ଜମ୍ମୁ ଓ କାଶ୍ମୀର ଲୋକଙ୍କୁ ସ୍ଥାନୀୟ ପୋଲିସର ଅପିଲ୍; ବିପଦ ଟଳିନି, ଘରକୁ ନ ଫେରି ସୁରକ୍ଷିତ ସ୍ଥାନରେ ରୁହନ୍ତୁ

ନନ୍ଦିଘୋଷ ବ୍ୟୁରୋ: ଅସ୍ତ୍ରବିରତି ପରେ ସୀମାରେ ସ୍ଥିତି ସୁଧୁରିବାରେ ଲାଗିଛି । ଗୁଳିଗୋଳା ମାଡ଼ ବନ୍ଦ ହୋଇଛି, ବିସ୍ଫୋରଣର ଶବ୍ଦ ଆଉ ଶୁଭୁନି । ତଥାପି ବିପଦ ଟଳିନି । ଏଥିପାଇଁ ଯୁଦ୍ଧ ସ୍ଥିତି ବେଳେ ଘର ଛାଡ଼ିଥିବା ଲୋକଙ୍କୁ ଏବେ ନ ଫେରିବାକୁ ସ୍ଥାନୀୟ ପୋଲିସ ଅନୁରୋଧ କରିଛି । ପୋଲିସ ପକ୍ଷରୁ କୁହାଯାଇଛି, ପାକିସ୍ତାନୀ ଗୋଳା, ବାରୁଦ ଏବେ ବି ବିଭିନ୍ନ ସ୍ଥାନରେ ପଡ଼ିଛି । ତେଣୁ ଯେଉଁ ସୁରକ୍ଷିତ ସ୍ଥାନରେ ଅଛ ସେଇଠି ରହିଥାଅ । ସୂଚନାଯୋଗ୍ୟ, ଯୁଦ୍ଧ ସ୍ଥିତି ସୃଷ୍ଟି ହେବା ପରେ ସୀମାନ୍ତ ବାରାମୁଲା, ବାନ୍ଦିପୋରା ଓ କପଓ୍ବାଡ଼ା ଜିଲ୍ଲାର ଗାଁ ଗୁଡିକରୁ ୧ ଲକ୍ଷ ୨୫ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ।
ଜମ୍ମୁ ଓ କାଶ୍ମୀର ପୋଲିସ ପକ୍ଷରୁ କୁହାଯାଇଛି, ସୀମାନ୍ତ ଗାଁ ଲୋକେ ଏବେ ନିଜ ଘରକୁ ନଫେରନ୍ତୁ । ପାକିସ୍ତାନ ପକ୍ଷରୁ ଛଡ଼ା ଯାଇଥବା କିଛି ଗୋଳା, ବାରୁଦ ଏବେ ବି ନଫୁଟି ବିଭିନ୍ନ ସ୍ଥାନରେ ପଡ଼ି ରହିଛି । ତେଣୁ, ଏବେ ଘରକୁ ଫେରିବା ଜୀବନ ପ୍ରତି ବିପଦ ହୋଇପାରେ । ବୋମା ନିଷ୍କ୍ରିୟକାରୀ ଦଳ ଏସବୁ ଅଞ୍ଚଳକୁ ଯାଇ ଯାଞ୍ଚ କରିବା ସହ ଜୀବନ୍ତ ଗୋଳାବାରୁଦ ନିଷ୍କ୍ରିୟ କରାଯିବ ।