ଇ ଜିନ୍ କାରୋଲ ଯୌନ ନିର୍ଯାତନା ମାମଲା, ଆମେରିକା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦୋଷୀ

ଓ୍ୱାଶିଂଟନ: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ପୁଣି ଥରେ ରାଷ୍ଟ୍ରପତି ହେବାକୁ ମନ ବଳାଇଥିବା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଜବରଦସ୍ତ ଝଟକା ଲାଗିଛି । ନବେ ଦଶକର ଏକ ଯୌନ ଶୋଷଣ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଟ୍ରମ୍ପ । ଏହି ମାମଲା ପାଇଁ ଟ୍ରମ୍ପ ଏବେ ମୋଟା ଅଙ୍କର ତଣ୍ଡ ଗଣିବେ । ଏଥିପାଇଁ ପୀଡ଼ିତାଙ୍କୁ ୫୦ ଲକ୍ଷ ଡଲାର ଅର୍ଥାତ ୪୧୦ କୋଟି ଟଙ୍କା କ୍ଷତିପୂରଣ ରାଶି ଦେବାକୁ ଟ୍ରମ୍ପଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଜଣାଶୁଣା ସ୍ତମ୍ଭକାର ଇ. ଜିନ କ୍ୟାରଲଙ୍କୁ ଯୌନ ଶୋଷଣ କରିଥିବା ନେଇ ଟ୍ରମ୍ପଙ୍କ ନାଁରେ ମାମଲା ରୁଜୁ ହୋଇଥିଲା । ଏପରିକି ବିଭିନ୍ନ ସମୟରେ ଟ୍ରମ୍ପ ତାଙ୍କୁ ବଦନାମ କରିବାକୁ ଚେଷ୍ଟା କରିଥିବା କୋର୍ଟ ପକ୍ଷରୁ କୁହାଯାଇଛି ।

ଅନ୍ୟପଟେ ନିଜ ବିରୋଧରେ ହୋଇଥିବା ଦଣ୍ଡ ବିଧାନକୁ ଟ୍ରମ୍ପ ଗ୍ରହଣ କରିନାହାଁନ୍ତି । ଏହା ତାଙ୍କ ବିରୋଧରେ ଷଡ଼ଯନ୍ତ୍ର ବୋଲି କହିବା ସହିତ ତାଙ୍କୁ ବଦନାମ କରିବାକୁ ସାଂଘାତିକ ଚକ୍ରାନ୍ତ ହୋଇଥିବା ସେ କହିଛନ୍ତି । ଗତ ଏପ୍ରିଲ ୨୫ ତାରିଖରେ ଟ୍ରମ୍ପଙ୍କ ବିରୋଧରେ ହୋଇଥିବା ଏହି ମାମଲାର ଶୁଣାଣି ଆରମ୍ଭ ହୋଇଥିବା ବେଳେ ୯ ଜଣିଆ ଜୁରୀ ବିଶିଷ୍ଟ ଖଣ୍ଡପୀଠ ଟ୍ରମ୍ପଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ୧୯୯୬ ମସିହାରେ ମ୍ୟାନହଟ୍ଟନର ଏକ ଡିପାର୍ଟମେଣ୍ଟାଲ ଷ୍ଟୋରରେ ଟ୍ରମ୍ପ୍ ତାଙ୍କୁ ବଳାତ୍କାର କରିଥିଲେ ବୋଲି ଅଭିଯୋଗ କରିଥିଲେ କ୍ୟାରଲ ।