ନନ୍ଦିଘୋଷ ବ୍ୟୁରୋ: ମହିଳା ବିଶ୍ବକପ କ୍ରିକେଟ୍ ଫାଇନାଲରେ ଭାରତ । ଅଷ୍ଟ୍ରେଲିଆକୁ ହରାଇ ଫାଇନାଲରେ ପ୍ରବେଶ କରିଛି ଭାରତ । ସେମିଫାଇନାଲ ମ୍ୟାଚରେ ଭାରତ ୫ ଓ୍ବିକେଟରେ ବିଜୟୀ ହୋଇଛି । ଏକ କଡ଼ା ସଂଘର୍ଷପୂର୍ଣ୍ଣ ମ୍ୟାଚରେ କଙ୍ଗାରୁ ଦଳକୁ ପରାସ୍ତ କରିଛି ଟିମ୍ ଇଣ୍ଡିଆ। ଫାଇନାଲରେ ଦକ୍ଷିଣ ଆଫ୍ରିକା ସହ ହେବ ଟାଇଟଲ ଲଢ଼େଇ । ଆସନ୍ତା ୨ ତାରିଖରେ ଖେଳାଯିବ ବିଶ୍ବକପ କ୍ରିକେଟ ଫାଇନାଲ ମ୍ୟାଚ୍ । ଆଜିର ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିଲା ଅଷ୍ଟ୍ରେଲିଆ । ଦଳ ୪୯ ଓଭର ୫ଟି ବଲରେ ସମସ୍ତ ଓ୍ବିକେଟ ହରାଇ କରିଥିଲା ୩୩୮ ରନ ।
ଅଷ୍ଟ୍ରେଲିଆ ପକ୍ଷରୁ ଫୋବେ ଲିଚଫିଲ୍ଡ ଶତକ ହାସଲ କରିଥିବା ବେଳେ, ଏଲିସେ ପେରି ୭୭ ଓ ଆସଲେ ଗାର୍ଡନର ୬୩ ରନ କରିଥିଲେ। ଜବାବରେ ୩୩୯ ରନର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିବାକୁ ଆସିଥିଲା ଭାରତ। ଆରମ୍ଭରୁ ମନୋବଳକୁ ଦୃଢ଼ କରି ଟାର୍ଗେଟ ହାସଲ ଲକ୍ଷ୍ୟରେ ବ୍ୟାଟିଂ କରିଥିଲା ଟିମ୍ ଇଣ୍ଡିଆ। ଭାରତ ପକ୍ଷରୁ ଜେମିମା ରୋଡ୍ରିଗ୍ସ ଅପରାଜିତ ରହି ଶତକ ହାସଲ କରିଥିଲେ। ସେହିପରି ଅଧିନାୟକ ହରମନପ୍ରୀତ କୌର ୮୯ ରନ କରିଥିଲେ। ଭାରତ ନିର୍ଦ୍ଧାରିତ ରନକୁ ୪୮ ଓଭର ୩ଟି ବଲରେ ୫ ଓ୍ବିକେଟ ହରାଇ ବାଜି ମାରି ନେଇଥିଲା। ଆସନ୍ତା ୨ ତାରିଖରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ହେବ ଟାଇଟଲ ଲଢ଼େଇ।

