ଧରାକୋଟରେ ବିକାଶର ହିସାବ ଦେଲେ 5T ଅଧ୍ୟକ୍ଷ

1 min read

ନନ୍ଦିଘୋଷ ବ୍ୟୁରୋ: ଭଲ କାମ କଲେ ଟଙ୍କାର ଅଭାବ ରହିବନି । ପ୍ରଥମ କିସ୍ତି ପରେ ଦ୍ବିତୀୟ ଓ ତୃତୀୟ କିସ୍ତି ମିଳିବ । ଏହା ଓଡ଼ିଶାର ଟଙ୍କା ଏହାକୁ ସ୍ବଚ୍ଛ ଭାବେ ଖର୍ଚ୍ଚ କରନ୍ତୁ । ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ କଥା କମ କହନ୍ତି । କାମ ବେଶୀ କରନ୍ତି । ଆପଣମାନଙ୍କୁ ସେ ବହୁତ ଭଲ ପାଆନ୍ତି । ତେଣୁ ଯୋଜନା ଉପରେ ଯୋଜନା କରୁଛନ୍ତି । ଏହାକୁ ଘରେ ଘରେ ପହଞ୍ଚାନ୍ତୁ । ଗଂଜାମ ଗସ୍ତରେ ଥିବା 5T ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନ ବେଲଗୁଣ୍ଠା ପରେ ଧରାକୋଟ-ସାନଖେମୁଣ୍ଡି ଗସ୍ତ କରି ଏହି ଅପିଲ କରିଛନ୍ତି । ଉଚ୍ଛ୍ବସିତ ଉତ୍ସାହିତ ବିଶାଳ ଜନସଭାକୁ ସମ୍ବୋଧିତ କରି ବିକାଶର ହିସାବ ଦେଇଛନ୍ତି କାର୍ତ୍ତିକ ପାଣ୍ଡିଆନ । ଏହି ଅଞ୍ଚଳରୁ ୬୫୦ ଦରଖାସ୍ତ ମିଳିଥିବାବେଳେ ୬ଶହର ସମାଧାନ ହୋଇଛି । ଏଥିଲାଗି ୪୦ କୋଟି ଟଙ୍କା ଅନୁମୋଦନ କରିଛନ୍ତି ମୁଖ୍ଯମନ୍ତ୍ରୀ । ଧରାକୋଟ ଜଗନ୍ନାଥ ମନ୍ଦିରକୁ ମୁଖ୍ଯମନ୍ତ୍ରୀ ଖୁବ ଭଲପାଆନ୍ତି ।

ନିଜ ନୂଆ ବର୍ଷ ଶୁଭେଚ୍ଛା କାର୍ଡରେ ମନ୍ଦିରକୁ ସ୍ଥାନ ଦେଉଥିବା ମୁଖ୍ଯମନ୍ତ୍ରୀ ଏହାର ଉନ୍ନତି ପାଇଁ ୨ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ମନ୍ଦିରର ଉନ୍ନତି କାମ ଚାଲିଛି । ଆବଶ୍ଯକ ପଡିଲେ ଆହୁରି ଦେବେ ବୋଲି କହିଛନ୍ତି କାର୍ତ୍ତିକ ପାଣ୍ଡିଆନ । ପାଟପୁରରେ ମା ରତନେଇ ମନ୍ଦିର ଲାଗି କୋଟିଏ ୩୦ ଲକ୍ଷ ମଂଜୁର କରିଛନ୍ତି ମୁଖ୍ଯମନ୍ତ୍ରୀ । ଖୁବଶୀଘ୍ର ନୂଆ ରୂପରେ ମନ୍ଦିରକୁ ଦେଖିବାକୁ ପାଇବେ । ସେହିପରି କଙ୍କଡାହାଡ ସାଇନ୍ସ କଲେଜର ରୂପାନ୍ତରୀକରଣ ଲାଗି କୋଟିଏ ୫୦ ଲକ୍ଷ, ପାଟପୁର ବିଶ୍ବାସରାୟ ସାଇନସ କଲେଜ ଲାଗି କୋଟିଏ ୫୦ ଲକ୍ଷ ଅନୁମୋଦନ କରିଛନ୍ତି ମୁଖ୍ଯମନ୍ତ୍ରୀ । ଅଭିଭାଷଣବେଳେ ସ୍ପଟରେ ମନ୍ଦିର, ଚର୍ଚ୍ଚ, ମସଜିଦ, କମ୍ଯୁନିଟି ସେଣ୍ଟର ଲାଗି ନୂଆ ଆବେଦନ ଗ୍ରହଣ କରି ୨୯ ତାରିଖ ସୁଦ୍ଧା ଖୁସି ଖବର ମିଳିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଫାଇଭ-ଟି ଅଧ୍ଯକ୍ଷ । ଲୋକଙ୍କ ସହ ଆଲୋଚନ କରି ସରକାରଙ୍କ ଯୋଜନା ସଂପର୍କରେ ସେ ଅପଡେଟ ନେଇଥିଲେ । ବିଭିନ୍ନ ଭତ୍ତା ବୃଦ୍ଧି ନେଇ ଲୋକଙ୍କୁ ପ୍ରଶ୍ନ ପଚାରଥିଲେ । ନିକଟରେ ଭିନ୍ନକ୍ଷମ, ବାର୍ଦ୍ଧକ୍ଯ ଓ ବିଧବା ଭତ୍ତା ୫ଶହରୁ ହଜାରେ ଟଙ୍କାକୁ ବୃଦ୍ଧି ହୋଇଛି . କଳାକାରଙ୍କ ଭତ୍ତା ୧୨ଶହ ଟଙ୍କା ଥିବାବେଳେ ଏହାକୁ ଦୁଇ ହଜାର କରିଛନ୍ତି ମୁଖ୍ଯମନ୍ତ୍ରୀ । ଗର୍ଭବତୀ ମାଆମାନଙ୍କ ଲାଗି ମମତା ଯୋଜନାରେ ମିଳୁଥିବା ସହାୟତା ରାଶିକୁ ଦୁଇ ଗୁଣା କରିଛନ୍ତି ।

