ବିସ୍ଥାପିତଙ୍କୁ ସରକାରଙ୍କ ଅଣଦେଖା

ନନ୍ଦିଘୋଷ ବ୍ୟୁରୋ: ପ୍ରତିଶୃତି ପାଲଟିଲା ପ୍ରତାରଣା । ଜଟଣୀ ପୌରପରିଷଦ ଲୋକୋ କଲୋନୀରୁ ବିସ୍ଥାପିତ ହୋଇଥିବା ୨ ଶହ ପରିବାରକୁ ସରକାରଙ୍କ ଅଣଦେଖା ।  ସରକାର ରେଳବାଇ ପାଚେରୀ ସମ୍ପ୍ରସାରଣ କରିବା ପାଇଁ ସେମାନଙ୍କୁ ଉଚ୍ଛେଦ କରିଦେଲେ । ହେଲେ ଥଇଥାନ ନକରିବାରୁ କିଏ ଜରିପାଲ ତଳେ ତ କିଏ ଓଭରବ୍ରିଜ ତଳେ ଭାଗ୍ଯକୁ ଆଦରି ପଡି ରହିଛନ୍ତି । ଶୀଘ୍ର ଘର ଖଣ୍ଡେ ଯୋଗାଇଦେବାକୁ ଦାବି ।

ବିସ୍ଥାପିତଙ୍କୁ ସରକାରଙ୍କ ଅଣଦେଖା । ଘର ଭାଙ୍ଗିଲା ବେଳକୁ ବହୁ ପ୍ରତିଶୃତି ଦେଇଥିଲେ। ଅଥଚ ଏବେ ଭୁଲି ଯାଇଛନ୍ତି। ବାଧ୍ୟ ହୋଇ କିଏ ଟିଣ ଆଉ ଜରିପାଲ ଘରେ ପଡ଼ି ରହିଛି ତ କିଏ ରାସ୍ତା କଡ଼ରେ  ଜରି ପାଲ ଘେରାଉ କରି ରହୁଛନ୍ତି । ଆଉ କିଏ ତ ଫ୍ଲାଏ ଓଭର ତଳେ ଭଙ୍ଗା କୁଡିଆରେ ଭାଗ୍ୟକୁ ଆଦରି ପଡି ରହିଛନ୍ତି । ଏମାନେ ସମସ୍ତେ ଖୋର୍ଦ୍ଧା ଜିଲ୍ଲା ଜଟଣୀ ପୌରପରିଷଦ ୨୦ ନମ୍ବର ୱାର୍ଡର ଲୋକୋ   କଲୋନୀରେ ରହୁଥିଲେ । ସରକାର ରେଳବାଇ ପାଚେରୀ ସମ୍ପ୍ରସାରଣ କରିବା ପାଇଁ ସେମାନଙ୍କୁ ଉଚ୍ଛେଦ କରିଦେଲେ। ହେଲେ ଥଇଥାନ କରିବାକୁ ଭୁଲିଯିବାରୁ ଦୁର୍ଦ୍ଦିନରେ ୨ ଶହ ପରିବାର । ବିସ୍ଥାପିତମାନେ ବାରମ୍ବାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଖଣ୍ଡେ ଯୋଗାଇବାକୁ ଗୁହାରି କଲେ ବି କେହି ଶୁଣୁନାହାନ୍ତି ।

ବିସ୍ଥାପିତ ପରିବାରକୁ ସରକାରଙ୍କ ସୁବିଧା ସୁଯୋଗରୁ ବଞ୍ଚିତ କରାଯାଉଥିବା ଅଭିଯୋଗ ହୋଇଛି । ବିଜେଡି ସରକାର ଭୂମିହୀନ ମାନଙ୍କୁ ଜାଗା ମିଶନ ଜରିଆରେ ଥଇଥାନ କରିଥିଲେ । ହେଲେ ଏବର ସରକାର ଲୋକଙ୍କୁ ମିଛ ପ୍ରତିଶୃତି ଦେଇ ଭୁଲିଯାଇଥିବା ବିସ୍ଥାପିତ ଅଭିଯୋଗ କରିଛନ୍ତି। ସମସ୍ୟା ସଂପର୍କରେ ପୌରାଧ୍ୟକ୍ଷ କହିଛନ୍ତି, ଆମେ ଏ ବିଷୟରେ ସରକାରଙ୍କୁ ଅବଗତ କରାଇଛୁ । ଯଦି ସରକାର ଖୁବ ଶୀଘ୍ର ସମସ୍ୟାର ସମାଧାନ ନ କରନ୍ତି ତାହାଲେ ବିଭାଗୀୟ ମନ୍ତ୍ରୀଙ୍କ ବାସଭବନ ଆଗରେ ଧାରଣା ଦିଆଯିବ ବୋଲି ସେ ଚେତାବନୀ ଦେଇଛନ୍ତି ।