ଯାଜପୁର କୁଆଖିଆରେ ମର୍ମନ୍ତୁଦ ଦୁର୍ଘଟଣା…

ଯାଜପୁର: ଯାଜପୁର କୁଆଖିଆରେ ମର୍ମନ୍ତୁଦ ଦୁର୍ଘଟଣା। ବାରବାଟୀ ଛକରେ ଓଭରବ୍ରିଜ ତଳକୁ ଖସିଲା ବସ। ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ଯୁ ହୋଇଥିବା ବେଳେ ୩୦ରୁ ଅଧିକ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ଯରେ ୪ ପୁରୁଷ ଓ ଜଣେ ମହିଳା ରହିଛନ୍ତି। ଗୁରୁତରଙ୍କୁ ଚିକିତ୍ସା ପାଇଁ କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ସାଢ଼େ ୮ଟାରୁ ୯ଟା ମଧ୍ୟରେ ଘଟିଥିଲା ଏହି ଦୁର୍ଘଟଣା। କାଳିଆ ନନା ନାମକ ଯାତ୍ରୀବାହୀ ସ୍ଲିପର ବସଟି ପୁରୀରୁ କୋଲକାତା ଅଭିମୁଖେ ଯାଉଥିବା ସମୟରେ ଯାଜପୁର ବାରବାଟୀ ଛକ ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡ଼ ବ୍ୟାରିକେଡ଼ରେ ପିଟି ହୋଇ ଓଭରବ୍ରିଜ ତଳକୁ ଖସି ପଡିଥିଲା। ପ୍ରଥମେ ସ୍ଥାନୀୟ ଲୋକେ ଏବଂ ପରେ ପୋଲିସ ଓ ଅଗ୍ନିଶମ ବାହିନୀର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ବସରେ ଥିବା ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ। ଆହତ ଯାତ୍ରୀଙ୍କୁ ପ୍ରଥମେ ଧର୍ମଶାଳା ମେଡିକାଲକୁ ନିଆଯାଇଥିଲା। ପରେ ଗୁରୁତରଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଯାଜପୁର ଜିଲ୍ଲାପାଳଙ୍କ ସମେତ ଯାଜପୁର ଏସପି, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଓ ଧର୍ମଶାଳା ବିଧାୟକ ଦୁର୍ଘଟଣା ସ୍ଥଳ ଏବଂ ଧର୍ମଶାଳା ମେଡ଼ିକାଲରେ ପହଞ୍ଚି ସ୍ଥିତି ପରଖିଥିଲେ।

ସେପଟେ ଦୁର୍ଘଟଣାଗ୍ରସ୍ତ ବସକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ। ଅନ୍ୟପଟେ ବିଳମ୍ବିତ ରାତିରେ ରାଜ୍ୟ ସଡକ ଓ ପରିବହନ ବିଭାଗର ବରିଷ୍ଠ ଅଧିକାରୀମାନେ ଦୁର୍ଘଟଣାସ୍ଥଳରେ ପହଞ୍ଚି ଘଟଣାର ଛାନବିନ୍ ଆରମ୍ଭ କରିଛନ୍ତି। ତେବେ ବସ୍ ଚାଳକଙ୍କ ତୃଟି ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ପରିବହନ ବିଭାଗର ଅତିରିକ୍ତ କମିସନର କହିଛନ୍ତି। ଏଥିସହିତ ସମ୍ପୃକ୍ତ ବସ୍ ଚାଳକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ ସେ କହିଛନ୍ତି।