ବଡ଼ ଘରୁ ବଡ଼ ଚୋରି, ୪୫୦ କୋଟି ମୂଲ୍ୟର ଗହଣା ଲୁଟିଲେ ଦୁର୍ବୃତ୍ତ

କୋଟିଏ କି ୨ କୋଟି ନୁହଁ ପୂରା ୪୫୦ କୋଟି ମୂଲ୍ୟର ଗହଣା ଚୋରି । ହୁଏତ ପୂର୍ବରୁ ଆପଣ ସିନେମା ଏଭଳି ବଡ଼ ଧରଣର ଚୋରି ହେଉଥିବା ଦେଖିଥିବେ । କିନ୍ତୁ ଏବେ ସତରେ ଘଟିଛି ଏଭଳି ଘଟଣା । ୩ରୁ ୪ଟି ଲେଖାଏଁ ସିସିଟିଭି ଖଞ୍ଚିତ ରୁମ୍‌, ୨୪ ଘଣ୍ଟିଆ କଡ଼ା ସୁରକ୍ଷା ଓ ଚେକ୍‌ ପଏଣ୍ଟକୁ ଚକ୍‌ମା ଦେଇ ଗହଣା ଲୁଟିନେଇଛନ୍ତି ଦୁର୍ବୃତ୍ତ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଲଣ୍ଡନ୍‌ରେ ।

ରେସିଂ କାର୍‌ ପ୍ରସ୍ତୁତକାରୀ କମ୍ପାନୀ ଫର୍ମୁଲା ଓ୍ୱାନର୍‌ ପୂର୍ବତନ ମାଲିକଙ୍କ ଝିଆ ତମାରା ଏକ୍ଳେଷ୍ଟନ୍‌ଙ୍କ ମେନସନ୍‌ ବା ବଙ୍ଗଳାରୁ ହୋଇଛି ଚୋରି । ୫୦ ମିଲିୟନ୍‌ ପାଉଣ୍ଡ ଅର୍ଥାତ ଭାରତୀୟ ମୁଦ୍ରାରେ ପ୍ରାୟ ୪୫୦ କୋଟି ଟଙ୍କାର ଗହଣା ଲୁଟିନେଇଛନ୍ତି ଦୁର୍ବୃତ୍ତ । ଲଣ୍ଡନ୍‌ ସ୍ଥିତ ବଙ୍ଗଳାରୁ ହୋଇଛି ଚୋରି । ତମାରା ବଡ଼ଦିନ ବା ଖ୍ରୀଷ୍ଟମାସ୍‌ ଛୁଟି କଟେଇବାକୁ ଦେଶ ବାହାରକୁ ଯାଇଥିବା ବେଳେ ଶୁକ୍ରବାର ରାତିରେ ଲୁଟ୍‌ ହୋଇଥିବା ସୂଚନା ।

tamara ecclestone

ଚୋରମାନେ ପ୍ରଥମେ ବଗିଚା ଦେଇ ପଶିଥିଲେ । ପରେ ତାଙ୍କ ରୁମ୍‌ରେ ଥିବା ଆଲମାରୀକୁ ଭାଙ୍ଗି ଲୁଟିଥିବା ଅନୁମାନ କରାଯାଉଛି । ବହୁ ଦାମୀ ମୁଦି, କାନର ଝୁମ୍‌କା ସହ ତାଙ୍କୁ ବିବାହରେ ଗିଫ୍ଟ ମିଳିଥିବା ୭୫ ଲକ୍ଷ ମୂଲ୍ୟର କାର୍ଟିୟର୍‌ ଚୁଡ଼ି ମଧ୍ୟ ଲୁଟିନେଇଛନ୍ତି ଦୁର୍ବୃତ୍ତ । ତେବେ ଏକ୍ଳେଷ୍ଟନ୍‌ଙ୍କ ପ୍ରବକ୍ତା କହିଛନ୍ତି ଯେ, ଘର ଉପରେ ଆକ୍ରମଣ ହୋଇଛି, ମାମଲାର ତଦନ୍ତ ନେଇ ପୋଲିସକୁ ବଙ୍ଗଳା ସୁରକ୍ଷା ଦାୟିତ୍ୱରେ ଥିବା କର୍ମୀ ସହଯୋଗ କରୁଛନ୍ତି ।

ତେବେ ୩ରୁ ୪ଟି ଲେଖାଏଁ ସିସିଟିଭି ଲଗିଥିବା ୫୭ଟି ରୁମ୍‌, ୨୪ ଘଣ୍ଟିଆ କଡ଼ା ସୁରକ୍ଷା ଓ ଚେକ୍‌ ପଏଣ୍ଟକୁ ଚକ୍‌ମା ଦେଇ ଲୁଟିବା ସାଧାରଣରେ ସମସ୍ତଙ୍କୁ ଚକିତ କରିଛି । ଅପରପକ୍ଷରେ ଏଯାଏଁ କେହିଁ ଚୋର ଧରାପଡ଼ିନଥିବା ସହ ଲୁଟ୍ ହୋଇଥିବା କୌଣସି ବି ଗହଣା ଜବତ ହୋଇନଥିବା ପୋଲିସ ପକ୍ଷରୁ କୁହାଯାଇଛି ।

Leave a Reply