କାନାଡାର ଅଭିଯୋଗ-ସିଖ୍ ନେତାଙ୍କ ହତ୍ୟା ପଛରେ ଭାରତ, ଭାରତର ଜବାବ- ଖାଲିସ୍ତାନୀ ଆତଙ୍କୀଙ୍କ ଉପରୁ ଧ୍ୟାନ ହଟାଇବାକୁ ଉଦ୍ୟମ

1 min read

ନୂଆଦିଲ୍ଲୀ: କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ଅଭିଯୋଗକୁ ଖଣ୍ଡନ କରିଛି ଭାରତ । ସରକାର ସ୍ପଷ୍ଟ କରିଛନ୍ତି ଯେ ଭାରତ ନା ପରୋକ୍ଷରେ ନା ପ୍ରତ୍ୟକ୍ଷ ଭାବେ କାନାଡାରେ ହିଂସାରେ ସାମିଲ ଅଛି । ଏଥିସହିତ କାନାଡା ପ୍ରଧାନମନ୍ତ୍ରୀଙ୍କୁ ଭାରତ ପ୍ରତି ଜବାବ ମଧ୍ୟ ଦେଇଛି । ଟୁଡ୍ରୋଙ୍କ ଅଭିଯୋଗକୁ ଅବୈଧ ଏବଂ ପ୍ରେରିତ ବୋଲି କହିଛି । କନାଡା ସରକାର ଆଶଙ୍କା ପ୍ରକାଶ କରିଥିଲେ ଯେ ଖାଲିସ୍ତାନୀ ସମର୍ଥକ ହରଦୀପ ସିଂହ ନିଜ୍ଜରର ହତ୍ୟାରେ ଭାରତର ହାତ ଥାଇପାରେ ଏବଂ କହିଛନ୍ତି ଯେ ଏହି ମାମଲାର ତଦନ୍ତ ଜାରି ରହିଛି । ବିଦେଶ ମନ୍ତ୍ରଣାଳୟ ମଙ୍ଗଳବାର ଏକ ବୟାନ ଜାରି କରି କହିଛି, କାନାଡାରେ ହୋଇଥିବା ହିଂସାରେ ଭାରତ ସରକାରଙ୍କ ସାମିଲ ହେବାର ଅଭିଯୋଗ ଅବୈଧ ଏବଂ ମନଗଢ଼ା ଅଟେ ।

କାନାଡାର ପ୍ରଧାନମନ୍ତ୍ରୀଙ୍କ ତରଫରୁ ଏପରି ହିଁ ଅଭିଯୋଗ ଜି-୨୦ ବୈଠକ ସମୟରେ ପ୍ରଧାନମନ୍ତ୍ରୀଙ୍କ ଆଗରେ କରାଯାଇଥିଲା ଏବଂ ତାକୁ ସମ୍ପୂର୍ଣ୍ଣ ଭାବେ ଖାରଜ କରାଯାଇଥିଲା । ଏଥିସହିତ ଭାରତ କାନାଡା ଉପରେ ଖାଲିସ୍ତାନୀ ଆତଙ୍କବାଦୀ ଏବଂ ଚରମପନ୍ଥିଙ୍କୁ ଆଶ୍ରୟ ଦେଉଥିବା ନେଇ ଆରୋପ ଲଗାଇଛି । ମନ୍ତ୍ରଣାଳୟ କହିଛି ଏପରି ନିରାଧାର ବୟାନ ଖାଲିସ୍ତାନୀ ଆତଙ୍କବାଦୀ ଏବଂ ଚରମପନ୍ଥିଙ୍କ ଉପରୁ ଧ୍ୟାନ ହଟାଇବା ପାଇଁ ଦିଆଯାଇଛି । ଯେଉଁମାନଙ୍କୁ କି କାନାଡାରେ ଆଶ୍ରୟ ଦିଆଯାଇଛି ଏବଂ ସେମାନେ ଲଗାତାର ଭାରତର ଅଖଣ୍ଡତା ପାଇଁ ବିପଦ ସାଜିଛନ୍ତି । ଏହି ମାମଲାରେ କାନାଡା ସରକାର କାର୍ଯ୍ୟାନୁଷ୍ଠାନ ନନେବା ଦୀର୍ଘ ସମୟ ହେବ ଚିନ୍ତାର ବିଷୟ ପାଲଟିଛି ।

