spot_img

Latest Posts

ଉଦ୍ଧବ ଠାକରେଙ୍କ ମନ୍ତବ୍ୟ ନେଇ ରାଗିଗଲେ କଙ୍ଗନା, କହିଲେ ଏମିତି କଥା…

ମୁମ୍ବାଇ: କଙ୍ଗନା ରାନାୱତ ଏବଂ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ମଧ୍ୟରେ ପୁଣିଥରେ ବିବାଦ ଆରମ୍ଭ ହୋଇଛି। ଏଥର ଡ୍ରଗ୍ସ ପ୍ରସଙ୍ଗ ଉପରେ ଉଭୟଙ୍କର ବୟାନବାଜି ଦେଖିବାକୁ ମିଳିଛି । ନିକଟରେ ମୁଖ୍ୟମନ୍ତ୍ରୀ ଠାକରେ ଦଶହରା ରାଲିରେ କଙ୍ଗନାଙ୍କୁ ଆକ୍ଷେପ କରି କହିଥିଲେ ଯେ, କିଛି ଲୋକେ ମୁମ୍ବାଇକୁ ଡ୍ରଗ୍ସର ହବ୍ କହି ଅସମ୍ମାନ କରିବାକୁ ଚେଷ୍ଟା କରୁଛନ୍ତି। ଏହା ବ୍ୟତୀତ କଙ୍ଗନାଙ୍କ ଜନ୍ମ ରାଜ୍ୟ ହିମାଚଳ ପ୍ରଦେଶକୁ ଇଙ୍ଗିତ କରି ଠାକରେ କହିଥିଲେ ଯେ, ଗଞ୍ଜେଇ ଚାଷ କେଉଁଠାରେ ସବୁଠାରୁ ଅଧିକ ହୁଏ ତାହା ଲୋକେ ବୋଧେ ଜାଣିନାହାନ୍ତି । ବାସ୍ତବରେ ଏହା କଙ୍ଗନାଙ୍କୁ ଏକ କଟାକ୍ଷ ଥିଲା । କଙ୍ଗନାଙ୍କ ରାଜ୍ୟ ହିମାଚଳପ୍ରଦେଶ ଏକ ପ୍ରମୁଖ ଗଞ୍ଜେଇ ଉତ୍ପାଦନ କରୁଥିବା ରାଜ୍ୟ । ତେଣୁ ତାଙ୍କୁ ଛିଗୁଲେଇବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ଏଭଳି ମନ୍ତବ୍ୟ ରଖିଛନ୍ତି । ତେବେ ମୁଖ୍ୟମନ୍ତ୍ରୀଙ୍କର ଏହି ମନ୍ତବ୍ୟକୁ ନେଇ କଙ୍ଗନା କଡ଼ା ଜବାବ ଦେଇଛନ୍ତି।କଙ୍ଗନା ଟ୍ୱିଟ୍ କରି କହିଛନ୍ତି- ‘ମୁଖ୍ୟମନ୍ତ୍ରୀ ଲଜ୍ଜା ଅନୁଭବ କରିବା କଥା । ସରକାର ହୋଇ, ନିଜେ ଏଭଳି ପ୍ରସଙ୍ଗରେ ମତପୋଷଣ କରିବା ଆଦୌ ଉଚିତ୍ ନୁହେଁ । ଏଭଳି କରି ସେ ନିଜ ମାନସମ୍ନାନକୁ ହରାଉଛନ୍ତି ।

