ଜଗାକୁ ଛାଡ଼ି ଚାଲିଗଲା କାଳିଆ, SCBରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ

1 min read

କଟକ: ଜଗାକୁ ଛାଡ଼ି ଚାଲିଗଲା କାଳିଆ । କଟକ ଏସସିବିରେ ଚିକିତ୍ସାଧିନ ଅବସ୍ଥାରେ କାଳିଆର ମୃତ୍ୟୁ ହୋଇଛି । ଦିଲ୍ଲୀ ଏମ୍ସରେ ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆଙ୍କ ସଫଳ ଅସ୍ତ୍ରୋପଚାର ହୋଇଥିଲା । ପ୍ରାୟ ଦୁଇବର୍ଷ ଧରି ସେଠାରେ ଚିକିତ୍ସା ପରେ ପରିବାର ସହ ଦୁଇ ଭାଇ ଓଡ଼ିଶା ଫେରିଥିଲେ । ଦିଲ୍ଲୀ ଏମ୍ସ ତତ୍ତ୍ୱାବଧାନରେ କଟକ ଏସସିବିରେ ଏକ ଡାକ୍ତରୀ ଦଳ ଦୁଇ ଭାଇଙ୍କ ଚିକିତ୍ସା କରୁଥିଲେ ।

ଜଗାର ସ୍ୱାସ୍ଥ୍ୟାବସ୍ଥାରେ ଦ୍ରୁତ ଉନ୍ନତି ଘଟିଥିବାବେଳେ କାଳିଆ ସ୍ୱାସ୍ଥାବସ୍ଥାରେ ସେତେଟା ସୁଧାର ଦେଖିବାକୁ ମିଳିନଥିଲା । ବାରମ୍ବାର କାଲିଆ ଦେହରେ ଜ୍ୱର ଲାଗିରହୁଥିଲା । ଚିକିତ୍ସା ଚାଲିଥିବାବେଳେ ଆଜି ସକାଳୁ ହଠାତ କାଳିଆର ସ୍ୱାସ୍ଥ୍ୟବସ୍ଥା ଅବନତି ଘଟିଥିଲା । ତାକୁ ଆଇସିୟୁ ପରେ ଭେଣ୍ଟିଲେଟରେ ରଖାଯାଇଥିଲା । ସ୍ୱତନ୍ତ୍ର ଡାକ୍ତରୀ ଦଳର ଶତଚେଷ୍ଟା ପରେ ଆଜି କାଳିଆ ମୃତ୍ୟୁ ହୋଇଛି । ରାତି ପ୍ରାୟ ୯ଟା୧୦ରେ ସେପ୍ଟିସେମିଆରେ କାଳିଆର ମୃତ୍ୟୁ ହୋଇଛି । କାଳିଆର ମୃତ୍ୟୁକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ଶାସନ ସଚିବ ।

କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ମିଲିପଡ଼ାର ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆ ୨୦୧୭ ଜୁଲାଇ ୧୪ରେ ଦିଲ୍ଲୀ ଏମସରେ ଭର୍ତ୍ତି ହୋଇଥିଲେ । ଜଗାକାଳିଆଙ୍କ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡରୁ ୧ କୋଟି ଟଙ୍କା ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୫ ଅକ୍ଟୋବର ୨୦୧୭ରେ ଜଗା-କାଳିଆଙ୍କ ଅପରେସନ ହୋଇଥିଲା । ଦୀର୍ଘ ୨୦ ଘଣ୍ଟା ଧରି ଅସ୍ତ୍ରୋପଚାର କରିଥିଲେ ୧୨୫ ଜଣିଆ ଡାକ୍ତରୀ ଟିମ୍ । ୬ ସେପ୍ଟେମ୍ବର ୨୦୧୯ ରେ ଜଗା କାଳିଆକୁ ଦିଲ୍ଲୀ AIIMSରୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ୭ ସେପ୍ଟେମ୍ବର ୨୦୧୯ ରେ ଜଗାକାଳିଆ କଟକ ଏସସିବିରେ ଭର୍ତ୍ତି ହୋଇଥିଲେ ।

Leave a Reply