ଯାଜପୁରରେ ଡାଇରିଆ ଆତଙ୍କ, ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି

ନନ୍ଦିଘୋଷ ବ୍ୟୁରୋ: ଯାଜପୁର ଜିଲ୍ଲାରେ ଡାଇରିଆ ବଢ଼ିବାରେ ଲାଗିଛି। ମୃତ୍ୟୁ ସଂଖ୍ୟା ୪ ରେ ପହଞ୍ଚିଲାଣି । ଏହି ସୂଚନା ଦେଇନ୍ତି ଯାଜପୁର ସିଡିଏମଓ ପ୍ରକାଶ ଚନ୍ଦ୍ର ବଳ। ଗତକାଲି ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପରେ ଆଉ ଦୁଇ ଜୀବନ ଯାଇଛି। ଏହା ସହିତ ବହୁତ ଲୋକ ଆକ୍ରାନ୍ତ ହୋଇ ବିଭିନ୍ନ ହସପିଟାଲରେ ଚିକିତ୍ସିତ ହେଉଛନ୍ତି। ୫ ଶହରୁ ଅଧିକ ଲୋକ ଡାଇରିଆରେ ଆକ୍ରାନ୍ତ ହୋଇଥିଲେ। ପରିସ୍ଥିତି ଉପରେ ନଜର ରଖିବାକୁ ନିଜେ ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ ବି ଯାଇଥିଲେ। ସ୍ଵତନ୍ତ୍ର ଡାକ୍ତରୀ ଟିମ୍ ସେଠାରେ  ପହଞ୍ଚି ଚିକିତ୍ସା କରୁଛନ୍ତି।  ଏକ ଭୋଜି ଖାଇବା ପରେ ଝାଡ଼ାବାନ୍ତି ବ୍ୟାପିଥିଲା। ପରେ ସ୍ଵାସ୍ଥ୍ୟ ସଚିବ ସ୍ପଷ୍ଟ କରିଥିଲେ ଯେ, ଡାଇରିଆର ବ୍ୟାକଟେରିଆ ମିଳିଛି। ୩ ଦିନ ମଧ୍ୟରେ ବ୍ୟାସନଗର, ଯାଜପୁର ପୌରାଞ୍ଚଳ ସମେତ ଧର୍ମଶାଳା, ରସୁଲପୁର, କୋରାଇ ଓ ଦାନଗଦି ଓ ସୁକିନ୍ଦା ଆଦି ୬ ଟି ବ୍ଲକରେ ଝାଡାବାନ୍ତି ରୋଗରେ ୬୦୦ରୁ ଉର୍ଦ୍ଧ୍ବ ରୋଗୀ ଆକ୍ରାନ୍ତ ହୋଇଥିଲେ। ଅର୍ଦ୍ଧାଧିକ ଲୋକ ଚିକିତ୍ସିତ ହୋଇ ସୁସ୍ଥ ଅବସ୍ଥାରେ ଘରକୁ ଫେରିଲେଣି। ରାଜ୍ୟ ଏବଂ ଜିଲ୍ଲା ସ୍ବାସ୍ଥ୍ୟ ଟିମ୍ ସହିତ ବିଭିନ୍ନ ସ୍ବାସ୍ଥ୍ୟ ଅନୁଧ୍ୟାନକାରୀ ଦଳ ମେଡିକାଲ୍ ଓ ଅଞ୍ଚଳ ଗସ୍ତ କରି ସ୍ଥିତି ନିୟନ୍ତ୍ରଣ ପାଇଁ ଉଦ୍ୟମ ଜାରି ରଖିଛନ୍ତି। ବିଭିନ୍ନ ପ୍ରକାରର ନମୁନା ସଂଗ୍ରହ କରାଯାଇ ପରୀକ୍ଷାନିରୀକ୍ଷା ପାଇଁ ପଠାଯାଇଛି।

ମେଡ଼ିକାଲ ଟିମ୍ ଦ୍ଵାରା ଖାଦ୍ୟ ଜନିତ କାରଣ ବା ଫୁଡ୍ ପୟୋଜନ ପାଇଁ ଏଭଳି ହୋଇଥିବା ଦର୍ଶାଯାଇଥିବା ବେଳେ ଏହାର ପ୍ରକୃତ କାରଣ ସ୍ପଷ୍ଟ ହୋଇପାରିନି। ଯାଜପୁର ରୋଡ଼ ମେଡିକାଲରେ ୨୬୦ ଜଣ ଆକ୍ରାନ୍ତ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ସୂଚନା ମିଳିଛି। ଏଠାରେ ବର୍ତମାନ ୫୫ଜଣ ଚିକିତ୍ସାଧୀନ ଥିବା ବେଳେ ୧୬ ଜଣ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ କଟକ ବଡ ମେଡିକାଲକୁ ସ୍ଥାନାନ୍ତର ହୋଇଛନ୍ତି। ଦାନଗଦି ମେଡିକାଲରେ ୭୮ ଜଣ ଆକ୍ରାନ୍ତ ଭର୍ତ୍ତି ହୋଇଛନ୍ତି। କୋରେଇ ମେଡ଼ିକାଲରେ ଏବେ ସୁଦ୍ଧା ୮୯ ଜଣ ଆକ୍ରାନ୍ତ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ବେଳେ ୫୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଅନ୍ୟମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ବର୍ତମାନ ଏଠାରେ ୧୩ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।  … ଅଭିଯୋଗ ଅନୁସାରେ ଆଉ ୨ଜଣଙ୍କ ମୃତ୍ୟୁ ହୋଇଛି। ସ୍ଥାନୀୟ ଲୋକେ ଏହା କହିଛନ୍ତି। କିନ୍ତୁ ପ୍ରଶାସନ ପକ୍ଷରୁ ଏ ସଂପର୍କରେ କିଛି ସ୍ପଷ୍ଟ କରାଯାଇନାହିଁ।  …