ଅନ୍ତିମ ଚରଣରେ ଭାରତ ଯୋଡ଼ ଯାତ୍ରା, କନ୍ୟାକୁମାରୀରୁ ବାହାରି କାଶ୍ମୀରରେ ପହଞ୍ଚିଲେ ରାହୁଲ

1 min read

ନୂଆଦିଲ୍ଲୀ: ଅନ୍ତିମ ଚରଣରେ ପହଞ୍ଚିଛି ଭାରତ ଯୋଡ଼ ଯାତ୍ରା । ରାହୁଲ ଗାନ୍ଧିଙ୍କ ଅଧ୍ୟକ୍ଷତାରେ କନ୍ୟାକୁମାରୀରୁ ବାହାରିଥିବା ପଦଯାତ୍ରା କାଶ୍ମୀରରେ ପହଞ୍ଚିଛି । ଗୋଟିଏ ଟି-ସର୍ଟରେ କନ୍ୟାକୁମାରୀରୁ କାଶ୍ମୀର ଯାତ୍ରା କରିଛନ୍ତି ରାହୁଲ । ଜାମ୍ମୁ-କାଶ୍ମୀରରେ ପହଞ୍ଚିବା ପରେ ଘରକୁ ଫେରିବା ଭଳି ଲାଗୁଛି ବୋଲି ରାହୁଲ କହିଛନ୍ତି । ଉପତ୍ୟକାବାସୀଙ୍କ ଦୁଃଖ ମୁଁ ଜାଣିଛି ଓ ନତମସ୍ତକ ହୋଇ ସେମାନଙ୍କ ପାଖକୁ ଆସିଛି ବୋଲି ଆୟୋଜିତ ସଭାରେ ରାହୁଲ କହିଛନ୍ତି । ସେପଟେ ରାହୁଲଙ୍କ କନ୍ୟାକୁମାରୀରୁ କାଶ୍ମୀର ଯାତ୍ରାକୁ ଶଙ୍କରାଚାର୍ଯ୍ୟଙ୍କ ଯାତ୍ରା ସହ ତୁଳନା କରିଛନ୍ତି ଜାମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା ।

ରାସ୍ତା ନଥିବା ବେଳେ ଜଙ୍ଗଲ ଦେଇ କନ୍ୟାକୁମାରୀରୁ କାଶ୍ମୀର ଆସିଥିଲେ ଶଙ୍କରାଚାର୍ଯ୍ୟ । ଏହି ଯାତ୍ରା କରିବାରେ ରାହୁଲ ଦ୍ବିତୀୟ ବ୍ୟକ୍ତି ବୋଲି ଫାରୁକ କହିଛନ୍ତି । ମାଦୋପୁରଠାରେ ରାହୁଲଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା । ସେଠାରେ ଏକ ଜନସଭାକୁ ରାହୁଲ ସମ୍ବୋଧିତ କରିଥିଲେ । ସଭାରେ ସାମିଲ ହୋଇ ରାହୁଲଙ୍କ ଯାତ୍ରାକୁ ପ୍ରଶଂସା କରିଥିଲେ ଫାରୁକ ଅବଦୁଲ୍ଲା । ଜାନୁଆରୀ ୩୦ ମହାତ୍ମା ଗାନ୍ଧୀଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ କାଶ୍ମୀରରେ କଂଗ୍ରେସ ପକ୍ଷରୁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଏଥିରେ ୨୧ ଆଞ୍ଚଳିକ ଦଳର ନେତା ସାମିଲ ହେବାକୁ କଂଗ୍ରେସ ପକ୍ଷରୁ ଆମନ୍ତ୍ରଣ କରାଯାଇଛି ।