ବହୁଚର୍ଚ୍ଚିତ ଦିଲ୍ଲୀ ମଦ ନୀତି ମାମଲା : ଆଜି ନେତ୍ରୀ କେ. କବିତାଙ୍କ ଆବେଦନର ଶୁଣାଣି

1 min read

ନୂଆଦିଲ୍ଲୀ : ବହୁଚର୍ଚ୍ଚିତ ଦିଲ୍ଲୀ ମଦ ନୀତି ମାମଲା । ଗିରଫ ବିରୋଧରେ ଭାରତ ରାଷ୍ଟ୍ର ସମିତି ନେତ୍ରୀ କେ. କବିତାଙ୍କ ଆବେଦନର ଶୁଣାଣି କରିବେ ସୁପ୍ରିମକୋର୍ଟ । ବେଆଇନ ଅର୍ଥ କାରବାର ମାମଲାରେ ତାଙ୍କୁ ବିନା କାରଣରେ ଗିରଫ କରାଯାଇଛି ବୋଲି ସୁପ୍ରିମକୋର୍ଟରେ ଦର୍ଶାଇଥିଲେ କବିତ ।

ନିଜ ପିଟିସନରେ ସେ ଦର୍ଶାଇଥିଲେ ତାଙ୍କ ବିରୋଧରେ ଥିବା ରିମାଣ୍ଡ ଅର୍ଡର ଧାରା ୧୪୧ର ଉଲ୍ଲଂଘନ କରୁଛି । ସୁପ୍ରିମକୋର୍ଟଙ୍କ ଦ୍ବାରା ଘୋଷିତ ଧାରା ୧୪୧ ଦେଶର ସମସ୍ତ କୋର୍ଟ ଲାଗି ପ୍ରଯୁଜ୍ୟ । ମାତ୍ର ତାଙ୍କ କ୍ଷେତ୍ରରେ ଏହା ପାଳନ ହୋଇନାହିଁ । ସେହିପରି ପିଏମଏଲଏ ଆଇନର ଧାରା ୧୯-୧ ମଧ୍ୟ କବିତା ଚାଲେଞ୍ଜ କରିଛନ୍ତି ।

ଦିଲ୍ଲୀ ମଦନୀତି ମାମଲାରେ ଗତ ମାର୍ଚ୍ଚ ୧୫ ତାରିଖରେ ହାଇଦ୍ରାବାଦସ୍ଥିତ ନିଜ ବାସଭବନରୁ କବିତାଙ୍କୁ ଗିରଫ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ବାରମ୍ବାର ସମନ ସତ୍ତ୍ବେ ସେ ହାଜର ନ ହେବାରୁ ତାଙ୍କୁ ଗିରଫ କରିଥିଲା ଇଡି । କବିତାଙ୍କୁ ଗିରଫ କରିବାର ଦୁଇ ଦିନ ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଓ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଅନ୍ୟତମ ଦୁଇ ସହଅଭିଯୁକ୍ତ ବୋଲି ଦର୍ଶାଇଥିଲେ ଇଡି । ଏହି ମାମଲାରେ ମନୀଷ ସିସୋଦିଆ ଓ ସଞ୍ଜୟ ସିଂଙ୍କୁ ଗିରଫ କରାଯାଇଥିବାବେଳେ କେଜ୍ରିଓ୍ବାଲଙ୍କ ବିରୋଧରେ ବାରମ୍ବାର ସମନ ଜାରି କରିଆସୁଛି ଇଡି । ୧୨୯କୋଟି ଟଙ୍କାର ଦୁର୍ନୀତି ମାମଲାରେ ବର୍ତ୍ତମାନ ସୁଦ୍ଧା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ୧୫ ଜଣଙ୍କୁ ଗିରଫ କରିସାରିଲାଣି ।