ଯାଜପୁର ରୋଡ୍‌ ଟ୍ରେନ ଟ୍ରାଜେଡିର ପୋଷ୍ଟମର୍ଟମ ଆରମ୍ଭ, କାହା ଭୁଲ ପାଇଁ ଚାଲିଗଲା ୬ଟି ଜୀବନ

ଯାଜପୁର: କେମିତି ଗଡ଼ିଗଲା ବିନା ଇଞ୍ଜିନରେ ଟ୍ରେନ ? କାହାର ଭୁଲ ପାଇଁ ଚାଲିଗଲା ୬ଟି ଜୀବନ । କେତେ ଦିନ ହେଲା ଟ୍ରାକରେ ଠିଆ ହୋଇଥିଲା ବିନା ଇଞ୍ଜିନର ଏହି ମାଲଗାଡ଼ି ବଗି । ଯାଜପୁର ରୋଡ୍ ଟ୍ରେନ ଟ୍ରାଜେଡିର ଚାଲିଛି ପୋଷ୍ଟ ମର୍ଟମ । ସରଜମିନ ତଦନ୍ତରେ ଲାଗିଛନ୍ତି ରେଳବାଇର ଚାରିଜଣିଆ ତଦନ୍ତକାରୀ ଦଳ । ଘଟଣା ସ୍ଥଳ ପରିଦର୍ଶନ ସହ ସେଫଟି ସମ୍ବନ୍ଧୀୟ ଟିକିନିଖି ଯାଞ୍ଚ କରିଛି ଟିମ୍ । ଗତକାଲି ଡିଆରଏମ, ଏଡିଆରଏମ୍, ସେଫ୍ଟି ବିଭାଗର ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଘଟଣାରେ ପଚରାଉଚରା କରିଥିଲେ ।

ଟ୍ରେନ ଦୁର୍ଘଟଣା ପରେ ପୁଣି ମାନବିକତା ଦେଖାଇଲା ବିଜେଡି । ଏଥିରେ ମୃତାହତ ହୋଇଥିବା ଶୋକସନ୍ତପ୍ତ ପରିବାରକୁ ଭେଟିଛନ୍ତି ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ଗମ୍ଭାରିଆ, ବାଲିଆପାଳ ଏବଂ ଓଶଳାରେ ପହଞ୍ଚି ପ୍ରତି ମୃତକଙ୍କ ପରିବାରକୁ ବ୍ୟକ୍ତିଗତ ଭାବେ ଏକ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରିଛନ୍ତି । ସେପଟେ ଶବ ସତ୍କାର ଓ ଶୁଦ୍ଧି କ୍ରିୟା ଲାଗି ଜିଲ୍ଲା ରେଡକ୍ରସ୍ ସୋସାଇଟିରୁ ମଧ୍ୟ ସମସ୍ତ ମୃତକଙ୍କ ପରିବାରକୁ ୨୦ ହଜାର ଲେଖାଏଁ ଟଙ୍କା ପ୍ରଦାନ କରାଯାଇଛି । ଗତକାଲି ଶୋକ ପ୍ରକାଶ କରିବା ସହ ମୃତକଙ୍କ ଆତ୍ମୀୟଙ୍କ ପାଇଁ ୫ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ସହାୟତା ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ତିନି ଗାଁର ଗ୍ରାମବାସୀ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ଟ୍ରେନ ଅଘଟଣ ପରେ ଗାଁରେ ଶୋକର ଛାୟା । ଶୋକାକୁଳ ପରିବେଶ । ଖବର ଆସିବା ପରେ ଗାଁରେ ଚୂଲି ଜଳୁନି । ଶବ ବ୍ୟବଚ୍ଛେଦ ପରେ ଗତକାଲି ବିଳମ୍ବିତ ରାତିରେ ଜନ୍ମମାଟିରେ ୫ ଜଣଙ୍କ ଚିତା ଜଳିଛି । ଆଜି ଆଉ ଜଣେ ମୃତକଙ୍କ ଶବ ସତ୍କାର କରାଯାଇଛି । ମୃତକଙ୍କ ମଧ୍ୟରେ ବାଲିଆପାଳ ଗାଁର ପ୍ରଶାନ୍ତ ଜେନା, ସୁଶାନ୍ତ ଜେନା, ଓ ଭୀମସେନ ଜେନା ଗୋଟିଏ ବଂଶର ବୋଲି ଜଣାପଡିଛି । ସେହିପରି ଗମ୍ଭାରିଆ ଗାଁର ମାନସ କୁମାର ସାମଲ ଓ ଗୌତମ କୁମାର ସାମଲଙ୍କ ଅନ୍ତ୍ୟେଷ୍ଟି ସରିଛି । ଅନ୍ୟ ମୃତକ ଜଣକ ହେଲେ ଓସଳା ଗାଁର ଦୋଳଗୋବିନ୍ଦ ପ୍ରଧାନ ।

କାଳ କେମିତି ଆସିବ କହିବା ମୁସ୍କିଲ । ଗତକାଲି ଯାଜପୁର ରୋଡ୍ ଟ୍ରେନ୍ ଦୁର୍ଘଟଣା ଏହା ସୂଚାଇ ଦେଇଛି । ଅବହେଳା ହେଉ ବା ଭୁଲବଶତଃ ଗତକାଲି କାଳବୈଶାଖୀ ବର୍ଷାରୁ ବର୍ତ୍ତିବାକୁ ଯାଇ ଚାଲିଯାଇଛି ୬ଟି ଅମୂଲ୍ୟ ଜୀବନ । ବିନା ଇଞ୍ଜିନରେ ଏହି ବଗିଗୁଡିକ ଗଡ଼ିବାରୁ ଚାପି ହୋଇଯାଇଥିଲେ ଖଲାସୀ ଶ୍ରମିକ ।