କରୋନା କାଳରେ ସ୍କୁଲ ହତା ସବୁ ପାଲଟିଲାଣି ଜଙ୍ଗଲ: କାଲିମେଳା ବ୍ଳକର ଏହି ସ୍କୁଲ ବଜାୟ ରଖିଛି ତା’ ସୌନ୍ଦର୍ଯ୍ୟତା

କାଲିମେଳା: କରୋନା ଖାଇଛି ପିଲାଙ୍କ ପାଠପଢ଼ା । ସ୍କୁଲ ବନ୍ଦ ଥିବାରୁ ଅନେକ ବିଦ୍ୟାଳୟ ହତା ଏବେ ଜଙ୍ଗଲ ପାଲଟିଲାଣି । ହେଲେ କାଲିମେଳା ବ୍ଲକ୍ ଅନ୍ତର୍ଗତ ତେଲରାଇ ପଞ୍ଚାୟତ ଜବାନିପାଲୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କିନ୍ତୁ ତାର ସୌନ୍ଦର୍ଯ୍ୟ ବଜାୟ ରଖିଛି । ଉପାନ୍ତ ଅଞ୍ଚଳ ହୋଇଥିଲେ ସୁଦ୍ଧା ଏହାର ପରିବେଶ ଲୋକଙ୍କୁ ଆକର୍ଷିତ କରୁଛି । ସ୍କୁଲ ବନ୍ଦ ଥିବା ଯୋଗୁଁ ଅନଲାଇନ୍ କ୍ଲାସ ଚାଲିଥିବା ବେଳେ ଏହାର ସୌନ୍ଦର୍ଯ୍ୟକରଣ ପାଇଁ ବିଶେଷ ଦୃଷ୍ଟି ଦେଇଛନ୍ତି ସ୍କୁଲ ପ୍ରଧାନଶିକ୍ଷକ ।

ମନ ମୋହୁଛି ଜବାନପାଲୀ ସ୍କୁଲ ପରିବେଶ । ଆକର୍ଷଣୀୟ ବଗିଚା ସାଙ୍ଗକୁ ଫଳ, ଫୁଲର ସମ୍ଭାର । ସ୍ୱଚ୍ଛ ଓ ସୁନ୍ଦରତା ପାଇଁ ସାଉଁଟୁଛି ପ୍ରଶଂସା । କରୋନା ଯୋଗୁଁ ରାଜ୍ୟର ସମସ୍ତ ସ୍କୁଲ ବନ୍ଦ ରହିଛି । ଉପାନ୍ତ ଅଞ୍ଚଳରେ ଅନେକ ବିଦ୍ୟାଳୟ ରକ୍ଷଣାବେକ୍ଷଣ ଅଭାବରୁ ଜଙ୍ଗଲ ହେଲାଣି । ନିକଟରେ କିଛି ସ୍କୁଲର ଶ୍ରେଣୀଗୃହ ଗୋଦାମ ପାଲଟିଥିବା ଦେଖିବାକୁ ମିଳିଛି । କେନ୍ଦୁପତ୍ର, ସିମେଣ୍ଟ, ଲୁହାଛଡ ପଡ଼ି ରହିଥିବାବେଳେ ହତାରେ ଚରୁଛନ୍ତି ଗାଈଗୋରୁ । କିନ୍ତୁ ଉପାନ୍ତ କାଲିମେଳା ବ୍ଲକ୍ ଅନ୍ତର୍ଗତ ତେଲରାଇ ପଞ୍ଚାୟତ ଜବାନିପାଲୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କିନ୍ତୁ ତାର ସୌନ୍ଦର୍ଯ୍ୟ ପାଇଁ ସାଉଁଟୁଛି ପ୍ରଶଂସା ।

୧୯୭୧ ରେ ସ୍ଥାପିତ ହୋଇଥିଲା ଏହି ବିଦ୍ୟାଳୟ । ୨୦୦୬ରେ ନବ କିଶୋର ମଲ୍ଲିକ ଏଠାକୁ ଆସିବା ପରେ ଏହାର ସୌନ୍ଦର୍ଯ୍ୟକରଣ ପାଇଁ ଅଧିକ ଗୁରୁତ୍ବ ଦେଇଛନ୍ତି । ଖାଲି ସୌନ୍ଦର୍ଯ୍ୟକରଣ ନୁହେଁ ହତାରେ ଲାଗିଥିବା ବିଭିନ୍ନ ପନିପରିବା ମଧ୍ୟ ସମସ୍ତଙ୍କୁ ଆକର୍ଷିତ କରୁଛି । ଡାଳିମ୍ବ, ଲିଚୁ, ତେଜପତ୍ର, ଗୁଜୁରାତି, ତୁଳସୀ ପରି ଅନେକ ଔଷଧୀୟ ବୃକ୍ଷ ରହିଛି । ତେବେ ୨୦ ଫୁଟର ସେଓ ଗଛରେ ଫଳିଥିବା ପେନ୍ଥାପେନ୍ଥା ସେଓ ଦେଖିବାକୁ ଲୋକଙ୍କ ଆଗ୍ରହ ବଢୁଛି । କରୋନା ମହାମାରୀ ଯୋଗୁଁ ଶିକ୍ଷକମାନେ ଗାଁ ଗାଁ ବୁଲି ଛାତ୍ରଛାତ୍ରୀମାନଙ୍କୁ ୟୁଟ୍ୟୁବ ମାଧ୍ୟମରେ ଶିକ୍ଷାଦାନ କରୁଛନ୍ତି । ଏପରିସ୍ଥିତିରେ ସ୍କୁଲର ରକ୍ଷଣାବେକ୍ଷଣ କରିବାକୁ ଶିକ୍ଷକମାନେ ପରାମର୍ଶ ଦେଇଛନ୍ତି ।

ଏଥିସହିତ ପଢ଼ନ୍ତୁ: ଜନ୍ମବେଦୀରେ ମହାପ୍ରଭୁ: ଆଜିଠୁ ବାହାରିବ ଆଡ଼ପ ଅବଢ଼ା

Leave a Reply