ନାବାଳିକାକୁ ଅସଦାଚରଣ କଲେ, ପରିବାର ଲୋକଙ୍କୁ ବାନ୍ଧିଲେ

ବାଲେଶ୍ବର:  ଜଳେଶ୍ବର ରାଇବଣିଆ ଥାନା କାଳିକା ପଞ୍ଚାୟତରେ କଙ୍ଗାରୁ କୋର୍ଟ । ନାବାଳିକାଙ୍କୁ ଅସଦାଚରଣର ପ୍ରତିବାଦ କରିବାରୁ ପରିବାର ଲୋକଙ୍କୁ ବାନ୍ଧିଲେ ଗ୍ରାମବାସୀ । ନୂଆବର୍ଷ ଦିନ ଏକ କାର୍ଯ୍ୟକ୍ରମରେ ନାବାଳିକାଙ୍କୁ କିସୁନ ବେଶ୍ରା ନାମକ ଜଣେ ଯୁବକ ଅସଦାଚରଣ କରିଥିଲେ । ନାବାଳିକାଙ୍କ ପରିବାର ଲୋକ ଏହାକୁ ବିରୋଧ କରିବାରୁ ଯୁବକଙ୍କ ସାଙ୍ଗମାନେ ସେମାନଙ୍କୁ ଆକ୍ରମଣ କରିଥିଲେ । ଯୁବକଙ୍କୁ ଅଟକ ରଖି ନାବାଳିକାଙ୍କ ପରିବାର ଲୋକ ପୋଲିସକୁ ଖବର ଦେଇଥିଲେ ।

ସେପଟେ ପରଦିନ ପୋଲିସ ଗାଁରେ ପହଞ୍ଚିବା ପରେ ସ୍ଥାନୀୟ ଲୋକ ଜେରାଦାର ବିରୋଧ କରିଥିଲେ । ପୋଲିସ ଗାଁରୁ ଫେରି ଆସିବା ପରେ ନାବାଳିକାଙ୍କ ପରିବାରର ୫ଜଣଙ୍କୁ ପ୍ରାୟ ୬ଘଣ୍ଟା ଧରି ଗ୍ରାମବାସୀ ବାନ୍ଧି ରଖିବା ସହ ମାରପିଟ କରିଥିଲେ । ଏହାସହ ଗ୍ରାମର ମୁଖିଆ ଓ ସରପଞ୍ଚଙ୍କ ଉପସ୍ଥିତିରେ ନାବାଳିକାଙ୍କ ପରିବାରକୁ ୧ଲକ୍ଷ ଟଙ୍କା ଜରିମାନା ଦେବାକୁ କହିଥିଲେ । ଟଙ୍କା ଦେବା ପାଇଁ ରାଜି ହେବାପରେ ସେମାନଙ୍କୁ ଛଡ଼ା ଯାଇଥିଲା । ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ନାବାଳିକାଙ୍କ ପରିବାର ପକ୍ଷରୁ ଦାବି କରାଯାଇଛି  ।