ନନ୍ଦିଘୋଷ ବ୍ୟୁରୋ: ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ଅଂଚଳରେ ଅଭାବନୀୟ ଘଟଣା। ଅନ୍ୟ ଜାତିର ଝିଅକୁ ବିବାହ କଲା ବୋଲି ଘରେ ପଶି ପୁଅର ଭଉଣୀ ଓ ମାଆକୁ ନିସ୍ତୁକ ମାଡ଼ ମାରିଲେ ଦୁର୍ବୃତ୍ତ। ବିବାହିତ ଝିଅକୁ ଘରୁ ଟେକି ନେଇ କାର ଭିତରେ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି।ପୁଅର ମାଆଙ୍କ ସହ ମଧ୍ୟ ଅସଦାଚରଣ କରିଥିବା ଭଳି ସାଂଘାତିକ ଅଭିଯୋଗ ଆଣିଛି ଦଳିତ ମହାସଂଘ। ମା, ଝିଅ ଉଭୟଙ୍କୁ ମରଣାନ୍ତକ ଆକ୍ରମଣ କରିବା ସହ ବର୍ବରକାଣ୍ଡ ଭିଆଇଛନ୍ତି ଦୁର୍ବୃତ୍ତ। ଏ ସମ୍ପର୍କରେ ଜଟଣୀ ପୋଲିସକୁ ଜଣାଇଥିଲେ ସୁଦ୍ଧା ନିରବଦ୍ରଷ୍ଟା ସାଜିଛି ପ୍ରଶାସନ। ଅଭିଯୋଗ ପରେ ବି ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବାରୁ ଅଭିଯୁକ୍ତଙ୍କୁ ଗିରଫ ଦାବି କରିଛି ଜାତୀୟ ଦଳିତ ଆଦିବାସୀ ମହାସଂଘ। ପୋଲିସ ପଦକ୍ଷେପ ଗ୍ରହଣ କରୁନଥିବାରୁ ପୁଅଙ୍କ ପରିବାର ଲୋକେ ପୋଲିସ ଡିଜିଙ୍କୁ ସାକ୍ଷାତ କରି ଅଭିଯୋଗ ଜଣାଇଛନ୍ତି। ଏଭଳି ଅମାନୁଷିକ କାଣ୍ଡ ଘଟାଇଥିବା ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛି ଜାତୀୟ ଦଳିତ ଆଦିବାସୀ ମାଇନୋରିଟି ମହାସଂଘ। ମା ଓ ଝିଅଙ୍କୁ ନ୍ୟାୟ ନ ମିଳିଲେ ଜଟଣୀ ଥାନା ଘେରାଉ କରାଯିବା ବୋଲି କହିଛନ୍ତି ମହାସଂଘ ସଭାପତି।

