ପାକିଂ ବିବାଦକୁ ନେଇ ବ୍ୟକ୍ତିଙ୍କ ନାକ କାମୁଡି ଛିଣ୍ଡାଇଲେ କାନପୁରର ଅଫିସର

1 min read

ନନ୍ଦିଘୋଷ ବ୍ୟୁରୋ: କାନପୁରରୁ ଆସିଛି ଏକ ହୃଦୟ ଥରାଇଦେବା ଭଳି ଘଟଣା । ପାକିଂ ବିବାଦକୁ ନେଇ ବ୍ୟକ୍ତିଙ୍କ ନାକ କାମୁଡି ଛିଣ୍ଡାଇ ଦେଇଛନ୍ତି ଗୁଣ୍ଡାଗର୍ଦ୍ଦି କରୁଥିବା ଜଣେ ଅପିସର । ଇମ୍ପୋର୍ଟ- ଏକ୍ସପୋର୍ଟ ବିଭାଗର ଡେପୁଟୀ ଡାଇରେକ୍ଟର କ୍ଷିତିଜ ମିଶ୍ରା ନିଜର ଏମିତି ରୂପ ଦେଖାଇଛନ୍ତି ଯାହାକୁ ସମସ୍ତଙ୍କୁ ଚକିତ କରି ଦେଇଛି । ପ୍ରଥମେ ସୋସାଇଟିର ସେକ୍ରେଟାରୀ ଆରଏସ୍ ଯାଦବଙ୍କୁ ଥାପଡ ମାରିଲେ ପରେ ପଶୁ ଭଳି ଦାନ୍ତରେ କାମୁଡି ନାକକୁ ଅଲଗା କରିଦେଇଛନ୍ତି । ଏହି ପୁରା ଘଟଣା ସୋସାଇଟିରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି । ପୀଡିତ ସେକ୍ରେଟାରୀଙ୍କ ଅବସ୍ଥା ସ୍ଥିର ଥିବା ବେଳେ ତାଙ୍କ ନାକର ଅସ୍ତ୍ରୋପ୍ରଚାର ପାଇଁ ପ୍ରସ୍ତୁତି କରାଯାଉଛି ।

ଝିଅ କହିଲେ ଭୟାନକ କାହାଣୀ

ସୋସାଇଟି ସେକ୍ରେଟାରୀ ଆରଏସ  ଯାଦବଙ୍କ ଝିଅ କାନ୍ଦି କାନ୍ଦି କହିଛନ୍ତି ସେଦିନ ରାତିର ଘଟଣା । ହଠାତ ସେଦିନ ରାତିରେ କ୍ଷିତିଜା ମିଶ୍ର ବାପାଙ୍କୁ ଫୋନ କରିକି ପଚାରିଥିଲେ ମୋ ପାର୍କିଂ ଏରିଆରୁ ଗାଡି ହଟେଇବାକୁ  । ବାପା କହିଥିଲେ ଯେ, ଗାଡି ଆମର ନୁହେଁ ମୁଁ ଦେଖୁଛି ଏହା କାହାର ଗାଡି । କିନ୍ତୁ ସେ ବହୁତ ରାଗିକି ଥିଲେ ଏବଂ ବାପାଙ୍କୁ ବାହାରକୁ ଡାକିଥିଲେ । ବାପା ବାହାରକୁ ଆସିବା ମାତ୍ରେ ତାଙ୍କୁ ଥାପଡ ମାରିବା ଆରମ୍ଭ କରିଦେଲେ ପରେ ଯାହା ହେଲା ଅକଳ୍ପନୀୟ । ଯେତେବେଳେ ବାପା ତାଙ୍କୁ ବୁଝେଇବାକୁ ଚେଷ୍ଟା କରୁଥିଲେ ସେ ତାଙ୍କ ବେକକୁ ଭିଡି ଦାନ୍ତରେ ତାଙ୍କ ନାକକୁ କାମୁଡିଦେଲେ । ସେ ଏତେ ଜୋରରେ ନାକକୁ କାମୁଡିଥିଲେକି ତାଙ୍କ ନାକ ଅଲଗା ହେଇଗଲା । ବାପା ରକ୍ତରେ ଜୁଡୁବୁଡୁ ହେଇଯାଇଥିବା ବେଳେ କେହି ସାହାଯ୍ୟ କରିବାକୁ ଆସିନଥିଲେ । ଏହାର ସୁଯୋଗ ନେଇ ଅଭିଯୁକ୍ତ ସେଠାରୁ ଖସି ପଳାଇଥିଲେ ।

