ଆମେରିକା ରାଷ୍ଟ୍ରପତି ବାଇଡେନଙ୍କୁ ଚୀନ ପ୍ରତିପକ୍ଷ ଜିନପିଙ୍ଗଙ୍କ ଚେତାବନୀ

1 min read

ବ୍ୟୁରୋ ରିପୋର୍ଟ: ତାଇଓ୍ବାନକୁ ଅସ୍ତ୍ରଶସ୍ତ୍ର ଯୋଗାଅ ନାହିଁ । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଏହି ଚେତାବନୀ ଦେଇଛନ୍ତି ଚୀନ ପ୍ରତିପକ୍ଷ ସି ଜିନପିଙ୍ଗ । ସାନଫ୍ରାନ୍ସିକୋରେ ଅନୁଷ୍ଠିତ ଆପେକ୍ ସମ୍ମିଳନୀ ଅବସରରେ ଦୁଇ ସୁପରପାଓ୍ବାର ନେତାଙ୍କ ମଧ୍ୟରେ ହୋଇଥିବା ଭେଟଘାଟ ଅବସରରେ ବାଇଡେନଙ୍କୁ ଏହା କହିଛନ୍ତି ଜିନପିଙ୍ଗ । ସେପଟେ ଦୁଇ ନେତାଙ୍କ ଆଲୋଚନା ପରେ ଜିନପିଙ୍ଗଙ୍କୁ ଜଣେ ଏକଛତ୍ରବାଦୀ ଶାସକ ବୋଲି କହିଛନ୍ତି ବାଇଡେନ । ଚୀନର ସରକାର ଅନ୍ୟ ସମସ୍ତ ସରକାରଙ୍କଠାରୁ ଭିନ୍ନ ବୋଲି ସେ କହିଛନ୍ତି ।

ଦୁଇ ନେତାଙ୍କ ମଧ୍ୟରେ ୟୁକ୍ରେନ, ତାଇଓ୍ବାନ, ଭାରତ-ପ୍ରଶାନ୍ତ ଅର୍ଥନୈତିକ ପ୍ରସଙ୍ଗ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ , ଡ୍ରଗ୍ସ, ଜଳବାୟୁ ପରିବର୍ତ୍ତନ ସମ୍ପର୍କରେ ଆଲୋଚନା ହୋଇଥିବା ସୂଚନା ମିଳିଛି । ମତପାର୍ଥକ୍ଯ ଦୂର କରି ପାରସ୍ପରିକ ବୁଝାମଣା ଦିଗରେ କାର୍ଯ୍ୟ କରିବା । ଜୋ ବାଇଡେନଙ୍କୁ ଏହା କହିଛନ୍ତି ଚୀନ ପ୍ରତିପକ୍ଷ ନପିଙ୍ଗ । ସାନଫ୍ରାନ୍ସିକୋଠାରୁ ୩୦ ମାଇଲ ଦୂର ଫିଲୋଲି ଏଷ୍ଟେଟରେ ଦୁଇ ନେତାଙ୍କ ମଧ୍ଯରେ ଆଲୋଚନା ହୋଇଥିବାବେଳେ ବିଶ୍ବରେ ଆମେରିକା ଓ ଚୀନ ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କ ହେଉଛି ସବୁଠାରୁ ଗୁରୁତ୍ବପୂର୍ଣ୍ଣ । କେବଳ ଦୁଇ ଦେଶର ଦେଶବାସୀ ନୁହନ୍ତି, ସାରା ବିଶ୍ବ ଓ ଇତିହାସ ଲାଗି ଦୁଇ ରାଷ୍ଟ୍ର କାନ୍ଧକୁ କାନ୍ଧ ମିଳାଇ ଦାୟିତ୍ବସମ୍ପନ୍ନ ହେବା ଆବଶ୍ଯକ ବୋଲି କହିଛନ୍ତି ଜିନପିଙ୍ଗ । ବାଇଡେନ କହିଛନ୍ତି- ବିଭିନ୍ନ ପ୍ରସଙ୍ଗରେ ରହିଥିବା ମତପାର୍ଥକ୍ୟ ସଂଘର୍ଷରେ ପରିଣତ ହେବା ଅନୁଚିତ ।

ଅପରପକ୍ଷକୁ ଭିନ୍ନ ଦୃଷ୍ଟିରେ ଦେଖିବା ଅବାସ୍ତବ ଏବଂ କୌଣସି ପ୍ରକାର ବିବାଦ ଓ ସଂଘର୍ଷ ଉଭଯ ପକ୍ଷ ଲାଗି କ୍ଷତିକାରକ ବୋଲି କହିଛନ୍ତି ଜିନପିଙ୍ଗ । ଏହା ସହ ଦୁଇ ନେତାଙ୍କ ମଧ୍ୟରେ ତାଇଓ୍ବାନ, ୟୁକ୍ରେନ ଓ ମଧ୍ୟପ୍ରାଚ୍ଯ ପ୍ରସଙ୍ଗରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହୋଇଥିବା ସୂଚନା ମିଳିଛି । ଶେଷ ଥର ଲାଗି ଗତ ୨୦୨୨ ନଭେମ୍ବରରେ ବାଲିରେ ଦୁଇ ନେତାଙ୍କ ମଧ୍ଯରେ ଭେଟଘାଟ ହୋଇଥିଲେ ମଧ୍ଯ ଚୀନର ସ୍ପାଏ ବେଲୁନକୁ ଆମେରିକା ଖସାଇଦେବା ପରେ ଦୁଇ ରାଷ୍ଟ୍ର ମଧ୍ଯରେ କୂଟନୈତିକ ଉତ୍ତେଜନା ପ୍ରକାଶ ପାଇଥିଲା ।