କଳାହାଣ୍ଡିର ଝିଅ ଅନମୋଲ ଅଙ୍କିତାଙ୍କ ଭାଷଣରେ କମ୍ପିଲା ସଂସଦ ଭବନ

1 min read

ନୂଆଦିଲ୍ଲୀ: କଳାହାଣ୍ଡିର ଝିଅ ଅନମୋଲ ଅଙ୍କିତାଙ୍କ ଭାଷଣରେ କମ୍ପିଲା ସଂସଦ ଭବନ। ଗାନ୍ଧୀ ଓ ଶାସ୍ତୀ ଜୟନ୍ତୀ ଅବସରରେ ସଂସଦ ଭବନ ପରିସରରେ ୟୁଥ ଲିଡରସିପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ସେଠାରେ ଆୟୋଜିତ ହୋଇଥିଲା ଜାତୀୟ ସ୍ତରର ଭାଷଣ ପ୍ରତିଯୋଗିତା।

ରାଜ୍ୟରେ ଭାଷଣରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଅଙ୍କିତା ଅନମୋଲ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଅନମୋଲ ଅଙ୍କିତା ସଂସଦ ଭବନର ସେଣ୍ଟ୍ରାଲ ହଲରେ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀଙ୍କ ଜୀବନୀ ଉପରେ ଭାଷଣ ରଖିଥିଲେ। କେନ୍ଦ୍ର ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା, ଏହା ପୂର୍ବରୁ ମଧ୍ୟ ଅଙ୍କିତା ଅନମୋଲ ଭାଷଣରେ ଅନେକ ପୁରସ୍କାର ପାଇବା ସହ ସମ୍ମାନିତ ହୋଇଛନ୍ତି।

ଅନ୍ତରାଜ୍ୟ ବିଶ୍ବବିଦ୍ୟାଳୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟପାଳଙ୍କଠାରୁ ୩୦ ହଜାର ଟଙ୍କା ପୁରସ୍କାର ପାଇଥିଲେ। ପ୍ୟାନେଲ ଆଲୋଚନା କାର୍ଯ୍ୟକ୍ରମରେ ଦ୍ବିତୀୟ ସ୍ଥାନରେ ରହିଥିଲେ। ସେହିପରି ପଶ୍ଚିମବଙ୍ଗରେ NSS ଦ୍ବାରା ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ହୋଇ ଦ୍ବିତୀୟ ସ୍ଥାନ ଅଧିକାର କରିଥିଲେ। ଆହୁରି ମଧ୍ୟ କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଦ୍ବାରା ଆୟୋଜିତ ଡିବେଟ୍ କାର୍ଯ୍ୟକ୍ରମରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ।