ଜିନ୍ନା ହାଉସ ଉପରେ ଆକ୍ରମଣ ଅଭିଯୋଗ, ତଦନ୍ତ ସହ ଗିରଫ ଲାଗି ଲାହୋର ପୋଲିସକୁ ନିର୍ଦ୍ଦେଶ

ଇସଲାମାବାଦ: ବଢିଲା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଅଡୁଆ । ତୋଷଖାନା ମାମଲାରେ ଜେଲରେ ଥିବା ଇମ୍ରାନଙ୍କ ବିରୋଧରେ ଅନ୍ୟ ଏକ ଘଟଣାର ତଦନ୍ତ କରିବା ସହ ତାଙ୍କୁ ଗିରଫ କରିବା ଲାଗି ଲାହୋର ପୋଲିସକୁ ଅନୁମତି ଦେଇଛନ୍ତି ଆତଙ୍କବାଦୀ ବିରୋଧୀ କୋର୍ଟ । ଗତ ମେ ୯ ତାରିଖରେ ଘଟିଥିବା ହିଂସା ତଥା ଜିନ୍ନା ହାଉସ ଉପରେ ଆକ୍ରମଣ ଅଭିଯୋଗରେ ଇମ୍ରାନଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ତୋଷଖାନା ମାମଲାରେ ବର୍ତ୍ତମାନ ଆତୋକ ଜେଲରେ ଅଛନ୍ତି ଇମ୍ରାନ ।

ସେପଟେ ଜିନ୍ନା ହାଉସ ଆକ୍ରମଣ ମାମଲାରେ ପୋଲିସ କାର୍ଯ୍ୟାନୁଷ୍ଠାନ ଇମ୍ରାନଙ୍କ ଲାଗି ଅଧିକ ସଙ୍କଟ ସୃଷ୍ଟି କରିଛି । ଅଲକାଦିର ଟ୍ରଷ୍ଟ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ଗତ ମେ ୯ ତାରିଖରେ ବିଭିନ୍ନ ସ୍ଥାନରେ ହୋଇଥିଲା ହିଂସା । ସେପଟେ ତୋଷଖାନା ମାମଲାରେ ଇମ୍ରାନଙ୍କୁ ସୁରକ୍ଷା ଦେବା ଲାଗି ପାକିସ୍ତାନ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଉମର ଆଟା ବନ୍ଦିଆଲ ଉଦ୍ୟମ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପିଏମଏଲ ନେତା ନଓ୍ବାଜ ସରିଫ ।