ମା’ ତାରାତାରିଣୀଙ୍କୁ ଦର୍ଶନ କରି ଆଶିଷ ଲୋଡ଼ିଲେ କାର୍ତ୍ତିକ ପାଣ୍ଡିଆନ

1 min read

ଗଞ୍ଜାମ : ବିଜେଡିରେ ଯୋଗଦେବା ପରେ ମାଆ ତାରାତାରିଣୀଙ୍କୁ ଦର୍ଶନ କରିଛନ୍ତି କାର୍ତ୍ତିକ ପାଣ୍ଡିଆନ । ମା ତାରାତାରିଣୀ ପୀଠକୁ ଯାଇ ମାଆଙ୍କ ଦର୍ଶନ କରି ଆଶିଷ ଲୋଡ଼ିଲେ କାର୍ତ୍ତିକ ପାଣ୍ଡିଆନ  । ରାଜନୀତିରେ ପାଦ ଥାପି ବିଜେଡିରେ ସାମିଲ ହେବା ପରେ 5-T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ଗଞ୍ଜାମ ଜିଲ୍ଲା ଗସ୍ତରେ ଯାଇ ଦେବୀ ପୀଠ ମା’ ତାରାତାରିଣୀ ମନ୍ଦିରରେ ପୂଜାର୍ଚନା କରିବା ସହ ଆଶୀର୍ବାଦ ନେଇଥିଲେ । ଆଜି ଅପରାହ୍ନରେ ସେ ତାରାତାରିଣୀ ପୀଠରେ ପହଞ୍ଚି ମା’ଙ୍କ ଦର୍ଶନ କରିଥିଲେ । ଗଞ୍ଜାମ ଜିଲ୍ଲାପାଳ ଥିବା ବେଳେ ତାରାତାରିଣୀ ପୀଠର ସକଳ ଉନ୍ନତି ପାଇଁ ଚେଷ୍ଟା କରିଥିଲେ କାର୍ତ୍ତିକ ପାଣ୍ଡିଆନ । ପରବର୍ତ୍ତୀ ପର୍ଯ୍ୟାୟରେ ତାଙ୍କ ଉଦ୍ୟମ ରେ ତାରାତାରିଣୀ ମନ୍ଦିରର ରୂପାନ୍ତର ହୋଇପାରିଛି । ଦେଶର ଏକ ପ୍ରମୁଖ ଶକ୍ତିପୀଠ ଭାବେ ତାରାତାରିଣୀ ମନ୍ଦିର ମୁଣ୍ଡ ଟେକିଛି ।

ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡିରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି କାର୍ତ୍ତିକ ପାଣ୍ଡିଆନ। ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ବିଜେଡିରେ ସେ ଯୋଗ ଦେଇଛନ୍ତି।  ଆଜି ସକାଳ ୧୦ଟା ୧୫ ମିନିଟରେ ବିଜେଡିରେ ସାମିଲ ହୋଇଛନ୍ତି। ବିଜେଡିରେ ବିଧିବଦ୍ଧ ଭାବେ ସାମିଲ ବେଳେ ନବୀନ ନିବାସରେ ଦଳର ବହୁ ବରିଷ୍ଠ ନେତା ଉପସ୍ଥିତ ରହି କାର୍ତ୍ତିକ ପାଣ୍ଡିଆନଙ୍କୁ ଶୁଭେଚ୍ଛା ଜଣାଇବା ସହ ସ୍ବାଗତ କରିଥିଲେ। କାର୍ତ୍ତିକ ପାଣ୍ଡିଆନ୍ ମୁଖ୍ୟମନ୍ତ୍ରୀଙ୍କ ପାଦ ସ୍ପର୍ଶ କରି ଆଶୀର୍ବାଦ ନେଇଥିଲେ । ସେ କହିଥିଲେ ଯେ,  ମହାପ୍ରଭୂଙ୍କ ଆଶୀର୍ବାଦ, ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନ ଓ ସମସ୍ତଙ୍କ ସହଯୋଗରେ ନିଷ୍ଠା, ନମ୍ରତା ଓ ନିସ୍ବାର୍ଥର ସହ ଓଡିଶାବାସୀଙ୍କ ସେବା କରିବେ । ସେହିଭଳି ତାଙ୍କୁ ଦଳକୁ ସ୍ବାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କାର୍ତ୍ତିକ ପାଣ୍ଡିଆନ ଓଡି଼ଶାବାସୀଙ୍କ ପାଇଁ କଠିନ ପରିଶ୍ରମ କରି ରାଜ୍ୟବାସୀଙ୍କ ସମ୍ମାନ ଓ ବିଶ୍ବାସ ହାସଲ କରିଛନ୍ତି। ବିଜେଡିର ସଦସ୍ୟ ଭାବେ ସେହି କାର୍ଯ୍ୟକୁ ସେ ଅବ୍ୟାହତ ରଖିବେ ।