spot_img

Latest Posts

ମନେ ରହିବେ ସୁନେଲି ଧାନ ବିଲ ସାମ୍ରାଜ୍ଯର ପାଟରାଣୀ

ନନ୍ଦିଘୋଷ ବ୍ୟୁରୋ: ସ୍ବର୍ଗରେ ସୁନେଲି ଧାନ ବିଲ ସାମ୍ରାଜ୍ଯର ପାଟରାଣୀ। ଚାଲିଗଲେ ପଦ୍ମଶ୍ରୀ କମଳା ପୂଜାରୀ । ଏସସିବି ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୬ବର୍ଷ ହେଇଥିଲା। ହୃଦଘାତରେ ତାଙ୍କର ପରଲୋକ ହୋଇଛି। ଏସସିବି ମେଡିକାଲର ଆଇସିୟୁରେ ଭର୍ତ୍ତି ପରେ ତାଙ୍କର ଚିକିତ୍ସା ଚାଲିଥିଲା।

ସୁନେଲି ଧାନ ବିଲ ସାମ୍ରାଜ୍ଯର ପାଟରାଣୀ। ଅଖ୍ଯାତ ପଲ୍ଲୀର ବିଖ୍ଯାତ ନାଁ କମଳା ପୂଜାରୀ। ୧୯୪୮ ମସିହାରେ କୋରାପୁଟ ଜୟପୁର ବ୍ଲକ ପାତ୍ରପୁଟ ଗାଁରେ କମଳାଙ୍କ ଜନ୍ମ। ପିଲାଟି ଦିନରୁ ଚାଷ ପ୍ରତି ଥିଲା ତାଙ୍କର ଦୁର୍ବଳତା। ସେ ଜୈବିକ ପଦ୍ଧତିରେ ପ୍ରାୟ ୧୦୦ରୁ ଅଧିକ କିସମର ଧାନ ଉତ୍ପାଦନ ଓ ସଂରକ୍ଷଣ କରି ବେଶ୍ ଚର୍ଚ୍ଚାକୁ ଆସିଥିଲେ। ପୁରୁଣା ଧାନ ବିହନକୁ ବିଭିନ୍ନ ଉପାୟରେ ସାଇତି ରଖିଥିବାରୁ ୨୦୧୯ ମାର୍ଚ୍ଚ ୧୬ ତାରିଖରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନ ମିଳିଥିଲା। ପ୍ରଥମ ଆଦିବାସୀ ମହିଳା ଭାବେ କୋରାପୁଟ ଜିଲ୍ଲାରୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ ହୋଇଥିଲେ କମଳା। ବିଶ୍ଵକୁ ବିରଳ କଳାଜିରା ପ୍ରଜାତିର ଧାନ ଉପହାର ଦେଇ ଜଣେ କୃଷି ବିଜ୍ଞାନୀ ହେବାର ସେ ସୌଭାଗ୍ୟ ଲାଭ କରିଥିଲେ। ପାରମ୍ପରିକ ଧାନ କିସମ ଯଥା କଳାଜିରା, ବାୟାମଣ୍ଡା, ଆସାମଚୁଡ଼ି ଆଦିର ସଂରକ୍ଷଣ କ୍ଷେତ୍ରରେ କମଳା ପୂଜାରୀ ଅନ୍ତର୍ଜାତୀୟ ସ୍ତରରେ ସମ୍ମାନିତ ହୋଇଥିଲେ। ନାରୀ ସଶକ୍ତିକରଣ ସହିତ ଜଙ୍ଗଲ ସୁରକ୍ଷା ନିମନ୍ତେ ସେ ପ୍ରାରମ୍ଭିକ ଅବସ୍ଥାରେ ୨୧ ଜଣ ଉତ୍ସର୍ଗୀକୃତ ତଥା କର୍ମଠ ମହିଳାଙ୍କୁ ନେଇ ନିଜ ଗାଆଁରେ “ତ୍ରିନାଥ ଠାକୁର ବନ ସୁରକ୍ଷା ସମିତି” ନାମକ ଏକ ସଂଘ ଗଠନ କରି ଜଙ୍ଗଲ ସୁରକ୍ଷା କ୍ଷେତ୍ରରେ କାମ କରିଥିଲେ ।

କମଳା ପୂଜାରୀ ଅନେକ ଦିନରୁ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ। ଗତ ମଙ୍ଗଳବାର ସେ ଅସୁସ୍ଥ ହେବା ପରେ ତାଙ୍କୁ ଜୟପୁର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏହାପରେ ତାଙ୍କର ସ୍ଥିତି ଅଧିକ ଖରାପ ହେବାରୁ ତାଙ୍କୁ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ସକାଳୁ ହୃଦଘାତରେ ତାଙ୍କର ପରଲୋକ ହୋଇଛି। ଏସସିବି ମେଡିକାଲର ଆଇସିୟୁରେ ଭର୍ତ୍ତି ପରେ ତାଙ୍କର ଚିକିତ୍ସା ଚାଲିଥିଲା। ମେଡିସିନ ବିଭାଗର ପ୍ରଫେସର ଡାକ୍ତର ଜୟନ୍ତ ପଣ୍ଡାଙ୍କ ନେତୃତ୍ବରେ ଏକ ୪ ଜଣିଆ ଡାକ୍ତରୀ ଟିମ୍ ତାଙ୍କର ଚିକିତ୍ସା କରୁଥିଲେ। କିଡନୀ ଜନିତ ସମସ୍ୟା ସହ ଜ୍ବର ରୋଗରେ ଆକ୍ରାନ୍ତ ହୋଇଥିଲେ କମଳା ପୂଜାରୀ। ସକାଳେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଅଧିକ ଖରାପ ହୋଇଥିଲା ଏବଂ ପରେ ତାଙ୍କର ମୃତ୍ୟୁ ହୋଇଥିଲା। ମୃତ୍ଯୁ ବେଳକୁ କମଳାଙ୍କୁ ୭୬ ବର୍ଷ ବୟସ ହୋଇଥିଲା।

 

Latest Posts

Don't Miss