ତାମିଲ ସିନେମା ଅଭିନେତ୍ରୀଙ୍କୁ ମଦ ପାଇଁ ମାରିଦେଲା ପୁଅ

ନୂଆଦିଲ୍ଲୀ: ଭେଟେରାନ ଅଭିନେତ୍ରୀ କସମଲଙ୍କୁ ହତ୍ୟା କରାଯାଇଛି। ହତ୍ୟାକାରୀ ଆଉକେହି ନୁହେଁ ତାଙ୍କର ନିଜ ପୁଅ ପି ନାମକୋଡି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ମଦ ପାଇଁ ଟଙ୍କା ନଦେବାରୁ ଉତକ୍ଷିପ୍ତ ହୋଇ ନିଜ ମା’ ତଥା ଅଭିନେତ୍ରୀ କସମଲଙ୍କୁ ବାଡିରେ ପିଟିପିଟି ହତ୍ୟା କରିଛି ପୁଅ। ଅଭିନେତ୍ରୀଙ୍କ ଯନ୍ତ୍ରଣାଦାୟକ ମୃତ୍ୟୁକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

ସୂଚନା ଅନୁଯାୟୀ, ୨୦୨୨ ମସିହାରେ ମୁକ୍ତିଲାଭ କରିଥିବା ତାମିଲ ଚଳଚ୍ଚିତ୍ର ‘କାଦାଇସି ଭିଭାସାଇ’ ପାଇଁ ବେଶ ଲୋକପ୍ରିୟ ହୋଇଥିଲେ କସମଲ । ଏହି ଚଳଚ୍ଚିତ୍ରରେ ବିଜୟ ସେଥୁପତୀ ଏବଂ ଯୋଗୀ ବାବୁ ମୁଖ୍ୟ ଭୂମିକାରେ ନଜର ଆସିଥିଲେ। ଏମ.ମାଣିକନ୍ଦାନୀଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ କସମଲ ବିଜୟ ସେଥୁପାତୀଙ୍କ ମା ଭୂମିକାରେ ଅଭିନୟ କରିଥିଲେ।

 ଖବର ଅନୁଯାୟୀ, ଏହି ଘଟଣା ମଦୁରାଇ ସହରର ଉସିଲାମପଟୀ ନିକଟ ଅନାୟୁରରେ ଘଟିଥିଲା। ଏହି ଅଭିନେତ୍ରୀଙ୍କ ମୃତ୍ୟୁ ଫେବୃଆରୀ ୪ ତାରିଖରେ ହୋଇଥିଲା।  ପୋଲିସ ଏହି ମାମଲାରେ କସମଲଙ୍କ ପୁଅକୁ ଗିରଫ କରିଛି। ସେ ପୋଲିସ ହେପାଜତରେ ଅଛନ୍ତି। ଏହା ସହିତ ହତ୍ୟାରେ ବ୍ୟବହୃତ ସାମଗ୍ରୀ ମଧ୍ୟ ଜବତ କରାଯାଇଛି।

ପୋଲିସ ରିପୋର୍ଟ ଅନୁଯାୟୀ କସମଲ ଏବଂ ପି ନାମକୋଡିଙ୍କ ମଧ୍ୟରେ ଟଙ୍କା ପଇସାକୁ ନେଇ ବିବାଦ ଲାଗି ରହୁଥିଲା । ମଦ ପିଇବା ପାଇଁ ଟଙ୍କା ଦେବାକୁ ମନା କରିଦେଇଥିଲେ କସମଲ। ଯାହାପରେ ରାଗି ଯାଇ ମା’କୁ ମାରିବାକୁ ପଛାଇନଥିଲା ପୁଅ । ଏହି ଘଟଣା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିନେତ୍ରୀଙ୍କ ମୃତଦେହକୁ ଜବତ କରିବା ସହ ପୋଷ୍ଟମର୍ଟମ ପାଇଁ ପଠାଇଥିଲା।