ଝାଡ଼ଖଣ୍ଡ ରୋପଓ୍ୱେ ଦୁର୍ଘଟଣା: ସାମ୍ନାକୁ ଆସିଲା ଦୁର୍ଘଟଣା ବେଳର ଭିଡ଼ିଓ

ଦେଓଘର: ଦେଓଘର ରୋପ ଓ୍ୱେ ଦୁର୍ଘଟଣାର ଏକ ଛାତି ଥରାଇବା ଭଳି ଭିଡ଼ିଓ ସାମ୍ନାକୁ ଆସିଛି । ଦୁଇଟି କେବୁଲ କାର୍‌ ପରସ୍ପର ସହ ଧକ୍କା ହେଉଥିବାର ଦୃଶ୍ୟ ଏଥିରେ ଦେଖିବାକୁ ମିଳିଛି । ଦୁର୍ଘଟଣା ଏତେ ଜୋରରେ ହୋଇଥିଲାଯେ, କିଛି ସମୟ ପାଇଁ ସମସ୍ତଙ୍କ ନିଃଶ୍ୱାସ ବନ୍ଦ ହୋଇଗଲା । ତେବେ କେବୁଲ କାର୍‌ ମଧ୍ୟରେ ବସିଥିବା ପର୍ଯ୍ୟଟକ ନିଜେ ଏହି ଭିଡ଼ିଓ ସୁଟ୍‌ କରିଛନ୍ତି ।

ଭିଡିଓରେ ଦେଓଘର ତ୍ରିକୂଟ ପର୍ବତର ଉଚ୍ଚତା ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି। ଯାହାର ଉଚ୍ଚତା ପ୍ରାୟ ୧୫୦୦ଫୁଟ । ଭିଡିଓରେ ଦେଖିବାକୁ ମିଳିଛିଯେ, କିଭଳି ଗୋଟିଏ ଝଟକାରେ ରୋପୱେ ହଲିବାକୁ ଲାଗିଥିଲା।

ସୂଚନାଯୋଗ୍ୟ ଘଟଣା ରବିବାର ସଂଧ୍ୟା ସମୟର । ଏହି ଦୁର୍ଘଟଣାରେ ପ୍ରାୟ ଅଧ ଡର୍ଜନ କେବୁଲ କାର୍‌ ଅଟକି ରହିଥିଲା । ଏଥିରେ ପ୍ରାୟ ୫୦ରୁ ଅଧିକ ଯାତ୍ରୀ ଥିଲେ । ଘଟଣା ସମୟରେ ଅନେକ ଆହତ ହୋଇଥିବାବେଳେ ଜଣଙ୍କର ମୃତ୍ୟୁ ହୋଇଥିଲା ।

ଏହାପରେ ସୈନ୍ୟ, ଆଇଟିବିପି ଯବାନ, ଏନଡିଆରଏଫ ଏବଂ ସ୍ଥାନୀୟ ପ୍ରଶାସନ ପ୍ରାୟ ୪୫ ଘଣ୍ଟା ରେସ୍କ୍ୟୁ ଅପରେସନ କରି ଲୋକଙ୍କ ଜୀବନ ରକ୍ଷା କଲେ । କିନ୍ତୁ ଦୁଃଖର ବିଷୟ ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୩ ଜଣ ପ୍ରାଣ ହରାଇଛନ୍ତି ।

ରୋପୱେ କାରରେ ଫସି ରହିଥିବା ବିହାରର ମଧୁବନି ଜିଲ୍ଲାର ଜଣେ ବ୍ୟକ୍ତି କହିଛନ୍ତି, ‌ଯେତେବେଳେ ଆମେ ଫସି ଯାଇଥିଲୁ, ଲାଗିଥିଲା କି ଆମ ଭିତରୁ କେହି ଜୀବିତ ରହିବୁ ନାହିଁ। ଆମ ସମସ୍ତଙ୍କ ମୃତ୍ୟୁ ହୋଇଯିବ। କିନ୍ତୁ ଦେବଦୂତ ସାଜି ଉଦ୍ଧାରକାରୀ ଦଳ ଆମ ଜୀବନ ବଞ୍ଚାଇ ଦେଇଥିଲେ।

ଅନ୍ୟପଟେ ଏହି ଘଟଣାକୁ ନେଇ କେନ୍ଦ୍ର ଗୃହ ସଚିବ ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟ ସଚିବଙ୍କୁ ଆଡଭାଇଜରି ଜାରି କରିଥିଲେ । ଏହି ଘଟଣା ପାଇଁ ଏସଓପି ଏବଂ ଆକସ୍ମିକ ଯୋଜନା ପ୍ରସ୍ତୁତ କରିବାକୁ ଏଥିରେ କୁହାଯାଇଥିଲା ।