ଆଜି ବେଙ୍ଗାଳୁରୁ ଫେରିପାରନ୍ତି ଜେଡିଏସ ସାଂସଦ, କାଲି SITରେ ହାଜର

1 min read

ବେଙ୍ଗାଲୁରୁ: ଅଶ୍ଳୀଳ ଭିଡିଓ ମାମଲାରେ ଆଜି ଜର୍ମାନୀ ଫ୍ରାଙ୍କଫର୍ଟରୁ ବେଙ୍ଗାଳୁରୁ ଫେରିପାରନ୍ତି ଜେଡିଏସ ସାଂସଦ ପ୍ରଜ୍ବଳ ରେବନ୍ନା । ସେ ପହଞ୍ଚିବା ମାତ୍ରେ ତାଙ୍କୁ ବିମାନ ବନ୍ଦରରୁ ନିଜ ହେପାଜତକୁ ନେବ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍ । ସେ ଏସଆଇଟି ଆଗରେ ବୟାନ ରଖିବେ । ସିଆରପିସିର ଧାରା ୪୧-ଏ ଅନୁସାରେ ଏସଆଇଟି ନୋଟିସର ୨୪ ଘଣ୍ଟା ମଧ୍ୟରେ ହାଜର ହେବାର ନିୟମ ରହିଛି ।

ସେପଟେ ଏହି ମାମଲାରେ ସିଦ୍ଦରମୈୟା ସରକାର କାର୍ଯ୍ୟାନୁଷ୍ଠାନ ନେବାରେ ପଛଘୁଞ୍ଚା ଦେଉଛନ୍ତି ବୋଲି କେନ୍ଦ୍ରଗୃହ ମନ୍ତ୍ରୀ ଅମିତ ଶାହଙ୍କ ମନ୍ତବ୍ଯକୁ ସମାଲୋଚନା କରିଛନ୍ତି କର୍ଣ୍ଣାଟକ ଗୃହମନ୍ତ୍ରୀ ଜି. ପରମେଶ୍ବର । ଦୋଷୀକୁ ସୁରକ୍ଷା ଦେବାର କୌଣସି ଅଭିପ୍ରାୟ ନାହିଁ ବୋଲି ସେ କହିଛନ୍ତି । ଏହି ମାମଲାରେ କେବଳ ପ୍ରଜ୍ବଳ ନୁହନ୍ତି ତାଙ୍କ ବାପା ତଥା ଜେଡିଏସ ବିଧାୟକ ଏଚ.ଡି. ରେବନ୍ନାଙ୍କୁ ମଧ୍ୟ ନୋଟିସ ଜାରି ହୋଇଛି ।

ତେଣେ ପ୍ରଥମ ଥର ଲାଗି ବିବୃତି ରଖିଛନ୍ତି ହାସନ ସାଂସଦ ପ୍ରଜ୍ବଳ ରେବନ୍ନା । ସେ କହିଛନ୍ତି ଖୁବ୍ ଶୀଘ୍ର ସତ ପଦାକୁ ଆସିବ । ସେ ସିଆଇଡି ବେଙ୍ଗାଳୁରୁ ନିକଟରେ ହାଜର ହେବେ ବୋଲି ତାଙ୍କ ଓକିଲଙ୍କ ଜରିଆରେ ସୂଚନା ଦେଇଛନ୍ତି । ପ୍ରଜ୍ବଳଙ୍କ ପୂର୍ବତନ ଡ୍ରାଇଭର କାର୍ତ୍ତିକଙ୍କ ଫୋନକୁ ଏସଆଇଟି ଜବତ କରିଛି ଏବଂ ଡାଟା ରେଟ୍ରିଭାଲ ପଦକ୍ଷେପ ନେଇଛି । ପୂର୍ବରୁ କାର୍ତ୍ତିକ କହିଥିଲେ- ଭିଡିଓ କ୍ଲିପଗୁଡିକୁ ସେ କର୍ଣ୍ଣାଟକ ବିଜେପି ସଭାପତି ତଥା ଓକିଲ ଦେବରାଜ ଗୌଡଙ୍କୁ ଦେଇଛନ୍ତି ।

ଏହି ମାମଲାରେ ଉଭୟ ବାପା-ପୁଅଙ୍କ ବିରୋଧରେ ଆଇପିସିର ଧାରା ୩୫୪-ଏ, ୩୫୪-ଡି, ୫୦୬, ୬୦୯ ଅନୁସାରେ ମାମଲା ରୁଜୁ କରିଛି । ଏହି ବହୁଚର୍ଚ୍ଚିତ ମାମଲା ଲୋକଲୋଚନକୁ ଆସିବା ପୂର୍ବରୁ ଗତ ଏପ୍ରିଲ 26ରେ ସରିଥିଲା ଲୋକସଭା ନିର୍ବାଚନ। ହାସନ ଆସନରୁ ପୁଣି ଥରେ ପ୍ରାର୍ଥୀ ଅଛନ୍ତି ଜେଡିଏସ-ବିଜେପି ମେଣ୍ଟର ପ୍ରଜ୍ବଳ ରେବନ୍ନା।