BSKY କାର୍ଡ ସହାୟତାରେ ହେଲା କର୍କଟ ରୋଗୀଙ୍କ ଅପରେସନ୍: ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ପରିବାର ଲୋକେ

କଣ୍ଟାବାଞ୍ଜି: ସାହା ହେଲା ବିଏସକେୱାଇ ସ୍ମାର୍ଟ ହେଲ୍ଥ କାର୍ଡ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ପାଇଁ ନୂଆ ଜୀବନ ପାଇଲେ ବଲାଙ୍ଗୀର ଜିଲ୍ଲାର ଧନପତି ବେହେରା । ସ୍ମାର୍ଟ କାର୍ଡ ଜରିଆରେ ମାଗଣା ଚିକିତ୍ସା ସୁବିଧା ପାଇ ନୂଆ ଜୀବନ ପାଇଲେ ଧନପତି । ମାଗଣା ଚିକିତ୍ସା ସୁବିଧା ପାଇବା ପରେ ସର୍ବପ୍ରଥମେ ହସ୍ପିଟାଲରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଧନପତି ଓ ତାଙ୍କ ପରିବାର ଲୋକେ ।

ବଲାଙ୍ଗୀର ଜିଲ୍ଲାକୁ ପଛୁଆ, ଅନୁନ୍ନତ ଓ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା କୁହାଯାଉଥିଲା । କିନ୍ତୁ ବର୍ତ୍ତମାନ ବଲାଙ୍ଗୀର ଚିତ୍ର ବଦଳିଛି । ପୂବରୁ ଜିଲ୍ଲାର ଗରିବ ଶ୍ରେଣୀର ଲୋକମାନେ ଚିକିତ୍ସା ପାଇଁ ଜମି ଓ ସୁନା ଗହଣା ବନ୍ଧା ପକାଇ ବେସରକାରୀ ହସ୍ପିଟାଲରେ ଚିକିତ୍ସା କରୁଥିଲେ । କେମିତି ଗରିବ ଲୋକେ ମାଗଣାରେ ଉନ୍ନତ ସ୍ୱାସ୍ଥ୍ୟ ସେବା ପାଇପାରିବେ ସେନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲକ୍ଷ୍ୟ ଥିଲା । ଓଡ଼ିଶାର ଅସହାୟ ଗରିବ ନିଷ୍ପେସିତ ପରିବାର ଲୋକଙ୍କୁ ମାଗଣାରେ ଚିକିତ୍ସା ସୁବିଧା ଯୋଗାଇବା ନେଇ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ଯୋଗାଇ ଦେଲେ ମୁଖ୍ୟମନ୍ତ୍ରୀ । ଏହି ଯୋଜନାରେ ବଲାଙ୍ଗୀର ଜିଲ୍ଲାର ୪ଲକ୍ଷ, ୫୨ହଜାର ପରିବାରର ହିତାଧିକାରୀମାନେ ସ୍ମାର୍ଟ କାର୍ଡ ପାଇଛନ୍ତି ।

ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ଗଁରେଇ ପଞ୍ଚାୟତ ଅନ୍ତର୍ଗତ ଫଟାମୁଣ୍ଡା ଗାଁର ଧନପତି ବେହେରା । ଧନପତି କର୍କଟ ରୋଗରେ ପୀଡ଼ିତ ହୋଇଥିଲେ । ରୋଗ ଜଣାପଡିବା ପରେ ଗରିବ ଧନପତିଙ୍କ କେମିତି ଚିକିତ୍ସା କରାଯିବ ଟଙ୍କା କେଉଁଠୁ ଆସିବ ସେନେଇ ପୂରା ପରିବାର ଚିନ୍ତାରେ ଥିଲେ । ପୂବରୁ ମଧ୍ୟ ଚିକିତ୍ସା ପାଇଁ ବହୁ ଟଙ୍କା ଖର୍ଚ୍ଚ କରିଥିଲେ କିନ୍ତୁ ତାଙ୍କ ଅସ୍ତ୍ରୋପଚାର ପାଇଁ ଘରେ ଟଙ୍କା ନଥିଲା । ସେନେଇ ଅସ୍ତ୍ରୋପଚାର ନହୋଇ ଧନପତି ଘରେ ରହିଥିଲେ । ହେଲେ ଗତ ୨୨ତାରିଖ ଦିନ ଧନପତି ବିଜୁ ସ୍ମାର୍ଟ କାର୍ଡ ପାଇବା ପରେ ସେ ବିଶାଖାପାଟଣାର ଏକ ସେସରକାରୀ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ପରେ ସ୍ମାର୍ଟ କାର୍ଡ ଦେଖାଇ ତାଙ୍କର ମାଗଣାରେ ଅସ୍ତ୍ରୋପଚାର ହୋଇଥିଲା । ତେବେ ଜିଲ୍ଲାର ପ୍ରଥମ ବ୍ୟକ୍ତି ଧନପତି ରାଜ୍ୟ ସରକାରଙ୍କ ଏହି ଯୋଜନାରୁ ଉପକୃତ ହୋଇ ସମ୍ପୂର୍ଣ୍ଣ ମାଗଣାରେ ଚିକିତ୍ସିତ ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇଛନ୍ତି ।

ଗାଁରୁ ଯାଇଥିବା ସମ୍ପର୍କୀୟ ଭାଇ ପଞ୍ଚୁ ବେହେରା ଡାକ୍ତରଖାନରେ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ବିଷୟରେ ହସ୍ପିଟାଲ କର୍ତ୍ତୃପକ୍ଷ ସହ ଆଲୋଚନା କରିଥିଲେ । ଏହା ପରେ ସରକାରଙ୍କ ତରଫରୁ ଥିବା ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟକାର୍ଡ ଦେଇଥିଲେ । ଏହି କାର୍ଡ ମାଧ୍ୟମରେ ଧନପତିଙ୍କର ୧ଲକ୍ଷ ୬ ହଜାର ଟଙ୍କା ଅପରେସନ ପାଇଁ ଖର୍ଚ୍ଚ ହେବ ବୋଲି ଡାକ୍ତର କହିଥିଲେ । ତେବେ କାର୍ଡ ସ୍ୱାପ କରି ଧନପତି ସମ୍ପୂର୍ଣ୍ଣ ମାଗଣାରେ ଚିକିତ୍ସା ପାଇଛନ୍ତି । ଏଥିପାଇଁ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି ଚିକିତ୍ସିତ ଧନପତିଙ୍କ ପରିବାର ଲୋକେ । ସ୍ମାର୍ଟ କାର୍ଡ ଦ୍ୱାରା ଜିଲ୍ଲାର ପ୍ରଥମ ବ୍ୟକ୍ତି ମାଗଣାରେ ଚିକିତ୍ସା ପାଇଥିବା ନେଇ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣା ସୂଚନା ଦେଇଛନ୍ତି ।

Leave a Reply