ରାହୁଲ ଗାନ୍ଧୀଙ୍କୁ ଦୋଷୀ ସାବ୍ୟସ୍ତ ମାମଲା, ରହିତାଦେଶ ଦେବାକୁ ଅଗ୍ରାହ୍ୟ କରିଥିବା ବିଚାରପତିଙ୍କ ବଦଳି

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଦୋଷୀ ସାବ୍ୟସ୍ତ ମାମଲାରେ ରହିତାଦେଶ ଦେବାକୁ ଅଗ୍ରାହ୍ୟ କରିଥିବା ଗୁଜରାଟ ହାଇକୋର୍ଟ ବିଚାରପତିଙ୍କୁ ବଦଳି । ସୁପ୍ରିମକୋର୍ଟ କଲେଜିୟମ ତାଲିକାରେ ବଦଳି ହେବାକୁ ଥିବା ବିଚାରପତିଙ୍କ ତାଲିକାରେ ସ୍ଥାନ ପାଇଛନ୍ତି ଜଷ୍ଟିସ ହେମନ୍ତ ଏମ. ପ୍ରଚ୍ଛକ । ନିଜର ୧୨୩ ପୃଷ୍ଠା ବ୍ୟାପୀ ରାୟରେ ରାହୁଲଙ୍କ ଦୋଷୀ ସାବ୍ୟସ୍ତ ଦଣ୍ଡ ଉପରେ ରହିତାଦେଶ ଜାରି କରିବାର କୌଣସି କାରଣ ନାହିଁ । ପୂର୍ବରୁ ଜଷ୍ଟିସ ପ୍ରଚ୍ଛକ ୨୦୦୨ ଗୁଜରାଟ ଦଙ୍ଗା ମାମଲାରେ ଜଡ଼ିତ ବିଜେପିର ପୂର୍ବତନ ମନ୍ତ୍ରୀ ମାୟା କୋଦନାନୀଙ୍କ ଓକିଲ ଥିଲେ । ଜଷ୍ଟିସ ପ୍ରଚ୍ଛକ ପ୍ରଥମେ ଗୁଜରାଟ ହାଇକୋର୍ଟରେ ଆଇନଜୀବୀ ଭାବେ କାର୍ଯ୍ୟରତ ଥିଲେ । ପରେ ସେ ଗୁଜରାଟ ସରକାରଙ୍କ ଆସିଷ୍ଟାଣ୍ଟ ପ୍ଲେଡର ଭାବେ କାର୍ଯ୍ୟ କରିଥିଲେ । ୨୦୧୫ରେ ସେ ଗୁଜରାଟ ହାଇକୋର୍ଟଙ୍କ ଲାଗି କେନ୍ଦ୍ର ସରକାରଙ୍କ ଷ୍ଟାଣ୍ଡିଂ କାଉନସେଲ ଭାବେ ୪ ବର୍ଷ ଧରି କାର୍ଯ୍ୟରତ ଥିଲେ । ୨୦୨୧ରେ ସେ ଗୁଜରାଟ ହାଇକୋର୍ଟ ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ ।

ସେହିପରି ୨୦୦୨ ଗୋଧ୍ରା ମାମଲାରେ ପ୍ରମାଣ ନଷ୍ଟ କରିବା ସଂକ୍ରାନ୍ତ ଏକ ଏଫଆଇଆର ରଦ୍ଦ କରିବା ଲାଗି ସମାଜସେବୀ ତିସ୍ତା ସେତିଲଭାଡଙ୍କ ମାମଲାର ଶୁଣାଣି କରିବାକୁ ଅଗ୍ରାହ୍ୟ କରିଥିବା ବିଚାରପତି ସମୀର ଡାଭେଙ୍କ ନାମ ମଧ୍ୟ ଏହି ବଦଳି ତାଲିକାରେ ସ୍ଥାନ ପାଇଛି । ସେହିପରି ରାହୁଲ ଗାନ୍ଧୀଙ୍କ ଦୋଷୀ ସାବ୍ୟସ୍ତ ମାମଲାରେ ଶୁଣାଣି କରିବାକୁ ଅଗ୍ରାହ୍ୟ କରିବା ଜଷ୍ଟିସ ଗୀତା ଗୋପୀଙ୍କୁ ବି ବଦଳି ତାଲିକାରେ ସ୍ଥାନୀତ କରାଯାଇଛି । କିଛିଦିନ ତଳେ ଜଣେ ନାବାଳିକା ବଳାତ୍କାରୀ ପୀଡ଼ିତାଙ୍କ ଗର୍ଭ ନଷ୍ଟ ଲାଗି ହୋଇଥିବା ମାମଲାର ଶୁଣାଣି କରି ମନୁସ୍ମୃତି ପ୍ରସଙ୍ଗ ଉଠାଇ ଚର୍ଚ୍ଚାରେ ଥିଲେ ଜଷ୍ଟିସ ସମୀର ଡାଭେ । ସିଜେଆଇ ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ସଞ୍ଜୟ କିଷନ କୌଲ, ଜଷ୍ଟିସ ସଞ୍ଜୀବ ଖନ୍ନା, ଜଷ୍ଟିସ ବି.ଆର. ଗଭାଇ, ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କୁ ନେଇ ଗଠିତ ଖଣ୍ଡପୀଠ ଦ୍ବାରା ଏହି ବଦଳି ତାଲିକା ସ୍ଥିରୀକୃତ ହୋଇଛି । ଅଧିକ ନ୍ୟାୟିକ ସୁପରିଚାଳନା ଲାଗି ଏହି ତାଲିକା ପ୍ରସ୍ତୁତ କରାଯାଇଛି ବୋଲି କୁହାଯାଇଛି ।