ସିସିଟିଭିରେ କଏଦ ହେଲା ଦୃଶ୍ୟ

ସମ୍ପୂର୍ଣ୍ଣ ଘଟଣା ସିସିଟିଭିରେ କଏଦ ହେଇଛି । ଯାହାକୁ ଦେଖିଲେ ଛାତି ଥରି ଉଠିବ । ପ୍ରଥମେ କେମିତି ମାଡ ମାରିଲେ ପରେ ଦାନ୍ତରେ ନାକକୁ ଛିଣ୍ଡାଇଲେ ସବୁ ସିସିଟିଭିରେ କଏଦ ହୋଇଛି । ଘଟଣା ପରେ ପୀଡିତ ସେକ୍ରେଟାରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ମଧ୍ୟ ଡାକ୍ତର ନାକକୁ ଯୋଡିବାକୁ ମନା କରିଦେଇଛନ୍ତି । ତାଙ୍କ ଅବସ୍ଥା ଗୁରୁତର ହେବା ପରେ ସମ୍ପର୍କୀୟ ଦିଳ୍ଲୀ ସ୍ଥିତ ପ୍ଲାଷ୍ଟିକ ସର୍ଜରୀ ସେଣ୍ଟରକୁ ନେବାକୁ ପ୍ରସ୍ତୁତ ହେଉଛନ୍ତି ।

ଅଭିଯୁକ୍ତଙ୍କୁ ଛାଡିଦେଇଛି ପୋଲିସ

ସେକ୍ରେଟାରୀଙ୍କ ଝିଅଙ୍କ କହିବାନୁଯାୟୀ ବାପାଙ୍କୁ ଅଭିଯୁକ୍ତ ଜଣକ ଏତେ ମାଡ ମାରିଛନ୍ତି ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । କିନ୍ତୁ ଅଭିଯୋଗ କରିବା ପରେ ମଧ୍ୟ ପୋଲିସ ଆରୋପୀଙ୍କୁ ଛାଡିଦେଇଛି । ପ୍ରଥମେ ପୋଲିସ ଅଭିଯୁକ୍ତଙ୍କୁ ଥାନାକୁ ନେଇଥିଲା ପରେ କହିଲା ଅଭିଯୋଗ ଦାଖଲ ହେଇନାହିଁ କିନ୍ତୁ ଏବେ ଆରୋପୀର ସ୍ବାସ୍ଥ୍ୟବସ୍ଥା ଖରାପ କହି ମେଡିକାଲରେ ଭର୍ତ୍ତି କରାଇଛି । ତେବେ ଏନେଇ ମୁହଁ ଖୋଲିଛନ୍ତି ଏସପି ଅଭିଷେକ ପାଣ୍ଡେ । ସେ କହିଛନ୍ତି ମାମଲା ରୁଜୁ ହୋଇଛି ଯେମିତି ଅଭିଯୁକ୍ତଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ହେବ ଆମେ ତଦନ୍ତ ଆରମ୍ଭ କରିବୁ ।

ଅଭିଯୁକ୍ତ କ୍ଷିତିଜ ମିଶ୍ରା କିଏ ?

ଅଭିଯୁକ୍ତ କ୍ଷିତିଜା ମିଶ୍ର କେନ୍ଦ୍ର ସରକାରଙ୍କ ଅଧୀନରେ ଇମ୍ପୋର୍ଟ- ଏକ୍ସପୋର୍ଟ ବିଭାଗର ଡେପୁଟି ଡାଇରେକ୍ଟର ଭାବେ କାର୍ଯ୍ୟରତ । ବହୁ ସମୟ ଧରି ସେ ରତନ ପ୍ଲେନେଟ ସୋସାଇଟିରେ ରହୁଥିଲେ । ପୂର୍ବରୁ ମଧ୍ୟ ସେ ଏଭଳି କାଣ୍ଡ ଘଟାଇସାରିଛନ୍ତି ।