ନିର୍ଦ୍ଧାରିତ ସମୟ ପୂର୍ବରୁ କଲମା ଡ୍ୟାମର ୬୩ଟି ଗେଟ୍ ବନ୍ଦ କଲା ଛତିଶଗଡ଼

ସମ୍ବଲପୁର: ପୁଣି ଚାଲାକି ଦେଖାଇଲା ଛତିଶଗଡ଼ । ନିର୍ଦ୍ଧାରିତ ସମୟ ପୂର୍ବରୁ ବନ୍ଦ କଲା କଲମା ଡ୍ୟାମର ୬୩ଟି ଗେଟ୍ । ମୋଟ ୬୬ ଗେଟ ମଧ୍ୟରୁ ୬୩ଟି ଗେଟକୁ  ସମ୍ପୁର୍ଣ୍ଣ ବନ୍ଦ କରି ଦେଇଥିବା ବେଳେ ୩ଟି ଗେଟକୁ ଆଂଶିକ ଖୋଲା ରଖିଛି । ସେପଟେ ନିର୍ଦ୍ଧାରିତ ନିୟମ ଅନୁସାରେ ନଭେମ୍ବର ପର୍ଯ୍ୟନ୍ତ ଗେଟ୍ ଖୋଲା ରଖିବା କଥା । ହେଲେ ଶିଳ୍ପକୁ ପାଣି ଦେବା ପାଇଁ ଛତିଶଗଡ଼ ପୁଣି ଏଭଳି ଚାଲାକି ଦେଖାଇଛି । ପାଣଶି ଅଟକାଇବା ଦ୍ବାରା ଗଭୀର ଭାବେ ପ୍ରଭାବିତ ହେଉଛି ଓଡିଶାର ଜୀବନ ରେଖା କୁହାଯାଉଥିବା ମହାନଦୀ । ପୂର୍ବରୁ ସମୟ ପୂର୍ବରୁ ସରାଡିହି ବ୍ୟାରେଜ, ଶିଓରି ନାରାୟଣ ବ୍ୟାରେଜର ସମସ୍ତ ଗେଟକୁ ବନ୍ଦ କରିଥିଲା ଛତିଶଗଡ଼ ।

ଛତିଶଗଡ଼ ସରକାର ନିଜ ପୂର୍ବ ଯୋଜନା ଅନୁଯାୟୀ ଉପର ମୁଣ୍ଡରେ ଥିବା ବ୍ୟାରେଜଗୁଡ଼ିକ ଗୋଟିଏ ଗୋଟିଏ ବ୍ୟାରେଜର ଗେଟ୍‌ ବନ୍ଦ କରିଥାଏ। ସବାଶେଷରେ କଲମା ବ୍ୟାରେଜର ଗେଟ୍ ବନ୍ଦ କରିଥାଏ। ୧୨ ତାରିଖ ‌ବେଳକୁ ସାରାଡ଼ିହ ବ୍ୟାରେଜର ୮୧ଟି ଗେଟ୍‌ ମଧ୍ୟରୁ ୭୫ଟି ଗେଟ୍‌ ବନ୍ଦ କରିସାରିଥିଲା। ପ୍ରାୟ ୧ କିଲୋମିଟର ୯୮ ମିଟର ଦୈର୍ଘ୍ୟ ବିଶିଷ୍ଟ କଲ୍‌ମା ବ୍ୟାରେଜରେ ଛତିଶଗଡ଼ ପଟେ ଏବେ ପାଣି ଲହଡ଼ି ଭାଂଗୁଥିବା ବେଳେ ଓଡ଼ିଶା ପଟକୁ ମହାନଦୀ ଶୁଖିଲା ପ୍ରାୟ। ୩ଟି ଗେଟ୍ ଖୋଲା ଥିଲେ ହେଁ ମାତ୍ର ୫୯୯୭ କ୍ୟୁ‌ସେକ୍ ପାଣି ମହାନଦୀରେ ଆସୁଛି।

ଅକ୍ଟୋବର ଶେ‌ଷ ସୁଦ୍ଧା ଛତିଶଗଡ଼ କଲ୍‌ମାର ସବୁ ଗେଟ୍ ବନ୍ଦ କରିବାର ଯୋଜନା ରଖିଛି। କଲ୍‌ମା ବ୍ୟାରେଜରୁ ୮ଟି ଶିଳ୍ପାନୁଷ୍ଠାନକୁ ଜଳଯୋଗାଣ ନିମନ୍ତେ ଛତିଶଗଡ଼ ସରକାର ଚୁକ୍ତି କରିଛନ୍ତି। ଏଥର ଆଗୁଆ ବ୍ୟାରେଜଗୁଡ଼ିକର ଗେଟ୍‌ ପକାଇବା ଆରମ୍ଭ କରିଥିବାରୁ ଏହାର ପ୍ରଭାବ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଉପରେ ବି ପଡ଼ିଛି। ଆଜି ଜଳଭଣ୍ଡାରର ଜଳସ୍ତର ୬୨୮.୪୩ ଫୁଟ୍‌କୁ ଖସି ଆସିଲାଣି। ଜଳଭଣ୍ଡାରକୁ ଯେତିକି ପାଣି ଆସୁଛି, ସେତିକି ନିଷ୍କାସିତ ହେଉଛି। ଜଳବିଦ୍ୟୁତ ଉତ୍ପାଦନ ନିମନ୍ତେ ପାୱାର ଚାନେଲରେ ଅଧିକ ପାଣି ଛଡ଼ାଗଲେ ଜଳସ୍ତର ଆହୁରି ଶୀଘ୍ର ଖସିବ।