କାକଟପୁର ନିର୍ବାଚନ ମଣ୍ଡଳୀରେ ରୋଚକ ସ୍ଥିତି, ମୈଦାନରେ ଜୋତା କାରିଗର

ନନ୍ଦିଘୋଷ ବ୍ୟୁରୋ: କାକଟପୁର ନିର୍ବାଚନ ମଣ୍ଡଳୀରେ ରୋଚକ ସ୍ଥିତି। ସାଧାରଣ ନିର୍ବାଚନ ମୈଦାନରେ ଜୋତା କାରିଗର। ସ୍ଵାଧୀନ ବିଧାୟକ ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇଛନ୍ତି କାକଟପୁର ପଞ୍ଚାୟତର କାର୍ତ୍ତିକ ରାଓ । ବେଳାଏ ଘର ଚିନ୍ତା, ଆଉ ବେଳାଏ ଭୋଟ ଚିନ୍ତା । ସକାଳ ବେଳା ନିଜ ବେପାର ସାରି ଉପରବେଳା ଘରକୁ ଘର ବୁଲି କରୁଛନ୍ତି ଭୋଟ ପ୍ରଚାର।

ଓଳିଏ ପେଟ ଚିନ୍ତା, ଓଳିଏ ଭୋଟ ପାଇଁ ପ୍ରଚାର। ସ୍ବପ୍ନକୁ ସତ କରିବାକୁ ଏବେ ନିର୍ବାଚନ ମୈଦାନରେ କାକଟପୁର ଥାନା ସାମ୍ନାରେ ବସୁଥିବା ଜୋତା କାରିଗର। କାକଟପୁର ନିର୍ବାଚନ ମଣ୍ଡଳୀର ବିକାଶ ପାଇଁ ଅଣ୍ଟାଭିଡିଛନ୍ତି ପୁରୀ ଜିଲ୍ଲା କାକଟପୁର ପଂଚାୟତର କାର୍ତ୍ତିକ ରାଓ । ସ୍ୱାଧୀନ ବିଧାୟକ ପ୍ରାଥୀ ଭାବେ ପ୍ରତିଦ୍ବନ୍ଦିତା କରି ଏବେ ଚର୍ଚ୍ଚାରେ  କାର୍ତ୍ତିକ। ପରିବାର ପ୍ରତିପୋଷଣ ପାଇଁ ସକାଳ ବେଳା ଦୋକନ ଖୋଲୁଛନ୍ତି ଏବଂ ଉପର ବେଳା ସମର୍ଥକଙ୍କ ସହ ଘର ଘର ବୁଲି ଭୋଟରଙ୍କୁ ମନାଇବାକୁ ଚେଷ୍ଟା କରୁଛନ୍ତି। ନିର୍ବାଚନୀ ବୈତରଣୀ ପାରହେବାକୁ ଜୋରଦାର ଚଲାଇଛନ୍ତି ପ୍ରୟାସ । ଏଥିସହିତ ନିର୍ବାଚନ ମଣ୍ଡଳୀର ବିକାଶ ପ୍ରତିଶୃତି ଦେଇ ଲୋକଙ୍କ ସୁଖ ଦୁଃଖରେ ସାଥୀ ହେବେ ବୋଲି ଭୋଟରଙ୍କୁ କଥା ଦେଉଛନ୍ତି ।

କାକଟପୁର ନିର୍ବାଚନ ମଣ୍ଡଳୀ ଅସ୍ତରଙ୍ଗ ବ୍ଲକର ୧୫ଟି ପଞ୍ଚାୟତ, କାକଟପୁର ବ୍ଲକର ୧୬ଟି ପଞ୍ଚାୟତ, ଗୋପ ବ୍ଲକର ୧୪ ଟି ପଞ୍ଚାୟତ ସମେତ କୋଣାର୍କ ଏନଏସିର ୧୩ଟି ୱାର୍ଡକୁ ନେଇ ଗଠିତ କାକଟପୁର ନିର୍ବାଚନ ମଣ୍ଡଳୀ । ସମସ୍ତ ରାଜନୈତିକ ଦଳ ପକ୍ଷରୁ ଚାଲିଛି ଜୋରଦାର ପ୍ରଚାର। ତେବେ ଜନତାଙ୍କ ମତ, ବିକାଶ ଯେଉଁଠି ଭୋଟ ସେଇଠି। ତେବେ ଜନତା କାହାକୁ ବାଛିବେ ତାହା ଦେଖିବାକୁ ବାକି ରହିଲା । ତେବେ ବିକାଶ ହିଁ ରହିଛି ପ୍ରମୁଖ ପ୍ରସଙ୍ଗ। ଦେଖିବାର କଥା କାକଟପୁର ବଜାରରେ ଜୋତା ସିଲେଇ କରୁଥିବା କାର୍ତିକ ରାଓ ଏହି ସାଧାରଣ ନିର୍ବାଚନୀ ପରୀକ୍ଷାରେ ପାସ ହେଉଛନ୍ତି ନା ଫେଲ ।