ଗତକାଲିଠାରୁ ଲକ୍ଷ୍ମୀ ବସ ଆରମ୍ଭ କରାଯାଇଛି । ମାଆ ମାନଙ୍କ ଲାଗି ଟିକେଟର ଦାମ ମାତ୍ର ୫ଟଙ୍କା ରଖାଯାଇଛି । ପଞ୍ଚାୟତରୁ ବ୍ଲକ ଯାଇପାରିବା ନେଇ ମୁଖ୍ଯମନ୍ତ୍ରୀ ଏହି ସେବା ଆରମ୍ଭ କରିଛନ୍ତି । ଏଥିରେ ସ୍କୁଲ କଲେଜ ପିଲାମାନେ ଶିକ୍ଷାନୁଷ୍ଠାନ ମଧ୍ଯ  ଯାଇପାରୁଛନ୍ତି । ପ୍ଲସ ଥ୍ରୀ ଓ ପିଜିରେ ନୂଆ-ଓ ଛାତ୍ରବୃତ୍ତି ନୂଆ ଯୋଜନାରେ ଆଉ ୫ ଦିନ ପରେ ଛାତ୍ରଛାତ୍ରୀ ଅର୍ଥରାଶି ନିଜ ବ୍ଯାଙ୍କ ଖାତାରେ ପାଇବେ । ପୁଅମାନେ ୯ହଜାର, ଝିଅମାନେ ୧୦ ହଜାର ଟଙ୍କା ପାଇବେ । ଅଭିଭାବକଙ୍କ ବୋଝ ହାଲୁକା କରିବାକୁ ମୁଖ୍ଯମନ୍ତ୍ରୀ ଚିନ୍ତା କରି ଏହି ଯୋଜନା ଆଣିଛନ୍ତି । ଛାତ୍ରଛାତ୍ରୀ  ପ୍ରତିବର୍ଷ ଏହି ବୃତ୍ତି ପାଇବେ । ଏହା ଆଉ କେଉଁ ରାଜ୍ଯରେ ହୋଇନି ବୋଲି ଏହି ଅବସରରେ ସୂଚାଇ ଦେଇଥିଲେ 5T ଅଧ୍ଯକ୍ଷ । ମିଶନ ଶକ୍ତି ମାଆମାନଙ୍କୁ ଭଲ କାମ କରିବା ଲାଗି ଆହ୍ବାନ ଦେଇଥିଲେ । ସମସ୍ତେ ମିଶି ଭଲକାମ କରିବା ମୁଖ୍ଯମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବାକୁ ଆହ୍ବାନ ଦେଇଥିଲେ ପାଣ୍ଡିଆନ । ମାଆମାନଙ୍କ ଲୋନ ସୀମାରେ ଆହୁରି ବୃଦ୍ଧି କରାଯିବ । ସିଆରପି, ଏମବିକେ, କୃଷକସାଥୀଙ୍କ ଦରମା ଆଉ ଗୋଟିଏ ସପ୍ତାହ ମଧ୍ଯରେ ବଢିବ ବୋଲି କହିଥିଲେ 5T ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନ ।