ଆସନ୍ତା ୧୩ ତାରିଖରେ ଜାତି ନନ୍ଦିଘୋଷ କନକ୍ଲେଭ: ଜାଣନ୍ତୁ କ’ଣ ହେବ ଏହି କାର୍ଯ୍ୟକ୍ରମରେ

1 min read

ଭୁବନେଶ୍ୱର: ଆସନ୍ତା ୧୩ ତାରିଖରେ ନନ୍ଦିଘୋଷ ଟିଭିକୁ ୧ ବର୍ଷ ପୂରିବ। ଏହି ଅବସରରେ ଆୟୋଜନ ହେବାକୁ ଯାଉଛି ସ୍ୱତନ୍ତ୍ର ଚିନ୍ତନ କାର୍ଯ୍ୟକ୍ରମ ଜାତି ନନ୍ଦିଘୋଷ କନକ୍ଲେଭ।ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ନିମନ୍ତ୍ରିତ ଅତିଥି ଭାବେ ଯୋଗ ଦେବେ ସାମ୍ବାଦିକ ପ୍ରଭୁ ଚାୱଲା। ଓଡ଼ିଶା ବିଷୟରେ ଚିନ୍ତା କରୁଥିବା ଏବଂ ଏହାର ଭାଷା, ସଂସ୍କୃତି, ଅର୍ଥନୀତି ଓ ରାଜନୀତିକୁ ଆଗକୁ ବଢ଼ାଇବା ଲାଗି ଚିନ୍ତା କରୁଥିବା ବିଶିଷ୍ଟ ବ୍ୟକ୍ତିମାନଙ୍କୁ ନେଇ ଏହି କାର୍ଯ୍ୟକ୍ରମରେ କିଛି ଗୁରୁତ୍ବପୂଣ୍ଣ ବିଷୟକୁ ଆଲୋଚନା କରାଯିବ। ସେଥିଲାଗି ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ୭ଟି ଅଧିବେଶନରେ ଭାଗ କରାଯାଇଛି। ଟେଲିଭିଜନ୍ ପରିଚାଳନା ପକ୍ଷରୁ ନେଇ ଆବଶ୍ୟକ ପ୍ରସ୍ତୁତି ଶେଷ ହୋଇଛି। ଆପଣ ମଧ୍ୟ ଏହି କାର୍ଯ୍ୟକ୍ରମରେ ଭାଗ ନେଇପାରିବେ। ଯେକୌଣସି ସ୍ଥାନରେ ଆପଣ ଟେଲିଭିଜନ୍ କିମ୍ବା ଆମ ୱେବ୍‌ସାଇଟ ଅଥବା ବିଭିନ୍ନ ସୋସିଆଲ୍ ମିଡିଆ ହ୍ୟାଣ୍ଡଲରେ ଏହି କାର୍ଯ୍ୟକ୍ରମକୁ ସିଧାସଳଖ ଦେଖିବା ସହ ମତାମତ ଦେଇପାରିବେ।
ଏହି କନକ୍ଲେଭରେ ନିଜ ନିଜର କୃତୀତ୍ବ ଓ ଅବଦାନ ଲାଗି ଓଡ଼ିଶାର ୨୧ ଜଣ ବିଶିଷ୍ଯ ବ୍ୟକ୍ତିଙ୍କୁ ସମ୍ମାନିତ କରାଯିବ। ଉଚ୍ଚପଦାଧିକାରୀ ତଥା ପ୍ରତିଷ୍ଠିତ ବ୍ୟକ୍ତିତ୍ୱଙ୍କୁ ସମ୍ମାନୀତ ମଧ୍ୟ କରାଯିବ। ସେମାନଙ୍କ ମଧ୍ୟରେ ଆଇପିଏସ୍ ସତ୍ୟଜିତ୍ ମହାନ୍ତି, ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ, ଓଡ଼ିଶା ମୋ ପରିବାରର ଆବାହକ ଅରୁପ ପଟ୍ଟନାୟକ, ସୋଆ ସଭାପତି ମନୋଜରଞ୍ଜନ ନାୟକ, ଅଭିନେତା ସବ୍ୟସାଚୀ ମିଶ୍ର, ଓଏସ ଟପ୍ପର ଦେବାଶୀଷ ପଣ୍ଡା, ଶିଳ୍ପପତି ସୌୟୁଦ ସିରାଜୁଦ୍ଦିନ, ପ୍ରବୋଧ ମହାନ୍ତି, ତାରାକାନ୍ତ ପଟ୍ଟନାୟକ, କରୋନା ବିଜ୍ଞାପନ ମାଧ୍ୟମରେ ଘରେ ଘରେ ପରିଚିତ ହୋଇଥିବା କରୋନା ମାଉସୀ ବିଜୟଲକ୍ଷ୍ମୀ ପ୍ରହରାଜ, ବୈଜ୍ଞାନିକ ଓମ୍ ବେବର୍ତା, ଐତିହ୍ୟ ସଂରକ୍ଷକ ଅନିଲ୍ ଧିର୍, ପ୍ରତୀକ ପଟ୍ଟନାୟକ, ଟ୍ୱିଟର ଗର୍ଲ ଦୀପା ବାରିକ, କତାରସ୍ଥିତ ପ୍ରବାସୀ ଓଡ଼ିଆ ସଂଗଠନ ଉତ୍କଳିକା କତାର ପ୍ରଭୃତି ସାମିଲ ରହିଛନ୍ତି।

