ବିଜେପି ଛାଡ଼ି ବିଜେଡିରେ ମିଶିଲେ ଝାରସୁଗୁଡ଼ା ବିଜେପି ମଣ୍ଡଳ ସମ୍ପାଦକ

ଝାରସୁଗୁଡ଼ା: ଝାରସୁଗୁଡ଼ାରେ ବିଜେଡିର ମିଶ୍ରଣ ପର୍ବ । ବିଜେପି ମଣ୍ଡଳ ସମ୍ପାଦକ ସ୍ବତନ୍ତ୍ର କୁମାର ଗୁପ୍ତା  ବିଜେପିରୁ ଇସ୍ତଫା ଦେଇ ବିଜେଡିରେ ଯୋଗ ଦେଇଛନ୍ତି । ସରବାହଲ ସୁନାରିମୁଣ୍ଡାଠାରେ ଥିବା ଏକ ହୋଟେଲରେ ଶତାଧିକ ବିଜେପି କର୍ମୀଙ୍କ ସହ ବିଜେଡିରେ ଯୋଗ ଦେଇଛନ୍ତି ସ୍ବତନ୍ତ୍ର କୁମାର ଗୁପ୍ତା। ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀରେ ବିଜେପି ବହୁ ଗୋଷ୍ଠୀରେ ବିଭକ୍ତ । ଝାରସୁଗୁଡ଼ାର ବିଜେପି ନେତାଙ୍କୁ ବିଧାୟକ ପ୍ରାର୍ଥୀ କରାଗଲା ନାହିଁ । ଏହାର ପ୍ରତିବାଦରେ ସେ ବିଜେପିରୁ ଇସ୍ତଫା ଦେଇଥିବା କହିଥିଲେ।

ଆଜି ତାଙ୍କୁ ଦଳକୁ ସ୍ବାଗତ କରିଛନ୍ତି ବରିଷ୍ଠ ନେତା ତଥା ବିଜେଡି ବିଧାୟକ ପ୍ରତାପ ଜେନା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡିର କାର୍ଯ୍ୟକ୍ରମରେ ସନ୍ତୁଷ୍ଟ ହୋଇ ବିଜେଡିରେ ମିଶିଥିବାରୁ ସେ ସ୍ବତନ୍ତ୍ରଙ୍କୁ ସ୍ବାଗତ କରିଥିଲେ । ସ୍ବତନ୍ତ୍ର ଓ ତାଙ୍କ ସମର୍ଥକ ବିଜେଡିରେ ମିଶିଥିବାରୁ ଦଳ ଆହୁରି ସୁଦୃଢ ହେବ ବୋଲି କହିଛନ୍ତି ପ୍ରତାପ । ସେହିପରି ସ୍ବତନ୍ତ୍ରଙ୍କ ଆଗମନ ଯୋଗୁଁ ଝାରସୁଗୁଡାରେ ବିଜେଡିର ଯୁବଶକ୍ତି ଆହୁରି ସଶକ୍ତ ହେବ ବୋଲି କହିଛନ୍ତି ସ୍ବର୍ଗତ ନବକିଶୋର ଦାସଙ୍କ ପୁଅ ବିଶାଳ ଦାସ ।