ଝାଡଖଣ୍ଡ ପୋଲିସର ଦବଙ୍ଗଗିରି: ଷଢେ଼ଇକଳାରେ ଓଡ଼ିଆ ସାମ୍ବାଦିକ ଓ ବିବାହିତା ଓଡ଼ିଆ ମହିଳାଙ୍କୁ ଆକ୍ରମଣ

1 min read

ଭୁବନେଶ୍ୱର: ବିଚ୍ଛିନ୍ନାଞ୍ଚଳରେ ଝାଡଖଣ୍ଡ ପୋଲିସର ଦାଦାଗିରି । ଗଣମାଧ୍ୟମ ଉପରେ ପୋଲିସର ବର୍ବର ଆକ୍ରମଣ । ଝାଡଖଣ୍ଡ ଷଢେ଼ଇକଳାରେ ଜଣେ ବିବାହିତା ଓଡ଼ିଆ ମହିଳା ଓ ତାଙ୍କ ମାମୁଙ୍କୁ ପୋଲିସର ଆକ୍ରମଣ ଅଭିଯୋଗ । ଜଣେ ଓଡିଆ ସାମ୍ବାଦିକଙ୍କ କ୍ୟାମେରା ଛଡାଇ ନେଇଛି ପୋଲିସ । ଏହାକୁ ନେଇ ଷଢେ଼ଇକଳାର ଓଡ଼ିଆ ବାସିନ୍ଦାଙ୍କ ମଧ୍ୟରେ ତୀବ୍ର ଆଲୋଡ଼ନ ସୃଷ୍ଟି ହୋଇଛି । ଝାଡ଼ଖଣ୍ଡର ଦୁଇଟି ସାମ୍ବାଦିକ ସଂଘ ପକ୍ଷରୁ ପ୍ରଥମେ ପୁଲିସ ଥାନା ଓ ଫାଣ୍ଡି ସମ୍ମୁଖରେ ଧାରଣା ଦିଆଯିବା ପରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ଗଣମାଧ୍ୟମ ଉପରେ ଆକ୍ରମଣକୁ ନେଇ ଷଢେ଼ଇକଳାର ଓଡ଼ିଆ ସାମ୍ବାଦିକ ଓଡିଶା ସରକାରଙ୍କ ଦ୍ବାରସ୍ଥ ହେବେ ବୋଲି ନିଷ୍ପତ୍ତି ନେଇଛନ୍ତି । ଦୁଇ ଖାଣ୍ଟି ଓଡ଼ିଆ ଗଡ଼ଜାତ ରାଜ୍ୟ ଷଢେ଼ଇକଳା-ଖରସୁଆଁ ପ୍ରଥମେ ଓଡ଼ିଶାରେ ରହିଥିଲା । ପରେ ଏହା ବିହାର ଅଧୀନକୁ ଚାଲିଯାଇଥିଲା । ବର୍ତ୍ତମାନ ଏହା ଝାଡ଼ଖଣ୍ଡର ଏକ ଜିଲା ଭାବେ ରହିଛି । ଝାଡ଼ଖଣ୍ଡରେ ଓଡ଼ିଆ ଲୋକଙ୍କ ବିଭିନ୍ନ ସମସ୍ୟା ଅନୁଧ୍ୟାନ କରିବାକୁ ଝାଡ଼ଖଣ୍ଡ ବିଛିନ୍ନାଞ୍ଚଳ ଓଡ଼ିଆ ସାମ୍ବାଦିକ ସଂଘ ପକ୍ଷରୁ ଓଡିଶା ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟି ସ୍ମାରକପତ୍ର ଦେବାକୁ ସ୍ଥିର ହୋଇଥିବା ଜଣାପଡିଛି ।

ଓଡ଼ିଆ ସାମ୍ବାଦିକଙ୍କ ସୁରକ୍ଷା ଏବଂ ଅଣଓଡ଼ିଆ ଅଧିକାରୀଙ୍କ ଓଡ଼ିଆ ଲୋକ ଓ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ବିରୋଧରେ ସ୍ବର ଉଠିଛି । ଷଢେ଼ଇକଳା-ଖରସୁଆଁ ପରି ଦୁଇଟି ଖାଣ୍ଟି ଓଡ଼ିଆ ଗଡ଼ଜାତ ରାଜ୍ୟକୁ ଓଡ଼ିଶାକୁ ପୁଣି ଫେରାଇ ଆଣିବା ପାଇଁ ଷଢେ଼ଇକଳାର ବରିଷ୍ଠ ଓଡ଼ିଆ ସାମ୍ବାଦିକ କାର୍ତ୍ତିକ କୁମାର ପରିଚ୍ଛା ଦାବି କରିଛନ୍ତି । ଏ ସଂପର୍କରେ ଭୁବନେଶ୍ୱରରେ ଶୀଘ୍ର ଏକ ସାମ୍ବାଦିକ ସମ୍ମିଳନୀ ଡାକିବା ସହିତ ଓଡ଼ିଶା ସରକାରଙ୍କ ହସ୍ତକ୍ଷେପ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ନିବେଦନ କରାଯିବ ବୋଲି ସେ କହିଛନ୍ତି ।

Leave a Reply