ସାରା ରାଜ୍ୟରେ ପ୍ରବଳ ଖରା, ଦିନ ସାଢେ ୨ଟା ସୁଦ୍ଧା ୪୦ ଡିଗ୍ରୀ ଉପରେ ୫ ସହର

ଭୁବନେଶ୍ୱର: ସାରା ରାଜ୍ୟରେ ଜାରି ରହିଛି ପ୍ରଖର ଗ୍ରୀଷ୍ମ ପ୍ରବାହ । ଦିନ ସାଢ଼େ ଦୁଇଟା ସୁଦ୍ଧା ଝାରସୁଗୁଡ଼ା ହୋଇଛି ରାଜ୍ୟର ସବୁଠୁ ଉତ୍ତପ୍ତ ସହର । ଝାରସୁଗୁଡ଼ାରେ ୪୧.୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ସେହିପରି ସମ୍ବଲପୁରରେ ୪୧.୨, ଭୁବନେଶ୍ବରରେ ୪୦.୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଚାନ୍ଦବାଲି, ହୀରାକୁଦରେ ୪୦ ଡିଗ୍ରୀ ଲେଖାଏ ପାରଦ ରେକର୍ଡ ହୋଇଥିବାବେଳେ କେନ୍ଦୁଝରରେ ୩୯.୨, ବାଲେଶ୍ବରରେ ୩୮.୪, ଗୋପାଳପୁରରେ ୩୪.୬, ପୁରୀରେ ୩୪.୨ ଓ ପାରାଦୀପରେ ୩୨. ୮ ଡିଗ୍ରୀ ତାତି ରେକର୍ଡ ହୋଇଛି । ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଏପରି ଖରା ଜାରି ରହିବ ।

ଅନ୍ୟପକ୍ଷରେ ଆସନ୍ତାକାଲି ୮ଟି ଜିଲ୍ଲା ଏବଂ ୧୫ ତାରିଖରେ ୯ ଜିଲ୍ଲାକୁ ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ ସତର୍କତା ଜାରି କରାଯାଇଛି । ପଶ୍ଚିମ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ୪୦ ରୁ ୪୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ରେକର୍ଡ ହୋଇପାରେ । ସେହିଭଳି ଉପକୂଳ ଓଡ଼ିଶାର ଖୋର୍ଦ୍ଧା, ପୁରୀ, ନୟାଗଡ଼, ଜଗତସିଂହପୁର, ଯାଜପୁର, ଭଦ୍ରକ, ଅନୁଗୁଳ, ଢେଙ୍କାନାଳ ଜିଲ୍ଲାରେ ମଧ୍ୟ ତାତି ୪୦ ଡିଗ୍ରୀ ଅତିକ୍ରମ କରିବ । ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ପିକ୍ ଆଓ୍ବାର ଘୋଷଣା କରିଛି ପାଣିପାଗ କେନ୍ଦ୍ର । ଜରୁରୀ କାମ ନ ଥିଲେ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି । ସେପଟେ ଫସଲ ପରିଚାଳନା ପାଇଁ ଓୟୁଏଟି ଦେଇଛି ପରାମର୍ଶ । ୨୦ ତାରିଖ ପର୍ଯ୍ୟନ୍ତ ହେଲ୍ପଲାଇନ ନମ୍ବର ଜାରି କଲା ଓୟୁଏଟି । ଏନେଇ ସୂଚନା ଦେଇଛନ୍ତି ଓୟୁଏଟି କୁଳପତି ପ୍ରଭାତ କୁମାର ରାଉଳ ।