୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ଗଲା ପାକିସ୍ତାନୀ ଗୁପ୍ତଚର ଜ୍ୟୋତି ମଲହୋତ୍ରା
1 min read
ନନ୍ଦିଘୋଷ ବ୍ୟୁରୋ: ଜେଲ ଗଲା ପାକିସ୍ତାନୀ ଗୁପ୍ତଚର ଜ୍ୟୋତି ମଲହୋତ୍ରା । ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ଗଲା ଜ୍ୟୋତି । ଜ୍ୟୋତି ବିରୋଧରେ ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରୁଥିବା ଅଭିଯୋଗ ରହିଛି । ଆଜି ରିମାଣ୍ଡ ଅବଧି ଶେଷ ପରେ ହରିୟାଣାର ହିସାର କୋର୍ଟରେ ହାଜର କରିଥିଲା ପୋଲିସ । ୯ ଦିନିଆ ରିମାଣ୍ଡରେ ନେଇ ତନାଘନା କରିଥିଲା ହରିୟାଣା ପୋଲିସ । ପ୍ରଥମେ ୫ ଦିନ ଓ ପରେ ୪ ଦିନିଆ ରିମାଣ୍ଡରେ ନେଇ ଗୁଇନ୍ଦାଗିରି ନେଇ ଖୋଳତାଡ଼ କରିଥିଲା ପୋଲିସ । ଯାଞ୍ଚ ବେଳେ ଜ୍ୟୋତିଙ୍କ ଫୋନ ଓ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ ସାମଗ୍ରୀରୁ ବହୁ ଗୁରୁତ୍ବପୁର୍ଣ୍ଣ ତଥ୍ୟ ମିଳିଛି ।
ଜ୍ୟୋତିଙ୍କ ପାଖରୁ ମିଳିଛି ୧୪ ଟିବି ଡାଟା । ଜ୍ୟୋତିଙ୍କ ପାକିସ୍ତାନ ଆଇଏସଆଇ ସହିତ ସମ୍ପର୍କ ଥିବା ଆଶଂକା କରାଯାଉଛି । ପାକିସ୍ତାନକୁ ଗୁପ୍ତ ତଥ୍ୟ ଦେବା ଅଭିଯୋଗରେ ଜ୍ୟୋତିଙ୍କୁ କରାଯାଉଥିଲା ଜେରା । ପାକିସ୍ତାନ ଏଜେଣ୍ଟଙ୍କୁ ତଥ୍ୟ ଦେଉଥିବା ମିଳିଛି ପ୍ରମାଣ । ଜ୍ୟୋତିଙ୍କ ଆକାଉଣ୍ଟକୁ ଆସିଥିବା ଟଙ୍କାର ହିସାବ କରାଯାଉଛି । ଜ୍ୟୋତିଙ୍କୁ ପାକିସ୍ତାନରେ ମିଳୁଥିଲା ଭିଆଇପି ସିକ୍ୟୁରିଟି । ଏକେ-47 ବନ୍ଧୁକଧାରୀ ସୁରକ୍ଷାକର୍ମୀ ପାକିସ୍ତାନରେ ଜ୍ୟୋତିଙ୍କୁ ଦେଉଥିଲେ ସୁରକ୍ଷା । ୬ ଜଣ ବନ୍ଧୁକଧାରୀ ପୁରୁଷ ଗାର୍ଡଙ୍କ ସୁରକ୍ଷା ବଳୟରେ ରହୁଥିଲେ । ପାକିସ୍ତାନର ସୁରକ୍ଷା ଓ ଗୁଇନ୍ଦା ଅଧିକାରୀଙ୍କୁ ସେ ଭେଟିଥିବା ଜଣାପଡିଛି । ପାକିସ୍ତାନର ହାଇପ୍ରୋଫାଇଲ ପାର୍ଟିରେ ଯୋଗ ଦେବାକୁ ମିଳୁଥିଲା ନିମନ୍ତ୍ରଣ । ନାମିଦାମୀ ହୋଟେଲରେ ରହିବା ସହ ବଡ଼ ବଡ଼ ରେଷ୍ଟୁରାଣ୍ଟରେ ଖାଉଥିଲେ ।