଯେତେବେଳେ ତେଲର ମୂଲ୍ୟ ବୃଦ୍ଧି ଘଟିଥିଲା, ସାରା ବିଶ୍ବ ଚିନ୍ତାରେ ଥିଲା । ସେତେବେଳେ କୁହାଯାଇଥିଲା ଭାରତ ଋଷ ପାଖରୁ ତେଲ କିଣିବାକୁ ଚାହୁଁଥିଲେ, କିଣୁ । କାରଣ, ଏହାଦ୍ବାରା ମୂଲ୍ୟ ସ୍ଥିର ହୋଇପାରିବ । ବଜାରରେ ସ୍ଥିରତା ରଖିବା ବି ଭାରତର ତେଲ କିଣିବାର ଅନ୍ୟ ଏକ ଉଦ୍ଦେଶ୍ୟ ଥିଲା । ତେଲ ମୂଲ୍ୟ ସ୍ଥିର ରଖିବାକୁ ଆମେ ଋଷ ପାଖରୁ କିଣୁଛୁ । ଏହାଦ୍ବାରା ଉଭୟ ଭାରତର ଜାତୀୟ ଓ ବୈଶ୍ବିକ ହିତ ହେଉଛି ।
ଆମକୁ ଋଷ ସହ ବେପାର ବଢ଼ାଇବାର ଆବଶ୍ୟକତା ରହିଛି । ମୋର ଋଷ ଗସ୍ତ ସମୟରେ ଆମେ ଦ୍ବିପାଖିକ ସମ୍ପର୍କ ଉପରେ ଗୁରୁତ୍ବ ଦେଇଛୁ । ୟୁକ୍ରେନ ଯୁଦ୍ଧକୁ ନେଇ ଆରମ୍ଭରୁ ଋଷର ନୀତି ସ୍ପଷ୍ଟ ରହିଛି । ଆମେ ଏହି ପ୍ରସଙ୍ଗରେ ଶୀଘ୍ର ସମାଧାନ ଚାହୁଁଛୁ ।
ସୂଚନାଯୋଗ୍ୟ, ବିଦେଶ ମନ୍ତ୍ରୀ ଏସ. ଜୟଶଙ୍କର ୧୯ ଅଗଷ୍ଟରୁ ୨୧ ଅଗଷ୍ଟ ପର୍ଯ୍ୟନ୍ତ ଋଷ ଗସ୍ତରେ ଯାଇଥିଲେ । ସେଠାରେ ସେ ବେପାର, ଆର୍ଥିକ, ବେିଜ୍ଞାନ, ଟେକନିକ ଓ ସାଂସ୍କୃତିକ ସହଯୋଗ ଉପରେ ଆୟୋଜିତ ଭାରତ-ଋଷ ଇଣ୍ଟରନ୍ୟାସନାଲ କମିଶନର ୨୬ତମ ସଂସ୍କରଣର ସହ-ଅଧ୍ୟକ୍ଷତା କରିଥିଲେ ।