ଝିଅ କବିତାଙ୍କୁ ବିଆରଏସରୁ ନିଲମ୍ବନ କଲେ ବାପା କେସିଆର

ନନ୍ଦିଘୋଷ ବ୍ୟୁରୋ: ତେଲଙ୍ଗାନା ରାଜନୀତିରେ ହଟଚମଟ । ଝିଅ ତଥା ଏମଏଲସି କେ. କବିତାଙ୍କୁ ବିଆରଏସରୁ ସସପେଣ୍ଡ କଲେ ସୁପ୍ରିମୋ କେ. ଚନ୍ଦ୍ରଶେଖର ରାଓ । କବିତାଙ୍କ ବାପା ତଥା ତେଲଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେସିଆରଙ୍କ ଏହି ନିଷ୍ପତ୍ତିକୁ ନେଇ ଏବେ ସବୁଠି ଚର୍ଚ୍ଚା । ଦଳ ବିରୋଧରେ କହି ବୁଲିବା କାରଣରୁ କବିତାଙ୍କୁ ସସପେଣ୍ଡ କରାଯାଇଥିବା କହିଛନ୍ତି କେସିଆର ।
ଦଳର ନୀତି ଓ ଆଦର୍ଶ ଉପରେ ଚାଲେଞ୍ଜ ସୃଷ୍ଟି କରୁଥିବାରୁ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି କହିଛି ଦଳ । କ୍ଷମତାରୁ ବିଦା ହୋଇଥିବା ବିଆରଏସ ନାନା ସଙ୍କଟ ଦେଇ ଗତି କରୁଥିବାବେଳେ କବିତାଙ୍କୁ ସସପେଣ୍ଡ କରିବା ଘଟଣା ଦଳ ଲାଗି ଅଧିକ ଚାଲେଞ୍ଜ ସୃଷ୍ଟି କରିଛି । ବାପା କେସିଆରଙ୍କ ଭାବମୂର୍ତ୍ତିକୁ ମଳିନ କରିବା ଲାଗି କିଛି ସହକର୍ମୀ ଷଡ଼ଯନ୍ତ୍ର କରୁଛନ୍ତି ବୋଲି କହିବାର ଦିନକ ପରେ ବିଆରଏସ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ବାପାଙ୍କୁ ଦୁର୍ନୀତିଗ୍ରସ୍ତ ବୋଲି ଦଳର ବରିଷ୍ଠ ନେତା ଟି. ହରିଶ ରାଓ ଓ ପୂର୍ବତନ ସାଂସଦ ମେଘା କ୍ରିଷ୍ଣାରେଡ୍ଡୀ ଉଦ୍ୟମ କରୁଛନ୍ତି ବୋଲି କବିତା କହିବା ପରେ ତାଙ୍କୁ ସସପେଣ୍ଡ ହେବାକୁ ପଡିଛି ।
ସେହିପରି ତାଙ୍କୁ ଦଳରେ ଏକ ଘରିଆ କରିବା ଲାଗି ହରିଶ ରାଓ ଓ ସନ୍ତୋଷ କୁମାର ଯୋଜନା କରୁଛନ୍ତି ବୋଲି କହିଥିଲେ କବିତା । ଗତ ଅଗଷ୍ଟ ୨୨ରେ ଆକସ୍ମିକ ଭାବେ ତେଲଙ୍ଗାନା ବୋଗୁ ଘନି କାର୍ମିକ ସଂଗଠନର ସୌଜନ୍ୟ ସଭାପତି ପଦରୁ କବିତାଙ୍କୁ ହଟାଯାଇଥିଲା । ବାପାଙ୍କ ନିକଟକୁ ପଠାଇଥିବା ଏକ ପତ୍ର ପ୍ରଘଟ ହେବା ପରେ କବିତାଙ୍କ ବିରୋଧରେ ଚର୍ଚ୍ଚା ଜୋର ଧରିଥିଲା ।