ହତଭାଗିନୀ ଭାଗ୍ୟବତୀ: ରାଜ୍ୟସ୍ତରୀୟ ଫୁଟବଲ ଖେଳାଳି ଏବେ ଚରାଉଛି ଛେଳି

କଳାହାଣ୍ଡି: ନାଁ ଭାଗ୍ୟବତୀ ଭତରା । ହେଲେ ଭାଗ୍ୟ ତାଙ୍କର କେବେ ସାଥ ଦେଇନି । ସଂଘର୍ଷମୟ ଜୀବନରେ ଆଗକୁ ବଢ଼ିଛନ୍ତି । ପ୍ରତିଷ୍ଠା ପାଇଛନ୍ତି ସତ, ହେଲେ ଭାଗ୍ୟ ତାଙ୍କୁ ପୁଣି ଟାଣି ଆଣିଛି ସେହି ଭୋକର ରାଇଜକୁ । ଆମେ କହୁଛୁ କଳାହାଣ୍ଡି ଜିଲ୍ଲା ଖୁଣ୍ଟିଆ ଗାଁର ଭାଗ୍ୟବତୀଙ୍କ କଥା । ରାଜ୍ୟସ୍ତରୀୟ ଫୁଟବଲ ଓ କ୍ରିକେଟ ଖେଳାଳି ଭାବେ ବେଶ ସୁନାମ ଅର୍ଜନ କରିଛନ୍ତି । ହେଲେ ଆର୍ଥିକ ସ୍ଥିତି ତାଙ୍କୁ ଆଜି ଛେଳି ଚରାଇବାକୁ ବାଧ୍ୟ କରୁଛି ।

ଘରେ ମାଳ ମାଳ ମାନପତ୍ର ସହ ଟ୍ରଫି। କିନ୍ତୁ ରାତି ପାହିଲେ ଛେଳି ଚରାଇବାକୁ ଯାଆନ୍ତି ଭାଗ୍ୟବତୀ । ଦିନେ ବିଭିନ୍ନ ରାଜ୍ୟକୁ ଖେଳିବାକୁ ଯାଇ ଆଣୁଥିଲେ ପୁରସ୍କାର । ଜମ୍ମୁ, ନାଗପୁର, ଗୋଆ, ମଧ୍ୟପ୍ରଦେଶ ଆଦି ରାଜ୍ୟରେ ଓଡିଶା କ୍ରିକେଟ ଦଳ ପାଇଁ ଅଲରାଉଣ୍ଡର ଭାବରେ ପ୍ରତିନିଧିତ୍ଵ କରି ଭଲ ପ୍ରଦର୍ଶନ କରି ଅନେକ ଥର ପୁରସ୍କୃତ ହୋଇଛନ୍ତି । କିନ୍ତୁ ଫୁଟବଲ ଓ କ୍ରିକେଟରେ ରୁଚି ରଖିଥବା ଭାଗ୍ୟବତୀଙ୍କ ଭାଗ୍ୟ ଆଜି ଜଙ୍ଗଲରେ କଟୁଛି ।

ବଣମଲ୍ଲୀ ବଣରେ ଫୁଟି ମଉଳିଗଲା ଭଳି ଭାଗ୍ୟବତୀଙ୍କ ପ୍ରତିଭା ତାଙ୍କ ଗାଁଦାଣ୍ଡ ଧୂଳିରେ ହଜିଯାଉଛି । ଆର୍ଥିକ ଅନଟନ ଦେଇ ଗତି କରୁଥିବା ପରିବାର ଭାଗ୍ୟବତୀଙ୍କ ଇଚ୍ଛାକୁ ପୂରଣ କରିବାରେ ଅସମର୍ଥ । ଘରର ଦୁର୍ବଳ ପରିସ୍ଥିତିକୁ ଦେଖି ଭାଗ୍ୟବତୀ ଛେଳି ଚରାଇବା ସହ ଚାଷ କାମରେ ପରିବାର ଲୋକଙ୍କୁ ସାହାଯ୍ୟ କରୁଛନ୍ତି । କାମରୁ ଟିକିଏ ଫୁରୁସତ ମିଳିଲେ କ୍ରିକେଟ ବ୍ୟାଟ୍ ଧରି ଭାଗ୍ୟବତୀ ଚାଲିଯାନ୍ତି ଗାଁ ଖେଳ ପଡିଆକୁ । କିଏ କହିପାରିବ କେତେବେଳେ ଖେଳିବା ପାଇଁ ଡାକରା ଆସିଯିବ । ଏହି ଆଶାରେ ସେ ଆଜି ବି ନିଜକୁ ଫିଟ ରଖିଛନ୍ତି । ଏତେ ପ୍ରତିଭାବାନ ଖେଳାଳି ହେବା ସତ୍ତ୍ବେ ପ୍ରଶାସନ ପକ୍ଷରୁ କୌଣସି ପ୍ରୋତ୍ସାହନ ମିଳି ନଥିବାରୁ ଦୁଃଖ ପ୍ରକାଶ କରି ସାହାଯ୍ୟ ଅପେକ୍ଷାରେ ଭାଗ୍ୟବତୀଙ୍କ ପରିବାର ।