ଝାରସୁଗୁଡ଼ା ଉପନିର୍ବାଚନ; ପ୍ରଚାର ବେଳେ ରାବଣ ଉପାଖ୍ୟାନ କହି ହଟହଟା ହେଲେ ବିଜେପି ନେତା ବସନ୍ତ

ଝାରସୁଗୁଡ଼ା: ଝାରସୁଗୁଡା ଉପନିର୍ବାଚନ ପାଇଁ ଜୋରସୋରରେ ଚାଲିଛି ପ୍ରଚାର । ତେବେ ନିର୍ବାଚନମଣ୍ଡଳିରେ ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ରାଜ୍ୟ ବିଜେପି ସଭାପତି ଆଜି ପ୍ରଚାର ବେଳେ ବେଶ ହଟ୍ଟହଟ୍ଟା ହୋଇଥିବା ଦେଖିବାକୁ ମିଳିଛି । ଆଜି ଲଇକେରା ବ୍ଲକ ଅନ୍ତର୍ଗତ ପାକେଲପଡ଼ା ପଞ୍ଚାୟତର ତାଳମୁଣ୍ଡା ଗାଁରେ ଏକ ନିର୍ବାଚନୀ ସଭା କରିବାକୁ ଯାଇଥିଲେ ବସନ୍ତ ପଣ୍ଡା । ପ୍ରଥମତଃ ତାଙ୍କ ନିର୍ବାଚନୀ ସଭାକୁ କେହି ଆସିନଥିଲେ । ବହୁ ଉଦ୍ୟମ ପରେ ଆଠରୁ ଦଶ ଜଣ ବ୍ୟକ୍ତି ଗାଁ ମଣ୍ଡପରେ ଏକାଠି ହୋଇଥିଲେ । ମଣ୍ଡପକୁ ଘେରି ଗାଁର ଆଉ ୮ ଦଶ ଜଣ ଲୋକ ମଧ୍ୟ ଛିଡା ହୋଇଥିଲେ ।

ଯେଉଁ ମଣ୍ଡପରେ ନିର୍ବାଚନୀ ସଭା ହେଉଥିଲା ସେହି ମଣ୍ଡପ ନିର୍ମାଣ ପାଇଁ ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ସ୍ବର୍ଗତ ନବ ଦାସ ଅନୁଦାନ ଦେଇଥିଲେ ବୋଲି ଶୁଣିବା ପରେ ବସନ୍ତ ପଣ୍ଡା ହଡବଡେଇ ଯାଇଥିଲେ । ପୁରାଣ ପ୍ରସଙ୍ଗ ଉତଥାପନ କରି ବିଜେଡିକୁ ରାବଣ ବୋଲି ସମ୍ବୋଧନ କରିବାକୁ ଲୋକଙ୍କୁ ପ୍ରବର୍ତାଇଥିଲେ । ଫଳରେ ଉପସ୍ଥିତ ଲୋକେ ଉତ୍ୟକ୍ତ ହୋଇ ବସନ୍ତ ପଣ୍ଡାଙ୍କୁ ପ୍ରଶ୍ନବାଣରେ ଘାଇଲା କରିଥିଲେ । କେନ୍ଦ୍ର ସରକାର ସମଗ୍ର ଦେଶକୁ ବିକ୍ରି କରିସାରିଲାଣି ବୋଲି ଉପସ୍ଥିତ ଗ୍ରାମବାସୀଙ୍କ ମଧ୍ୟରୁ ଜଣେ ସିଧାସିଧା ମୁହଁରେ ଜବାବ ଦେଇଥିଲେ ।

ନବ ଦାସଙ୍କ ହତ୍ୟାକାରୀ କିଏ ବୋଲି ଏହି ସଭାରେ ବସନ୍ତ ପଣ୍ଡା ପ୍ରଶ୍ନ କରିଥିଲେ । ନବ ଦାସଙ୍କ ହତ୍ୟାକାରୀଙ୍କୁ ଖୋଜିବା ଆଇନର କାମ ବୋଲି ଲୋକେ କହିଥିଲେ ମଧ୍ୟ ବସନ୍ତ ପଣ୍ଡା ଅବାନ୍ତର ଯୁକ୍ତି କରିଥିଲେ । ଫଳରେ ହତ୍ୟାକାରୀଙ୍କ ସମ୍ପର୍କରେ ବସନ୍ତ ପଣ୍ଡା ଯେଉଁ କପୋଳକଳ୍ପିତ କଥା କହୁଛନ୍ତି ତାର ପ୍ରମାଣ ମାଗିଥିଲେ । ଏହି ନିର୍ବାଚନୀ ସଭାରେ ବସନ୍ତ ପଣ୍ଡା ଏବଂ ତାଙ୍କ ସହଯୋଗୀଙ୍କୁ ବେଶ ହଟ୍ଟହଟ୍ଟା ହେବାକୁ ପଡିଥିଲା । ଉପନିର୍ବାଚନ ପୂର୍ବରୁ ବିଜେପିର ଜଣେ ବରିଷ୍ଠ ନେତା ଏଭଳି ଅପଦସ୍ତ ହେବା ଦଳ ପାଇଁ ଶୁଭଙ୍କର ନୁହେଁ ବୋଲି ରାଜନୈତିକ ସମୀକ୍ଷକ ମାନେ କହିଛନ୍ତି ।