ଲୋକସଭା ନିର୍ବାଚନ ବେଳେ ପାଟନାରେ ଜେଡିୟୁ ନେତାଙ୍କୁ ଗୁଳିକରି ହତ୍ୟା

ପାଟନା: ଭାରତରେ ନିର୍ବାଚନ ଆଚରଣ ବିଧି ଲାଗୁଥିବା ବେଳେ ବିହାରରେ ବଡ ଅଘଟଣ  । ଶାସକ ଦଳ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ପାର୍ଟି ଜନତା ଦଳ ୟୁନାଇଟେଡ (ଜେଡିୟୁ)ନେତାଙ୍କୁ ଗୁଳିକରି ହତ୍ୟା କରାଯାଇଛି  । ରାଜଧାନୀ ପାଟନାର ପୁନପୁନ ଅଞ୍ଚଳରେ ଏହି ହତ୍ୟା ପରେ ଚାଞ୍ଚଲ୍ୟ ଖେଳିଯାଇଛି  । ଏହି ଘଟଣା ପରେ ଉତ୍ତ୍ୟକ୍ତ ଲୋକେ ପାଟନା ପୁନପୁନ ରାସ୍ତା ଅବରୋଧ କରି ହଙ୍ଗାମା କରିଛନ୍ତି  ।

ପୁନପୁନର ପେମାର ଗାଁ ନିକଟ ବେଲଡିଆ ପୋଲ ନିକଟରେ ଜେଡିୟୁ ନେତା ସୌରଭ କୁମାରଙ୍କୁ ଅପରାଧୀମାନେ ଗୁଳିକରି ହତ୍ୟା କରିଛନ୍ତି  । ସୌରଭଙ୍କ ଜଣେ ବନ୍ଧୁ ଗୁଳିମାଡରେ ଆହତ ହୋଇଛନ୍ତି  । ପୋଲିସ ସୂଚନା ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି  । ସନ୍ଧାନୀ କୁକୁର ସହ ଫରେନ୍ସିକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଖୋଳତାଡ କରୁଛି  ।

ଜେଡିୟୁ ନେତା ସୌରଭ କୁମାର ବୁଧବାର ଦିନ ବିଳମ୍ବିତ ରାତିରେ ବଢେୟାଁ କୋଲ ଗାଁରୁ ଏକ ବିବାହ ଭୋଜିରୁ ଜଣେ ବନ୍ଧୁଙ୍କ ସହ ଫେରୁଥିୁଲେ  । ସୌରଭ ଗାଡି ଷ୍ଟାଟ୍‌ କରିବା ସମୟରେ ହିଁ କିଛି ଦୁର୍ବୃତ୍ତ ଆଖିବୁଜା ଗୁଳିମାଡ କରିଥିଲେ  । ସୌରଭଙ୍କ ମୁଣ୍ଡରେ ଗୁଳି ବାଜିଥିବାବେଳେ ତାଙ୍କ ବନ୍ଧୁଙ୍କ ପେଟ ଓ ଗୋଡରେ ଗୁଳି ବାଜିଥିଲା  । ଗୁଳି ଚଳାଇ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ  । ସ୍ଥାନୀୟ ଲୋକେ ଦୁହିଁଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ । କିନ୍ତୁ ଡାକ୍ତରଖାନାରେ ସୌରଭଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର  ।