ମୁଖ୍ୟମନ୍ତ୍ରୀ  ନିଜ ପଦମର୍ଯ୍ୟାଦାର ମୂଲ୍ୟବୋଧକୁ ଧ୍ୟାନରେ ରଖି ମନ୍ତବ୍ୟ ରଖିବା ଉଚିତ୍ । ଯେଉଁଭଳି ଭାବେ ଉଦ୍ଧବ ବ୍ୟବହାର କରୁଛନ୍ତି, ମନେ ହେଉଛି ଯେ ସେ ମୁଖ୍ୟମନ୍ତ୍ରୀ ପଦରେ ରହିବା ପାଇଁ ଯୋଗ୍ୟ ନୁହଁନ୍ତି । ଏହା ସହ ନିଜ ପୋଷ୍ଟରେ ସେ ଉଦ୍ଧବଙ୍କ ଉଦ୍ଦେଶ୍ୟରେ SHAME(ଲଜ୍ୟା) ଶବ୍ଦକୁ ମଧ୍ୟ ଉଲ୍ଲେଖ କରିଛନ୍ତି । ହିମାଚଳ ପ୍ରଦେଶ ଭଳି ରାଜ୍ୟ ବିଷୟରେ ଏଭଳି ଛୋଟ ଏବଂ ଖରାପ ଧାରଣା ରଖିଥିବା ଲୋକ କେବଳ ଖରାପ ରାଜନୀତି ହିଁ କରିପାରିବେ। ହିମାଚଳ ପ୍ରଦେଶ ଭଗବାନ ଶିବ ଏବଂ ମାଆ ପାର୍ବତୀଙ୍କ ବାସସ୍ଥାନ । ସେଠାରେ ମାର୍କଣ୍ଡିୟ, ମନୁ ଋଷି ଏବଂ ପାଣ୍ଡବଙ୍କ ଭଳି ମହାନ ସାଧକମାନେ ଅନେକ ଦିନ ବିତାଇଥିଲେ । ମୁଖ୍ୟମନ୍ତ୍ରୀଙ୍କର ହୀନ ମାନସିକତା ତାଙ୍କ ମନ୍ତବ୍ୟରୁ ସ୍ପଷ୍ଟ ବାରି ହୋଇପଡୁଛି ।

ହିମାଚଳ ଭଳି ଦେବ ଭୂମିକୁ ଉଦ୍ଧବ ଅପମାନ କରିଛନ୍ତି । ସେଠାରେ ସର୍ବାଧିକ ସଂଖ୍ୟକ ମନ୍ଦିର ରହିଛି ଏବଂ ଶୂନ୍ୟ ଅପରାଧ ହାର ମଧ୍ୟ ରହିଛି । ସେଠାରେ ଥିବା ଜମି ଖୁବ ନିଆରା ଯେଉଁଠାରେ ସବୁ ପ୍ରକାର ଫଳ ଚାଷ କରାଯାଏ । କେବଳ ସେତିକି ନୁହେଁ କଙ୍ଗନା ଏହା ମଧ୍ୟ କହିଛନ୍ତି ଯେ, ଉଦ୍ଧବ ରାଜ୍ୟର ସରକାର । ମାଲିକ ଭଳି ବ୍ୟବହାର କରିବା ବନ୍ଦ କରନ୍ତୁ । ଦେଶକୁ ବିଭାଜନ କରିବାର ଅପପ୍ରଚେଷ୍ଟାରୁ ବିରତ ରୁହନ୍ତୁ ।

ଉଲ୍ଲେଖଯୋଗ୍ୟ ଯେ, ସୁଶାନ୍ତ ସିଂ ରାଜପୁତଙ୍କ ମାମଲା ପରଠୁ କଙ୍ଗନା ରାନାୱତ ଏବଂ ଠାକରେଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଥିଲା। କଙ୍ଗନା ଥରେ ନିଜ ବୟାନରେ ମୁମ୍ବାଇକୁ PoK ସହିତ ତୁଳନା କରିଥିଲେ । ସେବେଠାରୁ ସଞ୍ଜୟ ରାଉତଙ୍କ ସମେତ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କଙ୍ଗନାଙ୍କୁ ଟାର୍ଗେଟ କରିଥିଲେ। ଏବଂ ସେମାନଙ୍କ ମଧ୍ୟରେ ଆଜି ଯାଏଁ ବିବାଦ ଜାରି ରହିଛି ।

Latest Posts

Don't Miss