ଏମାନଙ୍କ ବ୍ୟତୀତ, କରୋନାରେ ପ୍ରାଣ ହରାଇଥିବା କରୋନା ଯୋଦ୍ଧା ସାମ୍ବାଦିକ ପ୍ରବୀର ପ୍ରଧାନ, ତାରିଣୀ ପାଢ଼ୀ ଏବଂ ରୁଦ୍ର ମହାପାତ୍ରଙ୍କ ପରିବାର ବର୍ଗଙ୍କୁ ମଧ୍ୟ ସମ୍ମାନୀତ କରାଯିବ। ପ୍ରଥମ ଅଧିବେଶନରେ ‘ବିକାଶ ଧାରାରେ କେନ୍ଦ୍ର-ରାଜ୍ୟ ସମ୍ପର୍କ’ ପ୍ରସଙ୍ଗକୁ ନେଇ ଆଲୋଚନା ହେବ। ଏଥିରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ପୂର୍ବତନ ବିଜେପି ସାଂସଦ ଖାରବେଳ ସ୍ୱାଇଁ, ବିଜେଡି ସାଂସଦ ଅମର ପଟ୍ଟନାୟକ ନିଜର ମତାମତ ରଖିବେ।

ଦ୍ୱିତୀୟ ଅଧିବେଶନରେ ‘ମହାମାରୀ ପରର ଅର୍ଥନୀତି’ ପ୍ରସଙ୍ଗରେ ଆଲୋଚନା ହେବ। ଏଥିରେ କୋରାପୁଟ ସେଣ୍ଟ୍ରାଲ ୟୁନିଭରସିଟିର ପ୍ରୋ ଭାଇସ୍ ଚ୍ୟାନେଲର ପ୍ରଫେସର କ୍ଷିତିଶ୍ ଭୂଷଣ ଦାସ ଓ ଅର୍ଥନୀତିଜ୍ଞ ବିଜୟ କୁମାର ସାହୁ ଭାଗନେବେ। ସେହିପରି ତୃତୀୟ ଅଧିବେଶନରେ ‘ଓଡ଼ିଶାର ରୂପାନ୍ତର’ ପ୍ରସଙ୍ଗ ଆଲୋଚନା ହେବାକୁଥିବାବେଳେ ଏଥିରେ ଓଡ଼ିଶାର ଉନ୍ନୟନ କମିଶନର ପ୍ରଦୀପ ଜେନା, ନାଲ୍କୋ ସିଏମଡି ଶ୍ରୀଧର ପଣ୍ଡା, କିମ୍ବଦନ୍ତୀ ହକି ଖେଳାଳୀ ଦିଲ୍ଲୀପ ତ୍ତିର୍କୀ ଭାଗନେବେ।

ଚତୁର୍ଥ ଅଧିବେଶନରେ ସିନେମା ଏବଂ ସୋସିଆଲ ମିଡିଆ ସମ୍ପର୍କରେ ଆଲୋଚନା ହେବ ଏବଂ ଏଥିରେ ଅଭିନେତା ସବ୍ୟସାଚୀ ମିଶ୍ର, ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ସିନେମା ସମୀକ୍ଷକ ପିୟୁଷ ରାୟ ଭାଗନେବେ। ପଞ୍ଚମ ଅଧିବେଶନରେ ’ଓଡ଼ିଆ ସାହିତ୍ୟ- ଆସନ୍ତା କାଲି’ ପ୍ରସଙ୍ଗରେ ଆଲୋଚନା ହେବାକୁଥିବାବେଳେ ପ୍ରତିଷ୍ଠିତ ଲେଖକ ବିଭୁତି ପଟ୍ଟନାୟକ, ସାହିତ୍ୟ ଏକାଡେମୀ ସଭାପତି ହରିହର ମିଶ୍ର, ଲେଖିକା ଅପର୍ଣ୍ଣା ମହାନ୍ତି ପ୍ରମୁଖ ଆଲୋଚନାଚକ୍ରରେ ସାମିଲ ହେବେ।

ଉତ୍ସବ ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହେବ। ଏହିସମୟରେ କଣ୍ଠଶିଳ୍ପୀ ନାଜିୟା ଆଲମ, ମହାପ୍ରସାଦ କର ଏବଂ ସନ୍ଦିପ ପାଲିତ ପ୍ରମୁଖଙ୍କ କଣ୍ଠ ସ୍ବରରେ ଦର୍ଶକ ବିମୋହିତ ହେବେ।

Leave a Reply