ଭାରତ କହିଛି ଯେ କାନାଡାର ଅନେକ ନେତା ଖୋଲାଖୋଲି ଭାବେ ଏପରି ତତ୍ତ୍ୱଙ୍କ ପାଇଁ ସହାନଭୂତି ପ୍ରକାଶ କରିଆସିଛନ୍ତି । ସରକାର ଏହାକୁ ବଡ଼ ଚିନ୍ତାର ବିଷୟ କହିଛନ୍ତି । ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ଜାରି ବୟାନ ଅନୁସାରେ, କାନାଡାରେ ହତ୍ୟା, ମାନବ ଚାଲଣ ଏବଂ ସଂଗଠିତ ଅପରାଧ ସମେତ ଅନେକ ବେଆଇନ କାର୍ଯ୍ୟକଳାପ ଘଟଣା ନୂଆ ନୁହେଁ । ଆମେ ଏପରି କୌଣସି ବି ଘଟଣାରେ ଭାରତ ସରକାରଙ୍କୁ ଯୋଡ଼ିବାର ପ୍ରୟାସକୁ ଖାରଜ କରୁଛୁ । କାନାଡା ସରକାରଙ୍କୁ ଭାରତ ବିରୋଧୀ କାର୍ଯ୍ୟକଳାପ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି ।

ନିଜ୍ଜର ଖାଲିସ୍ତାନ ଟାଇଗର ଫୋର୍ସ ଅର୍ଥାତ କେଟିଏ ବ୍ୟତୀତ ସିଖ୍ସ ଫର ଜଷ୍ଟିସର ମଧ୍ୟ ବଡ଼ ଚେହେରା ଥିଲା । ନିଜ୍ଜରକୁ ୧୮ ଜୁନରେ କାନାଡାରେ ଗୁଳିମାରି ହତ୍ୟା କରାଯାଇଥିଲା । ସୋମବାର କାନାଡା ସଂସଦରେ ଟ୍ରୁଡୋ କହିଥିଲେ ଯେ, ଭାରତ ସରକାରଙ୍କ ଏଜେଣ୍ଟସ ଜୁନରେ କାନାଡାର ବ୍ରିଟିସ କଲୋମ୍ବିଆରେ ସିଖ ସମ୍ପ୍ରଦାୟର ନେତା ହରଦୀପ ସିଂ ନିଜ୍ଜରଙ୍କ ହତ୍ୟା କରିଥିଲେ । ଟ୍ରୁଡୋ ଏଥିସହିତ କହିଥିଲେ ଯେ, ୯-୧୦ ସେପ୍ଟେମ୍ବରରେ ଭାରତରେ ହୋଇଥିବା ଜି୨୦ ବୈଠକ ସମୟରେ ମଧ୍ୟ ସେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ମୁଖରେ ଏହି ପ୍ରସଙ୍ଗକୁ ଉଠାଇଥିଲେ ।

କାନାଡା ସରକାରଙ୍କୁ ଯେଉଁ ଗୁଇନ୍ଦା ତଥ୍ୟ ମିଳିଥିଲା ତାର ଆଧାରରେ ସେ ଏପରି ଅଭିଯୋଗ ଲଗାଇଛନ୍ତି । ଏଥିସହ ଟ୍ରୁଡୋ କହିଛନ୍ତି, କାନାଡାର ସୁରକ୍ଷା ଏଜେନ୍ସି ନିଜ୍ଜର ହତ୍ୟାକାଣ୍ଡର ତଦନ୍ତ କରୁଛି । ସେ ସଂସଦରେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କୁହାଯାଇଛି ଯେ ଏହି ମାମଲାରେ ଯଦି ଭାରତ ସରକାର କୌଣସି ଭାବେ ସାମିଲ ଥାନ୍ତି ତେବେ ଏହା ବରଦାସ୍ତ କରାଯିବନି ଏବଂ ତଦନ୍ତରେ ସହଯୋଗ କରିବା ନେଇ ମଧ୍ୟ କୁହାଯାଇଛି । ଅପରପକ୍ଷରେ କାନାଡାର ବିଦେଶ ମନ୍ତ୍ରୀ ମେଲନୀ ଜଲି କହିଛନ୍ତି ଯେ, ସରକାର ଜଣେ ଭାରତୀୟ ଡିପ୍ଲୋମାଟଙ୍କୁ ଦେଶରୁ ବାହାର କରିଦେଇଛନ୍ତି । ତେବେ ସେ ଭାରତୀୟ ଇଣ୍ଟେଲିଜେନ୍ସର ପ୍ରମୁଖ ଥିଲେ । ଅବଶ୍ୟ, ଜଲି ଏହି ଡିପ୍ଲୋମାଟଙ୍କ ସମ୍ପର୍କରେ ଅଧିକ ସୂଚନା ଦେଇନାହାନ୍ତି । ଅପରପକ୍ଷରେ ଭାରତ ମଧ୍ୟ କାନାଡା ଉପରେ କାର୍ଯ୍ୟାନୁଷ୍ଠାନ  କରିବା ଦିଗରେ ମଧ୍ୟ ଚିନ୍ତା କରୁଛି ।