ଦେଶର ସହରାଞ୍ଚଳରୁ କମିଲା ବେକାରୀ ହାର

1 min read

ନୂଆଦିଲ୍ଲୀ: ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (NSO) ମଙ୍ଗଳବାର ଦିନ ଏକ ସର୍ଭେର ରିପୋର୍ଟ ଜାରି କରିଛନ୍ତି । ଏହି ରିପୋର୍ଟ ଅନୁସାରେ ପୂର୍ବ ବର୍ଷ ୨୦୨୧ ଜୁଲାଇରୁ ସେପ୍ଟେମ୍ବର ମଧ୍ୟରେ ଦେଶରେ ବେରୋଜଗାରୀ ହାର ହ୍ରାସ ପାଇଛି । ଦେଶର ସହରାଞ୍ଚଳରେ ୧୫ବର୍ଷ ବା ତାଠାରୁ ଅଧିକ ବୟସର ବ୍ୟକ୍ତିଙ୍କ ପାଇଁ ବେରୋଜଗାରୀ ହାର ଜୁଲାଇ-ସେପ୍ଟେମ୍ବର ସୁଦ୍ଧା ହ୍ରାସ ପାଇ ୯.୮ ପ୍ରତିଶତ ରହିଛି । ଯାହା ପୂର୍ବରୁ ୧୩.୨ ପ୍ରତିଶତ ଥିଲା ।

ଏନଏସଓ ଦ୍ୱାରା ମଙ୍ଗଳବାର ଦିନ ଜାରି କରାଯାଇଥିବା ଶ୍ରମବଳ ସର୍ବେକ୍ଷଣରୁ ଏହି ସୂଚନା ମିଳିଛି । ବେରୋଜଗାରୀ ହାର ଅର୍ଥାତ୍ ବେକାରୀ ହାରକୁ ଶ୍ରମବଳରେ ବେରୋଜଗାରୀ ବ୍ୟକ୍ତିମାନଙ୍କର ପ୍ରତିଶତ ମାଧ୍ୟମରେ ଗଣାଯାଇଛି । ସାରା ଦେଶରେ ଲାଗିଥିବା ଲକଡାଉନ କାରଣରୁ ବେକାରୀ ହାର ୨୦୨୦ରେ ସବୁଠାରୁ ଅଧିକ ଥିଲା  ।

ସେହିପରି ମହିଳା ବେକାରୀଙ୍କ ହାର ମଧ୍ୟ ହ୍ରାସ ପାଇଛି । ଏହା  ଜୁଲାଇ-ସେପ୍ଟେମ୍ବର ସୁଦ୍ଧା ହ୍ରାସ ପାଇ ୧୧.୬ ପ୍ରତିଶତ ରହିଯାଇଛି । ଯାହା ପୂର୍ବରୁ ୧୫.୮ ପ୍ରତିଶତ ଥିଲା । ଏବଂ ୨୦୨୧ ଏପ୍ରିଲ-ଜୁନ ସୁଧା  ମହିଳା ବେକାରୀଙ୍କ ହାର ୧୪.୩ ପ୍ରତିଶତ ଥିଲା ।  

 ଦେଶରେ ବେରୋଜଗାରୀ ହାରକୁ ନେଇ ବିରୋଧି ଦଳ ସବୁବେଳେ କେନ୍ଦ୍ରକୁ ଘେରିଛି । ଏବଂ ନିକଟରେ ୫ଟି ରାଜ୍ୟରେ ହୋଇଥିବା ନିର୍ବାଚନ ସମୟରେ ବିଭିନ୍ନ ଦଳ ବେକାରୀ ପ୍ରସଙ୍ଗକୁ ଉଠାଇଥିଲେ । ଯଦିଓ NSO ଏହି ସର୍ଭେ ଜୁଲାଇରୁ ସେପ୍ଟେମ୍ବର ଅର୍ଥାତ୍ ୩ମାସର ତଥାପି ଏହି ଖବରକୁ ସକାରାତ୍ମକ ଦୃଷ୍ଟି କୋଣରୁ ଦେଖାଯାଉଛି ।