‘ଧୈର୍ଯ୍ୟ ଧର ଶୁଣିକି ଗୃହତ୍ୟାଗ କର‘, ବିରୋଧୀଙ୍କୁ ସଂସଦରେ ଏମିତି ଶୁଣାଇଲେ ସିନ୍ଧିଆ

ନୂଆଦିଲ୍ଲୀ: ଅନାସ୍ଥା ପ୍ରସ୍ତାବ ବିପକ୍ଷରେ ସଂସଦରେ ନିଜ ଅଭିଭାଷଣରେ ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସକୁ ଟାର୍ଗେଟ କରିଛନ୍ତି  ।  ସେ କହିଛନ୍ତି ବିରୋଧୀଙ୍କୁ ଦେଶର ଚିନ୍ତା ନାହିଁ  । ନା ପିଏମ ପଦର ଚିନ୍ତା ଅଛି ନା ରାଷ୍ଟ୍ରପତି ପଦର ଚିନ୍ତା ଅଛି  । ବିରୋଧୀଙ୍କୁ କେବଳ ନିଜ ରାଜନୈତିକ କ୍ୟାରିଅରର ଫାଇଦା ଚିନ୍ତା  । ‘ମୋତେ ସଂସଦରେ ୨୦ବର୍ଷ ହୋଇଗଲାଣି  । କିନ୍ତୁ ଏଭଳି ଦୃଶ୍ୟ ମୁଁ ଆଜିଯାଏଁ ଦେଖିନି’ ।

ପିଏମ ମୋଦିଙ୍କ ପ୍ରତି ବିରୋଧୀ ଯେଉଁଭଳି ଅପଶବ୍ଦ ବ୍ୟବହାର କରୁଛି ସେଥିପାଇଁ ଦେଶକୁ ସେମାନେ କ୍ଷମା ମାଗନ୍ତୁ  । ସେପଟେ ସିନ୍ଧିଆଙ୍କ ବିବୃତ୍ତି ସମୟରେ ବିରୋଧୀ ସାଂସଦ ମାନେ ଗୃହତ୍ୟାଗ କରିଥିଲେ  । ଏହି ସମୟରେ ସିନ୍ଧିଆ ପୁଣିଥରେ ବିରୋଧୀଙ୍କୁ କହିଥିଲେ ଯେ ଧୈର୍ଯ୍ୟ ଧର, ଶୁଣିକି ଯାଅ, ଉତ୍ତେଜିତ ହୁଅ ନାହିଁ  । ସିନ୍ଧିଆ ଇଣ୍ଡିଆକୁ ଟାର୍ଗେଟ କରି କହିଛନ୍ତି ଏମାନେ ଅହଂକାରୀ ଗୋଷ୍ଠୀ  । ସେହିପରି ଟୁଜି ସ୍କାମ ବେଳେ ଆପ୍‌ କଂଗ୍ରେସ ବିରୋଧରେ ପିଆଇଏଲ ଦାଏର କରିଥିଲା  । କିନ୍ତୁ ଆଜି କଂଗ୍ରେସର ହାତ ଧରିଛି ଆପ୍‌ ବୋଲି କଟାକ୍ଷ କରିଛନ୍ତି ସିନ୍ଧିଆ ।

୨୦୧୧ରେ ଯେତେବେଳେ ୧୦୦ ଦିନରୁ ଅଧିକ ନାକାବନ୍ଦୀ ଚାଲିଥିଲା ସେହି ସମୟରେ ସେତେବେଳର ପ୍ରଧାନମନ୍ତ୍ରୀ ମନମୋହନ ସିଂ କାହିଁକି ଚୁପ୍‌ ଥିଲେ ? ଏହା କେମିତିକା ରାଜନୀତି ? ସେହିପରି ୧୯୯୩ରେ ମଣିପୁର ସାଂସଦ ବୟାନ ଦେଇଥିଲେ ଯେ ରାଜ୍ୟ ସରକାର ଚିନ୍ତିତ ଅଛନ୍ତି  । ରାଜ୍ୟ ସରକାରଙ୍କ ପାଖରେ ପାଣ୍ଠି ନାହିଁ  । ରାଜ୍ୟ ସରକାରଙ୍କ ପାଖରେ ସୁରକ୍ଷାବଳ ପାଇଁ ହତିଆର କିଣିବାକୁ ପାଇସା ନାହିଁଁ  । ମଣିପୁର ଭାରତର ଏକ ଅଂଶ । ସଂସଦରେ ବିବୃତ୍ତି ରଖିବା ପୂର୍ବରୁ ବୋଧହୁଏ କଂଗ୍ରେସକୁ ସେ ସମୟର ଭାଷଣ ଶୁଣିବା ଉଚିତ ବୋଲି କହିଛନ୍ତି ସିନ୍ଧିଆ  ।